ଭୁବନେଶ୍ୱର, (ବି.ବି.ବୁ୍ୟରୋ): ବଦଳିବ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ମେଡିକାଲ କଲେଜ (ଏସ୍ସିବି) ଚେହେରା । ପୂରାକୁ ପୂରା ନବକଳେବର ହେବ । ଏହାକୁ ବିଶ୍ୱସ୍ତରୀୟ ହସ୍ପିଟାଲର ରୂପ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ନିର୍ମାଣ ହେବ ବିରାଟ ଅଟ୍ଟାଳିକା । ସବୁ ଯାକ ବିଭାଗ ଗୋଟିଏ ଛାତ ତଳେ ରହିବ । ଖାଲି ହସ୍ପିଟାଲ ନୁହେଁ, ଏହାର ଚାରିପାଖ ରାସ୍ତାଘାଟ ଚେହେରା ବି ବଦଳିଯିବ । ଏକଦମ୍ ଚକାଚକ୍ ହେବ ରାସ୍ତା । ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ପୂର୍ତ୍ତ ବିଭାଗ ।
ମିଳିଥିବା ସୂଚନା ମୁତାବକ, ଏସ୍ସିବିର ଦୁଇ ପାଶ୍ୱର୍ ପ୍ରବେଶ ପଥ ଚକାଚକ୍ ହେବ । ମଙ୍ଗଳାବାଗ ପାଶ୍ୱର୍ ରାସ୍ତା ଆଉ ମୁଖ୍ୟ ପ୍ରବେଶ ପଥ ହୋଇ ରହିବନି । ଆଗାମୀଦିନରେ ରିଙ୍ଗ୍ରୋଡରୁ ସିଧା ଏସ୍ସିବିକୁ ଓସାରିଆ ବାଟ ଫିଟିବ । ରିଙ୍ଗ୍ରୋଡ୍ ପାଶ୍ୱର୍ ହିଁ ହେବ ଏସ୍ସିବିର ମୁଖ୍ୟ ପ୍ରବେଶ ପଥ । ଗାଡ଼ିମୋଟର, ଆମ୍ବୁଲାନ୍ସ ରିଙ୍ଗରୋଡରୁ ସିଧା ମେଡିକାଲ ଭିତରକୁ ଆରାମରେ ଯା’ଆସ କରିପାରିବ । ଏଥିପାଇଁ ରାସ୍ତା ପ୍ରଶସ୍ତିକରଣ କରାଯିବ । ଏହି ରାସ୍ତା ୪ ଲେନ୍ କିମ୍ବା ୬ ଲେନ୍ ହେବ । ଏଥିପାଇଁ ଭୁବନାନନ୍ଦ ଇଞ୍ଜିନିୟରିଂ କଲେଜ (ବୋସ୍) ଖେଳ ପଡ଼ିଆର କିଛି ଅଂଶ ରାସ୍ତା ପ୍ରଶସ୍ତିକରଣ ପାଇଁ ଯାଇପାରେ । ଏହା ବଦଳରେ ଉକ୍ତ ଶିକ୍ଷାନୁÂାନକୁ ମହାନଦୀ ପଠାରେ ନୂଆ ଖେଳ ପଡ଼ିଆ ଲାଗି ପର୍ଯ୍ୟାପ୍ତ ଜାଗା ଦିଆଯିବା ଯୋଜନା ଅଛି । ମେଡିକାଲକୁ ରିଙ୍ଗରୋଡରୁ ପ୍ରଶସ୍ତ ରାସ୍ତା ଫିଟିବା ପରେ ମଙ୍ଗଳବାଗ ରାସ୍ତାରେ ଭିଡ଼ କମିଯିବ ।
ତାଳଦଣ୍ଡା କେନାଲ୍ କଡ଼ ଦେଇ ମେଡିକାଲକୁ ଆସିଥିବା ରାସ୍ତା ମଧ୍ୟ ନୂଆ ରୂପ ନେବ । ଜୋବ୍ରା ପାଖରୁ ରାଣୀହାଟ ପର୍ଯ୍ୟନ୍ତ (ମେଡିକାଲ ଗେଟ୍ ପାଖ) ତାଳଦଣ୍ଡା କେନାଲ୍ର ଦୁଇ ପାଶ୍ୱର୍ ରାସ୍ତା ଚଉଡ଼ା ହେବ । କେନାଲର ଉଭୟ ପାଶ୍ୱର୍କୁ ୩ ଲେନ୍ ଲେଖାଏଁ ଚଉଡ଼ା କରାଯିବ । ଏଭଳି ଭାବେ ମୋଟ ୬ ଲେନ୍ ରାସ୍ତା ବାହାରିବ । ବର୍ତ୍ତମାନ ଏହି ରାସ୍ତା ସଙ୍କୁଚିତ ହୋଇ ଥିବାବେଳେ ଅନେକ ଜାଗାରେ ଜବରଦଖଲ ମାଡ଼ି ବସିଛି । ରାସ୍ତା ପ୍ରଶସ୍ତିକରଣ ପୂର୍ବରୁ ଜବରଦଖଲ ହଟାଯିବ ।
