ନୂଆଦିଲ୍ଲୀ: ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍ଆର୍ସି)ଓ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ଦେଶର ବିଭିନ୍ନ ଭାଗରେ ବିରୋଧ କରାଯାଉଥିବା ବେଳେ କେନ୍ଦ୍ର ସରକାର ଏବେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (ଏନ୍ପିଆର)କୁ ଅପଡେଟ କରିବାକୁ ଯାଉଛନ୍ତି । ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ ଏନପିଆରକୁ ମଞ୍ଜୁରୀ ଦେଇଛି । ଫଳରେ ବର୍ତ୍ତମାନ ଦେଶବ୍ୟାପୀ ନାଗରିକଙ୍କ ଡାଟାବେସ୍ ପ୍ରସ୍ତୁତ କରାଯିବ । ଏଥିରେ ଜନସଂଖ୍ୟା ସହ ପ୍ରତ୍ୟେକ ନାଗରିକଙ୍କ ବାୟୋମେଟ୍ରିକ ତଥ୍ୟ ରହିବ । ଏନ୍ପିଆର୍ ପ୍ରସ୍ତୁତ ନିମନ୍ତେ ଖର୍ଚ୍ଚ ହେବାକୁ ଥିବା ପ୍ରାୟ ୮,୭୦୦ କୋଟି ଟଙ୍କାର ପ୍ରସ୍ତାବକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁÂିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସମେତ କ୍ୟାବିନେଟର ସଦସ୍ୟମାନେ ଉପସ୍ଥିତ ଥିଲେ ।
୨୦୨୧ରେ ହେବାକୁ ଥିବା ଜନଗଣନା ପୂର୍ବରୁ ୨୦୨୦ରେ ଏନ୍ପିଆର୍ ପ୍ରସ୍ତୁତ କରାଯିବ । ଉଭୟ ଜନଗଣନା ଏବଂ ଏନ୍ପିଆର୍ରେ ମୋଟ ୧୩,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏନ୍ପିଆର୍ ରିପୋର୍ଟରେ ନାଗରିକଙ୍କର ବାୟୋମେଟ୍ରିକ ତଥ୍ୟ ମଧ୍ୟ ସାମିଲ କରାଯିବ । ଆସାମକୁ ଛାଡ଼ି ଦେଲେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହା ଲାଗୁ କରାଯିବ । ଏହା ପୂର୍ବରୁ ୨୦୧୦ରେ ମଧ୍ୟ ଏନ୍ପିଆର୍ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଜାଣିଶୁଣି ଯଦି କେହି ନିଜର କିମ୍ବା ପରିବାର ବିଷୟରେ ତଥ୍ୟ ଲୁଚାଇବ କିମ୍ବା ଭୁଲ ତଥ୍ୟ ପ୍ରଦାନ କରିବ ତେବେ ତାଙ୍କୁ ନାଗରିକତା ଆଇନ-୨୦୦୩ ଅନୁସାରେ ଜରିମାନା ଦେବାକୁ ପଡିବ । ସରକାର ଏନ୍ପିଆର ଆଧାରରେ ପ୍ରତ୍ୟେକ ନାଗରିକଙ୍କୁ ପରିଚୟପତ୍ର ପ୍ରଦାନ କରିବା ଉପରେ ବିଚାର କରୁଛନ୍ତି । ଏହା ଏକ ପ୍ରକାର ସ୍ମାର୍ଟ କାର୍ଡ, ଯେଉଁଥିରେ ଆଧାର ନମ୍ବର ବି ରହିବ ।
ମିଳିଥିବା ସୂଚନା ମୁତାବକ, ୨୦୨୦ ଏପ୍ରିଲ ୧ ତାରିଖରୁ ୨୦୨୦ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ତିନୋଟି ପର୍ଯ୍ୟାୟରେ ଘର ଘର ବୁଲି ଏନ୍ପିଆର୍ ନିମନ୍ତେ ତଥ୍ୟ ସଂଗ୍ରହ କରାଯିବ । ଦେଶରେ ସାଧାରଣ ଭାବେ ବସବାସ କରୁଥିବା ନାଗରିକମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେବା ଏନ୍ପିଆର୍ର ମୁଖ୍ୟ ଲକ୍ଷ୍ୟ । ବ୍ୟକ୍ତିର ନାମ, ପରିବାରର ମୁଖ୍ୟଙ୍କ ସହ ସମ୍ପର୍କ, ପିତାଙ୍କ ନାମ, ମାତାଙ୍କ ନାମ, ପତି/ପତ୍ନୀଙ୍କ ନାମ, ଶିକ୍ଷାଗତ ଯୋଗ୍ୟତା, ଲିଙ୍ଗ, ଜନ୍ମତାରିଖ, ରାଷ୍ଟ୍ରୀୟତା, ବର୍ତ୍ତମାନର ଠିକଣା, ସ୍ଥାୟୀ ଠିକଣା, ପେସା ଓ ବାୟୋମେଟି୍ରିକ ତଥ୍ୟ ଆଦି ଏନ୍ପିଆର୍ରେ ଉଲ୍ଲେଖ ରହିବ । ୬ ମାସରୁ ଊଦ୍ଧ୍ୱର୍ ସମୟ ଧରି ଦେଶରେ ରହି ଆସୁଥିବା ଶରଣାର୍ଥୀଙ୍କୁ ମଧ୍ୟ ଏନ୍ପିଆର୍ରେ ସାମିଲ କରାଯିବ । ବାୟୋମେଟ୍ରିକ ତଥ୍ୟ ଆଧାରରେ ସରକାରୀ ଯୋଜନାଗୁଡ଼ିକୁ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଏନ୍ପିଆର୍ର ଉଦେ୍ଧଶ୍ୟ । ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଏଥିରେ ସାମିଲ କରାଯିବ ନାହିଁ । ଏନ୍ଆରଆଇଙ୍କୁ ଏଥିରେ ସାମିଲ କରାଯିବ ନାହିଁ । କିନ୍ତୁ ସେମାନେ ଯଦି ଭାରତରେ ଆସି ରହିବେ ତେବେ ସେମାନଙ୍କୁ ସାମିଲ କରାଯାଇପାରିବ ।
