ଭବାନୀପାଟଣା,(ବି.ବି.ନ୍ୟୁଜ୍): କଳାହାଣ୍ଡି ଜିଲ୍ଲାରେ ଲାଲବାହିନୀର ରକ୍ତର ହୋଲି ଖେଳର ଜବାବ ଦେଇଛି ସୁରକ୍ଷା ବାହିନୀ । ଜିଲ୍ଲାର ଝିମିରି ରାହୁଲ ସମ୍ପ୍ର୍ରସାରିତ ସଂରକ୍ଷିତ ଜଙ୍ଗଲରେ ଆଜି ପୁଲିସ ଜୋର୍ଦାର କମ୍ବିଂ ଅପରେସନ କରିଛି । ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବାବେଳେ ବ୍ୟାପକ ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ସୂଚନାମତେ, ସାଧାରଣ ନାଗରିକକୁ ହତ୍ୟା କରିଥିବା ମାଓବାଦୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ଗୋଇନ୍ଦା ସୂଚନା ଆଧାରରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ଚାରିପଟୁ ଘେରିଥିଲା । ପରେ ବିଜେପୁର ଥାନା ବଣ୍ଡାଖଲି ଗାଁରେ ଏକ ଏସଓଜି ଟିମ୍ ସହ ମାଓବାଦୀମାନେ ମୁହାଁମୁହିଁ ହୋଇଥିଲେ । ସକାଳ ୭.୩୦-୮.୦୦ ଟା ଯାଏ ଗୁଳି ବିନିମୟ ଜାରି ରହିଥିଲା । ମାଓବାଦୀମାନେ ପ୍ରଥମେ ଯବାନଙ୍କ ଉପରକୁ ଗୁଳି ଚଳାଇବା ପରେ ଯବାନମାନେ ସେମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ମାତ୍ର ଏହାକୁ ବେଖାତିର କରି ସେମାନେ ଗୁଳିବର୍ଷା ଜାରି ରଖିଥିଲେ । ମାଓବାଦୀଙ୍କ ଆଖିବୁଜା ଗୁଳି ଚାଳନାର ଯବାନମାନେ ମଧ୍ୟ ଜବାବ ଦେଇଥିଲେ । ଏହି ଗୁଳି ବିନିମୟରେ ଜଣେ ମାଓବାଦୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ ବୋଲି ଆଜି ସ୍ଥାନୀୟ ରିଜର୍ଭ ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି । ଗୁଳି ବିନିମୟ ବନ୍ଦ ହେବା ପରେ ଏସଓଜି ଯବାନମାନେ ଘଟଣା ସ୍ଥଳରେ ତଲାସି କରି ସେଠାରୁ ଜଣେ ମାଓବାଦୀର ଶବ ଓ ଗୋଟିଏ ୩୦୩ ରାଇଫଲ ସମେତ ମାଓ ସାମଗ୍ରୀ ଜବତ କରିଥିଲେ । ଉକ୍ତ ଗୋଷ୍ଠୀରେ ୬-୭ଜଣ ମାଓବାଦୀ ଥିଲେ ବୋଲି ଡିଆଇଜି କହିଛନ୍ତି । ମାଓବାଦୀମାନେ ହତ୍ୟା କରିଥିବା ଭୀମ ଦୋରା ପୁଲିସର ଇନ୍ଫର୍ମର ନଥିଲେ ଏବଂ ଜଣେ ସାଧାରଣ ନାଗରିକ ଥିଲେ ବୋଲି ଡିଆଇଜି ସ୍ପଷ୍ଟ କରିଛନ୍ତି ।
ପ୍ରକାଶ ଯେ, ଗତ ୨୦ ତାରିଖରେ ପାହାଡ଼ପଦର ସପ୍ତାହିକ ବଜାରରେ ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ମାଓବାଦୀ ଗୁଳିକରି ହତ୍ୟା କରିବା ପରେ ସେହି ରାତିରେ ବିଶ୍ୱନାଥପୁର ଥାନା ବାବୁପଦର ଗାଁର ଭୀମ ଦୋରା (୪୬)କୁ ମଧ୍ୟ ଗୁଳିକରି ହତ୍ୟା କରିଥିଲେ । ଲାଞ୍ଜିଗଡ଼ ଅଞ୍ଚଳରେ ମାଓବାଦୀଙ୍କ ନରସଂହାର ପରେ ଗତ ଦୁଇଦିନ ହେଲା ଡିଆଇଜି ଶ୍ରୀ ଲାଲ ଓ କଳାହାଣ୍ଡି ଏସ୍ପି ବାତୁଲା ଗଙ୍ଗାଧର ସମ୍ବେଦନଶୀଳ ଅଞ୍ଚଳରେ କମ୍ବିଂ ଅପରେସନ୍ର ନେତୃତ୍ୱ ନେଉଥିଲେ । ବର୍ତ୍ତମାନ ମଧ୍ୟ ପୁଲିସ ପକ୍ଷରୁ ଅପରେସନ ଜାରି ରହିଛି । ପୁଲିସ କାହାକୁ ଭୟ କରୁନାହିଁ ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ ସଙ୍କଳ୍ପବଦ୍ଧ ବୋଲି କହିବା ସହ ଡିଆଇଜି ସାଧାରଣ ଜନତାଙ୍କୁ ଭୟଭୀତ ନହବା ପାଇଁ ଆହ୍ୱାନ ଦେଇଛନ୍ତି । ୧୨ଘଣ୍ଟା ମଧ୍ୟରେ ଦୁଇଜଣ ସାଧାରଣ ନାଗରିକଙ୍କୁ ମାଓବାଦୀମାନେ ହତ୍ୟା କରିବା ପରେ ପୁଲିସ ଅପରେସନକୁ ଜୋରଦାର କରିଛି ଏବଂ ହତ୍ୟାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଆଇଜି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସ୍ପି ମଧ୍ୟ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.