ନିକଟରେ କଟକ ମେଡିକାଲ କଲେଜର ଭିତ୍ତିଭୂମି ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଦୁଇ ଶହ ବର୍ଷ ତଳର ଏ ମେଡିକାଲ କଲେଜକୁ ଏମସ୍ ପ୍ଲସ ଅନୁÂାନ ଭାବେ ବିକଶିତ କରିବାକୁ ଘୋଷଣା କରାଯାଇଛି । ଏହାକୁ ନୂଆ ରୂପ ଦେବା ପାଇଁ ପୂର୍ତ୍ତ ବିଭାଗ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି ।
ମିଳିଥିବା ସୂଚନା ମୁତାବକ, ବଡ଼ ମେଡିକାଲ ପରିସରରେ ବିରାଟ ଅଟ୍ଟାଳିକା ନିର୍ମାଣ ହେବ । ଗୋଟିଏ ଛାତତଳେ ରୋଗୀଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେବ । ସବୁ ଯାକ ବିଭାଗ ଗୋଟିଏ କୋଠାରେ ରହିବ । ମେଡିକାଲ କ୍ୟାମ୍ପସ ଭିତରେ ଥିବା ଖେଳ ପଡ଼ିଆ ଜମିରୁ କିଛି ଏଥିପାଇଁ ବ୍ୟବହୃତ ହେବ । ଏହା ବଦଳରେ ମହାନଦୀ ପଠାରେ ଉନ୍ନତମାନର ଖେଳ ପଡ଼ିଆ ବ୍ୟବସ୍ଥା କରିବା ଯୋଜନା ରହିଛି । ଏହି ବିଶ୍ୱସ୍ତରୀୟ ହସ୍ପିଟାଲ ନିର୍ମାଣ ପାଇଁ
ମେଡିକାଲ ପଡ଼ିଆ ପାଖରେ ଥିବା ୬୦/୭୦ ବର୍ଷର ଆଜବେଷ୍ଟସ ଘରଗୁଡ଼ିକୁ ମଧ୍ୟ ଭଙ୍ଗାଯିବ । ପ୍ରାୟ ୩୦ ମହଲା ପର୍ଯ୍ୟନ୍ତ ଅଟ୍ଟାଳିକା ନିର୍ମାଣ କରାଯିବା ସମ୍ଭାବନା ରହିଛି ।
କଟକ ବଡ଼ ମେଡିକାଲକୁ ବିଶ୍ୱସ୍ତରୀୟ ରୂପ ଦେବା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରୟାସ ଚଳାଇଛନ୍ତି । ଏହି ପ୍ରକଳ୍ପରେ ସହାୟତା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପୂର୍ବତନ ଚିଫ୍ ଆର୍କିଟେକ୍ ଡକ୍ଟର ଚନ୍ଦ୍ରଶେଖରଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ସେ ପ୍ରକଳ୍ପର କନସଲଟାଣ୍ଟ ନିଯୁକ୍ତିରୁ ନେଇ ପୂରା ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କୁ ବାଟ ଦେଖାଇବେ । ଖୁବଶୀଘ୍ର ଏହି ପ୍ରକଳ୍ପ ଲାଗି ଏକ କନସଲଟାଣ୍ଟ ସଂସ୍ଥା ନିଯୁକ୍ତ କରାଯିବ । ଏଥିପାଇଁ ଆଗ୍ରହୀମାନଙ୍କ ଆବେଦନ ଆହ୍ୱାନ କରାଯାଇଛି । କନସଲଟାଣ୍ଟ ପ୍ରକଳ୍ପର ପ୍ଲାନ, ଡିଜାଇନ୍ ପ୍ରସ୍ତୁତ କରିବ । ପ୍ରକଳ୍ପ କାମକୁ ତଦାରଖ ମଧ୍ୟ କରିବ ।
Comments are closed, but trackbacks and pingbacks are open.