ଭୁବନେଶ୍ୱର,(ବି.ବି.ବ୍ୟୁରୋ): ପୁଲିସ ମହା ନିର୍ଦ୍ଦେଶକ (ଡିଜିପି) ବଦଳିବେ । ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ନୂତନ ଭାବେ ଗଠିତ ଲୋକାୟୁକ୍ତଙ୍କ ସଦସ୍ୟ ଭାବେ ମନୋନୀତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ଗତକାଲି ତାଙ୍କ ନାମ ଉପରେ ସହମତି ଦେଇଥିବା ଜଣାପଡ଼ିଛି । ରାଜ୍ୟପାଳ ଡ. ଗଣେଶୀ ଲାଲ୍ ଏଥିରେ ମୋହର ମାରିଲେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଲୋକପାଳ ସଦସ୍ୟ ଭାବେ ଦାୟିତ୍ୱ ନେବେ ।
ଡ. ଶର୍ମାଙ୍କ ସ୍ଥାନରେ କାହାକୁ ଡିଜିପି ଭାବେ ନିଯୁକ୍ତି ମିଳିବ ଏବଂ ଅସ୍ଥାୟୀ ଭାବେ କାହାକୁ ଇନ୍ଚାର୍ଜ ଡିଜି ଦାୟିତ୍ୱ ଦିଆଯିବ ସେ ନେଇ ସରକାରୀ ସ୍ତରରେ କସରତ ଆରମ୍ଭ ହୋଇ ଯାଇଛି । ୧୯୮୬ କିମ୍ବା ୧୯୮୭ ବ୍ୟାଚ୍ ଆଇପିଏସ୍ ଅଫିସରଙ୍କ ମଧ୍ୟରୁ ଜଣେ ଭାଗ୍ୟବାନ୍ ଏ ପଦ ହାତେଇବା ସମ୍ଭାବନା ରହିଛି । ସୁପ୍ରିମକୋର୍ଟଙ୍କ ନିର୍ଧାରିତ ନିୟମ ମୁତାବକ ଏଣିକି ରାଜ୍ୟ ସରକାର ନିଜ ଇଚ୍ଛାରେ ପୁଲିସ ଡିଜି ବାଛି ପାରିବେ ନାହିଁ । ଲୋକସେବା ଆୟୋଗକୁ ଡିଜି ପାଇଁ ଯୋଗ୍ୟ ଅଫିସରମାନଙ୍କର ଏକ ତାଲିକା ପଠାଇବେ । ଆୟୋଗ ପକ୍ଷରୁ ଗଠିତ ଚୟନ କମିଟି ଏଥିରୁ ତିନିଟି ନାମ ଚୟନ କରି ରାଜ୍ୟ ସରକାରଙ୍କୁ ପଠାଇବେ । ତିନି ଜଣଙ୍କ ମଧ୍ୟରୁ ସରକାର ଜଣଙ୍କୁ ଡିଜି ନିଯୁକ୍ତିି ଦେବେ ।
ମିଳିଥିବା ସୂଚନା କହୁଛି, ୮୬, ୮୭ ଏବଂ ୮୮ ବ୍ୟାଚ୍୍ର ମୋଟ ୧୩ ଜଣ ଅଫିସରଙ୍କ ନାମ ପଠାଇବାକୁ ସରକାର ଚିନ୍ତା କରିଛନ୍ତି । ଡ. ଶର୍ମାଙ୍କ ପରେ ୧୯୮୬ ବ୍ୟାଚ୍ରେ ୪ ଜଣ ଅଫିସର ଅଛନ୍ତି । ଅଗ୍ନିଶମ ଡିଜି ତଥା ଗୃହରକ୍ଷୀ କମାଣ୍ଡାଣ୍ଟ ଜେନେରାଲ୍ ବିଜୟ କୁମାର ଶର୍ମାଙ୍କୁ ଛାଡ଼ି ଦେଲେ ବାକି ୩ ଜଣ କେନ୍ଦ୍ରୀୟ ଡେପୁଟେସନ୍ରେ ଅଛନ୍ତି । ସେମାନେ ହେଲେ ପ୍ରଦୀପ କାପୁର, ଅଭୟ ଏବଂ ଏମ୍ ନାଗେଶ୍ୱର ରାଓ । ୮୭ ବ୍ୟାଚ୍ର ସୁନୀଲ କୁମାର ବନ୍ସାଲ୍ ଏବଂ ସୁରେନ୍ଦ୍ର ପାନ୍ୱାର ବି କେନ୍ଦ୍ରରେ ଅଛନ୍ତି । ସୁନୀଲ ରୟ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ପଦରେ ଅଛନ୍ତି । ୧୯୮୮ ବ୍ୟାଚ୍ର ସତ୍ୟଜିତ ମହାନ୍ତି, ମନୋଜ କୁମାର ଛାବ୍ରା, ସନ୍ତୋଷ କୁମାର ଉପାଧ୍ୟାୟ ଓ ବିନୟାନନ୍ଦ ଝା ରାଜ୍ୟରେ ଥିବା ବେଳେ ଏମ ଅକ୍ଷୟ ଏବଂ ଅରୁଣ କୁମାର ରାୟ କେନ୍ଦ୍ରୀୟ ଡେପୁଟେସନ୍ରେ ଯାଇଛନ୍ତି ।
କେନ୍ଦ୍ରୀୟ ଡେପୁଟେସନ୍ରେ ଥିଲେ ବି ଏହି ଅଫିସରମାନଙ୍କ ନାମ ଡିଜି ପ୍ୟାନେଲରେ ରଖିବାକୁ ସରକାର ବାଧ୍ୟ । ଯଦି କେହି ରାଜ୍ୟକୁ ଫେରିବାକୁ ଚାହୁଁ ନାହାନ୍ତି ବୋଲି ଲିଖିତ ଭାବେ ଜଣାଇବେ, ସେପରି ସ୍ଥଳେ ତାଙ୍କ ନାମ ବାଦ୍ ଦିଆଯାଇ ପାରିବ । ଏ ତିନି ବ୍ୟାଚ୍ର ଅଫିସରଙ୍କ ମଧ୍ୟରୁ ବିଜୟ କୁମାର ଶର୍ମା ଓ ସୁନୀଲ ରୟ ଦୁଇ ଜଣ ଏବେ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଡ. ଶର୍ମା ଚାକିରି ଛାଡ଼ିବା ପରେ ଆଉ ଦୁଇଟି ଡିଜି ପାହ୍ୟା ପଦ ଖାଲି ରହିବ । ବିଜୟ ଶର୍ମାଙ୍କ ପରେ ବରିଷ୍ଠତା ତାଲିକାରେ ଥିବା ୧୯୮୬ କିମ୍ବା ୮୭ ବ୍ୟାଚ୍ର ଅଫିସର ରାଜ୍ୟକୁ ଫେରିବାକୁ ଚାହିଁଲେ ତାଙ୍କୁ ଡିଜି ପାହ୍ୟା ମିଳିବ । ନ ହେଲେ ରାଜ୍ୟରେ ଥିବା ୧୯୮୮ ବ୍ୟାଚ୍ର ଅଫିସର ଏହି ପଦୋନ୍ନତି ପାଇବାକୁ ଯୋଗ୍ୟ ହେବେ ।
ୟୁପିଏସ୍ସି ଚୟନ କମିଟିରେ ରାଜ୍ୟ ତରଫରୁ ମୁଖ୍ୟ ସଚିବ ପ୍ରତିନିଧିତ୍ୱ କରିବେ । ବରିଷ୍ଠତା, ବିଭିନ୍ନ କ୍ଷେତ୍ରରେ ଅନୁଭୂତି, କେନ୍ଦ୍ରୀୟ ଡେପୁଟେସନ୍ ସମୟର କାର୍ଯ୍ୟଦକ୍ଷତାକୁ ବିଚାରକୁ ନେଇ ଚୟନ କମିଟି ୩ ଜଣଙ୍କ ନାମ ବାଛିବେ । ଯଦି କେନ୍ଦ୍ରୀୟ ଡେପୁଟେସନ୍ରେ ଥିବା ପ୍ରଦୀପ କାପୁର, ନାଗେଶ୍ୱର ରାଓ କିମ୍ବା ଅଭୟ ଓଡ଼ିଶା ଫେରିବାକୁ ରାଜି ହେବେ ତେବେ ୧୯୮୬ ବ୍ୟାଚ୍ରେ ହିଁ ସୀମିତ ରହିବ ଡିଜି ଦୌଡ଼ । ଏହି ବ୍ୟାଚ୍ର ଚାରି ଜଣଙ୍କ ମଧ୍ୟରୁ କମିଟି ୩ ଜଣଙ୍କ ନାମ ଚୟନ କରିବେ । ତେବେ କାହାକୁ ଅସ୍ଥାୟୀ ଡିଜି ଦାୟିତ୍ୱ ଦିଆଯିବ ତା ଉପରେ ରହିଛି ସମସ୍ତଙ୍କ ନଜର ।
Comments are closed, but trackbacks and pingbacks are open.