୨୦୧୦ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ନେତୃତ୍ୱରେ ପରିଚାଳିତ ୟୁପିଏ ସରକାର ପ୍ରଥମଥର ପାଇଁ ଦେଶରେ ଏନ୍ପିଆର୍ ଲାଗୁ କରିଥିଲେ । ୨୦୧୧ ଜନଗଣନା ପୂର୍ବରୁ ଉକ୍ତ ଏନ୍ପିଆର୍ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ୨୦୨୧ରେ ପୁଣିଥରେ ଜନଗଣନା ହେବାକୁ ଯାଉଛି । ଏଣୁ ଏହା ପୂର୍ବରୁ ଏନ୍ପିଆର୍ ପ୍ରସ୍ତୁତ କରିବାକୁ କେନ୍ଦ୍ର ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ନାଗରିକତା ନିୟମ ୧୯୯୫ ଅନୁଯାୟୀ ଏନ୍ପିଆର ଗ୍ରାମ ପଞ୍ଚାୟତ, ତହସିଲ, ଜିଲ୍ଲା, ରାଜ୍ୟ ଏବଂ ରାଷ୍ଟ୍ରୀୟ ଆଦି ସ୍ତରରେ ପ୍ରସ୍ତୁତ କରାଯିବ । ୩ଟି ପର୍ଯ୍ୟାୟରେ ଏହା ପ୍ରସ୍ତୁତ ହେବ । ପ୍ରଥମ ପର୍ଯ୍ୟାୟରେ ୨୦୨୦ ଏପ୍ରିଲରୁ ୨୦୨୦ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀମାନେ ଘର ଘର ବୁଲି ତଥ୍ୟ ଏକତ୍ର କରିବେ । ପରେ ୨୦୨୧ ଫେବୁ୍ରୟାରୀ ୯ରୁ ଫେବ୍ରୁୟାରୀ ୨୮ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହେବ । ଏହି ସମୟରେ ସଂଗୃହୀତ ତଥ୍ୟର ଇଲେକ୍ଟେ୍ରାନିକ ଡାଟାବେସ୍ କରାଯିବ ଏବଂ ସେଥିରେ ଫଟୋଗ୍ରାଫ ଓ ଫିଙ୍ଗରପ୍ରଣ୍ଟ ଭଳି ତଥ୍ୟକୁ ସାମିଲ କରାଯିବ । ସେହିଭଳି ୨୦୨୧ ମାର୍ଚ୍ଚ ୧ରୁ ୫ ପର୍ଯ୍ୟନ୍ତ ଶେଷ ପର୍ଯ୍ୟାୟ ବା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ ।
ନାଗରିକତା ଆଇନରେ ୨୦୦୪ରେ କରାଯାଇଥିବା ସଂଶୋଧନର ଧାରା ୧୪ ଅନୁସାରେ ପ୍ରତ୍ୟେକ ନାଗରିକଙ୍କୁ ଏନ୍ପିଆରରେ ସାମିଲ ହେବାକୁ ବାଧ୍ୟତାମୂଳକ କରାଯାଇଛି । ଅନ୍ୟପକ୍ଷରେ ଏନ୍ଆର୍ସି ଏବଂ ଏନ୍ପିଆର୍କୁ ନେଇ ଏବେ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି । ବେଆଇନ ଅନୁପ୍ରବେଶକାରୀ ଏନ୍ଆର୍ସିରୁ ବାଦ୍ ପଡ଼ୁଥିବା ବେଳେ ସେମାନେ ଏନ୍ପିଆର୍ରେ ସାମିଲ ହୋଇପାରିବେ । ୬ ମାସରୁ ଅଧିକ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଏନ୍ପିଆର୍ରେ ସ୍ଥାନ ପାଇବାର ଅଧିକାର ରହିଛି । ଅନ୍ୟ ରାଜ୍ୟମାନଙ୍କରେ ଏଥି ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ କେରଳ ଏବଂ ପଶ୍ଚିମବଙ୍ଗରେ ରାଜ୍ୟ ସରକାରଙ୍କ ନିଦେ୍ର୍ଧଶକ୍ରମେ ଏନ୍ପିଆର୍ ସମ୍ପର୍କିତ କାମ ବନ୍ଦ କରି ଦିଆଯାଇଛି । ଏନ୍ପିଆର୍ ଜରିଆରେ କେନ୍ଦ୍ର ସରକାର ସାରା ଦେଶରେ ଏନ୍ଆର୍ସି ଲାଗୁ କରିବାକୁ ଚେଷ୍ଟା କରୁଥିବା ଉଭୟ ରାଜ୍ୟ ସରକାର ଅଭିଯୋଗ କରିଛନ୍ତି ।
Comments are closed, but trackbacks and pingbacks are open.