ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବଢ଼ିଲା ଭୁବନେଶ୍ୱର ଷ୍ଟେସନ୍ର ସୁରକ୍ଷା । ଏଣିକି ସୁରକ୍ଷା କର୍ମୀ ଆଉ ଚାଲିଚାଲି ପାଟ୍ରୋଲିଂ କରିବେ ନାହିଁ । ଗାଡ଼ିରେ ପାଟ୍ରୋଲିଂ କରିବେ । ଫଳରେ ଅଳ୍ପ ସମୟ ମଧ୍ୟରେ ଅଧିକ ଅଞ୍ଚଳ ବୁଲିପାରିବା ସହିତ ଦୁର୍ଘଟଣାସ୍ଥଳରେ ଶୀଘ୍ର ପହଞ୍ଚିପାରିବେ ବୋଲି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ କହିଛନ୍ତି ।
ଭୁବନେଶ୍ୱର ଷ୍ଟେସନ୍ରେ ସେଗ୍ୱେ ଦୁଇ ଚକିଆ ପାଟ୍ରୋଲିଂ ବ୍ୟବସ୍ଥାକୁ ଉଦ୍ଘାଟନ କରିବା ଅବସରରେ ମହାପ୍ରବନ୍ଧକ କହିଛନ୍ତି, ଦେଶରେ ଅହମ୍ମଦାବାଦ ଷ୍ଟେସନ୍ରେ ଏହି ବ୍ୟବସ୍ଥା ପ୍ରଥମେ ଆରମ୍ଭ ହୋଇଥିଲା । ସେଠାରେ ବ୍ୟାପକ ସଫଳତା ହାସଲ ପରେ ଦେଶର ବିଭିନ୍ନ ଷ୍ଟେସନରେ ଏହା ଲାଗୁ କରାଯାଉଛି । ଓଡ଼ିଶାରେ ଏହି ସେବା ପ୍ରଥମ କରି ଆରମ୍ଭ କରାଯାଉଛି । ହେଲେ ପୂର୍ବତଟ ରେଳପଥ ପରିସରରେ ବିଶାଖାପାଟଣାରେ ପ୍ରଥମେ ଆରମ୍ଭ ହୋଇଥିଲା । ଭୁବନେଶ୍ୱର ସମେତ ପୁରୀ ଓ କଟକ ଷ୍ଟେସନରେ ଏହି ବ୍ୟବସ୍ଥା ଲାଗୁ ହେବ । ଏହି ଷ୍ଟେସନଗୁଡିକରେ ବ୍ୟବସ୍ଥା ସଫଳ ହେଲେ ଅନ୍ୟ ବଡ଼ ଷ୍ଟେସନଗୁଡ଼ିକରେ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ । ଏହି ଗାଡ଼ି ପରିବେଶ ଉପଯୋଗୀ । ବ୍ୟାଟେରୀ ଦ୍ୱାରା ଚାଲିବ । ଚାର୍ଜ କରିବା ପାଇଁ ୬ରୁ ୭ ଘଣ୍ଟା ପର୍ଯ୍ୟନ୍ତ ସମୟ ନେଇଥାଏ । ଥରେ ଫୁଲ୍ ଚାର୍ଜ ହେଲେ ୩୦ କିଲୋମିଟର ଚାଲିଥାଏ । ରିମୋର୍ଟ କଣ୍ଟେ୍ରାଲ୍ ଦ୍ୱାରା ଏହା ପରିଚାଳିତ ହେଉଥିବାରୁ, ଆବଶ୍ୟକ ବେଳେ ଆରପିଏଫ୍ କର୍ମଚାରୀ ଏହାକୁ ଅଫ୍ କରି ଅପରାଧୀଙ୍କ ପଛରେ ଦୌଡ଼ି ପାରିବେ ବୋଲି ମହାପ୍ରବନ୍ଧକ ବିଦ୍ୟାଭୂଷଣ କହିଛନ୍ତି । ପୂର୍ବତଟ ରେଳପଥର ପ୍ରମୁଖ ନିରାପତ୍ତା ଅୟୁକ୍ତ ରାଜାରାମ କହିଛନ୍ତି, ପୂର୍ବରୁ ଆମ ଯବାନମାନେ ଚାଲି ଚାଲି ପାଟ୍ରୋଲିଂ କରୁଥିଲେ । ସମୟ ଅନୁସାରେ ପ୍ଲାଟଫର୍ମଗୁଡ଼ିକର ଲମ୍ବା ବଢ଼ିଛି । ତେଣୁ ଏବେ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ଗାଡ଼ି ଦ୍ୱାରା ପାଟ୍ରୋଲିଂ କରିବାକୁ ଜରୁରି ଭାବିଲୁ । ଏବେ ଭୁବନେଶ୍ୱରରେ ୬ଟି ପ୍ଲାଟଫର୍ମ । ବେଳେ ବେଳେ ଯବାନଙ୍କ ସଂଖ୍ୟା କମିଲେ, ଗାଡ଼ି ଦ୍ୱାରା ଦ୍ରୁତଗତିରେ ସବୁଠି ପାଟ୍ରୋଲିଂ କରିହେବ । ଯାତ୍ରୀମାନେ ଅସୁବିଧା ସମୟରେ ‘୧୮୨’କୁ କଲ୍ କଲେ ଏହି ସୁବିଧା ତୁରନ୍ତ ମିଳିପାରିବ ।
ଉଲ୍ଲେଖଯୋଗ୍ୟ, ରାଜ୍ୟର ୩ଟି ଷ୍ଟେସନ୍ ପାଇଁ ଏବେ ୬ଟି ସେଗ୍ୱେ ଆସିଛି । ଏଥିପାଇଁ ମୋଟ ୪ ଲକ୍ଷ ୯୧ ହଜାର ୪ ଶହ ଟଙ୍କା ଖର୍ଚ୍ଚ ହୋଇଛି । ଏହି ଗାଡ଼ିଗୁଡ଼ିକ ଚଳାଇବା ପାଇଁ ୧୨ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏହା ସଫଳ ହେଲେ ଆଗାମୀ ଦିନରେ ପ୍ରତି ବଡ଼ ଷ୍ଟେସନ୍ରେ ୨ଟି ସେଗ୍ୱେ ରହିବ । ସର୍ବାଧିକ ଘଣ୍ଟା ପ୍ରତି ୧୮ କିମି ବେଗରେ ଏହା ଚାଲିପାରିବ । ଏଥିରେ ହର୍ଣ୍ଣ ଓ ଲାଇଟ୍ ମଧ୍ୟ ରହିଛି । ରିମୋର୍ଟରେ ଚାଲୁଥିବାରୁ, ଏହାକୁ କେହି ଚୋରି କରିପାରିବେ ନାହିଁ । ସବୁଠୁ ବଡ଼ କଥା ହେଉଛି ଏହା ୩୬୦ ଡିଗ୍ରୀ ଟର୍ନ ନେଇପାରିବ ବୋଲି ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ପ୍ରବନ୍ଧକ ଶଶିକାନ୍ତ ସିଂହ କହିଛନ୍ତି ।


Comments are closed, but trackbacks and pingbacks are open.