ବନ୍ଦ କୋଠରୀରେ ଜଳି ଗର୍ଭବତୀ ନବବଧୂଙ୍କ ମୃତୁ୍ୟ

Get real time updates directly on you device, subscribe now.

କେନ୍ଦୁଝର, (ବି.ବି.ନୁ୍ୟଜ୍): ବନ୍ଦ କୋଠରୀରେ ନିଆଁ ସଂସ୍ପର୍ଶରେ ଆସି ଜଣେ ୬ ମାସର ଗର୍ଭବତୀ ନବବଧୂ ପୋଡ଼ି ପ୍ରାଣ ହରାଇଛନ୍ତି । ଏଭଳି ଏକ ଲୋମଟାଙ୍କୁରା ଘଟଣା ସୋମବାର ରାତିରେ ଘଟିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅର୍ଶଳା ଗ୍ରାମରେ । ପ୍ରାଣ ହରାଇଥିବା ନବବଧୂ ଜଣକ ହେଉଛନ୍ତି ଅର୍ଶଳା ଗ୍ରାମର ପିତାମ୍ବର ମହାନ୍ତଙ୍କ ପୁତ୍ର ବଧୂ ତଥା ସାନ ପୁଅ କୁନାଲ ମହାନ୍ତଙ୍କ ପତ୍ନୀ ଲିଲିରାଣୀ ମହାନ୍ତ । ସେ ୬ ମାସର ଅନ୍ତଃସତ୍ୱା ଥିଲେ । ଘଟଣା ସମ୍ପର୍କରେ ମଙ୍ଗଳବାର ଖବର ପାଇବା ପରେ ଝିଅକୁ ଯୌତୁକ ପାଇଁ ଶାଶୁରଘର ଲୋକେ ପୋଡି ମାରି ଦେଇଥିବା ଝୁମ୍ପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଲିଲିରାଣୀଙ୍କ ମା’ ଦମୟନ୍ତୀ ମହାନ୍ତ । ମୃତ ଲିଲିରାଣୀଙ୍କ ମା’ଙ୍କ ଏତଲା ଆଧାରରେ ପୁଲିସ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ଘଟଣାର ଛାନ୍ଭିନ ଆରମ୍ଭ କରିଛି । ତେବେ ଘଟଣା ପରେ ମୃତ ନବବଧୂଙ୍କ ଶାଶୂ ଘରଛାଡ଼ି କେଉଁଆଡେ ଫେରାର ହୋଇ ଯାଇଥିବାରୁ ଲିଲିରାଣୀଙ୍କ ମୃତୁ୍ୟର କାରଣ ରହସ୍ୟଘେରରେ ରହିଛି ।
ସୂଚନା ମୁତାବକ, ଚମ୍ପୁଆ ଥାନା କରଞ୍ଜିଆ ନିକଟବର୍ତ୍ତୀ ରାଇଗୁଡି ଗ୍ରାମର ନୀଳକଣ୍ଠ ମହାନ୍ତଙ୍କ ଝିଅ ଲିଲିରାଣୀଙ୍କ ସହିତ ଝୁମ୍ପୁରା ଥାନା ଅର୍ଶଳା ଗ୍ରାମର ପିତାମ୍ବର ମହାନ୍ତଙ୍କ ପୁଅ କୁନାଲ ମହାନ୍ତଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିବାବେଳେ ୨ ପରିବାରର ସହମତିରେ ଗତ ୧୯/୦୮/୨୦୧୯ ରେ ଚମ୍ପୁଆ ରେଜେଷ୍ଟ୍ରି କାର୍ଯ୍ୟାଳୟରେ ଉଭୟଙ୍କ ମଧ୍ୟରେ ବିବାହ ହୋଇଥିଲା । କୁନାଲ ଜଣେ ଟ୍ରକ ଡା୍ରଇଭର । ହେଲେ ବିବାହର କିଛି ଦିନ ପରେ କୌଣସି କାରଣରୁ ଶାଶୁ ଓ ବୋହୁଙ୍କ ମଧ୍ୟରେ ତିକ୍ତ ସମ୍ପର୍କ ଆରମ୍ଭ ହୋଇ ଯାଇଥିଲା । ସବୁଦିନ ଶାଶୁ ଓ ବୋହୁଙ୍କ ମଧ୍ୟରେ ଟିକିଏ ଟିକିଏ କଥାରେ କଳି ଦ୍ୱନ୍ଦ୍ୱ ଲାଗି ରହିଥିଲା । ସମସ୍ୟାର ସମାଧାନ କରିବାକୁ ଯାଇ କୁନାଲ କେତେବେଳେ ଲିଲିରାଣୀଙ୍କୁ ଅଲଗା ରୋଷେଇ କରିବାକୁ କହୁଥିଲେ ତ ଆଉ କେତେବେଳେ ଏକାଠି ଖାଉଥିଲେ । ଲିଲିରାଣୀଙ୍କ ପିଉସୀ ଝିଅ ଭଉଣୀଙ୍କୁ ବିବାହ କରିଥିଲେ କୁନାଲଙ୍କ ବଡ଼ ଭାଇ ମହେନ୍ଦ୍ର ମହାନ୍ତ । ୨ ଭଉଣୀ ୨ ଯାଆ ହୋଇଥିଲେ ସୁଦ୍ଧା ସେମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ନଥିଲା । ମଝିରେ ମଝିରେ ଉଭୟଙ୍କ ମଧ୍ୟରେ କଥା କଟିକାଟି ଲାଗି ରହୁଥିଲା । ଇତିମଧ୍ୟରେ ବିବାହକୁ ୯ ମାସ ପୁରିଥିବାବେଳେ ଲିଲିରାଣୀ ୬ ମାସର ଅନ୍ତଃସତ୍ତ୍ୱା ହୋଇ ସାରିଥିଲେ ।
ଶ୍ୱଶୁରଘର ଲୋକଙ୍କ କହିବା ମୁତାବକ ସୋମବାର ରାତି ପାଖାପାଖି ୮ ଟା ସମୟରେ କୌଣସି କଥାକୁ ନେଇ ଶାଶୁ ଅହଲ୍ୟା ମହାନ୍ତଙ୍କ ସହ ଲିଲିରାଣୀଙ୍କ ଝଗଡ଼ା ହୋଇଥିଲା । ଉତ୍ତେଜିତ ହୋଇ ଶାଶୁ ଅହଲ୍ୟା ଲିଲିରାଣୀଙ୍କୁ ୨/୪ ଚାପୁଡା ମାଡ଼ ମାରିଥିଲେ । ଏହାପରେ ଲିଲିରାଣୀଙ୍କ ସ୍ୱାମୀ କୁନାଲ ଉଭୟଙ୍କୁ ବୁଝା ଶୁଝା କରିବା ପରେ ଲିଲିରାଣୀଙ୍କୁ କିଛି କିରାସିନି ଦେବା ସହ ଅଲଗା ରୋଷେଇ କରିବା ପାଇଁ କହିଥିଲେ ଏବଂ ଟ୍ରକ ଚଳାଇବା ପାଇଁ ଯାଇଥିଲେ । କିଛି ସମୟ ପରେ ରାତି ୯:୩୦ ପାଖାପାଖି ଲିଲିରାଣୀଙ୍କ କୋଠରୀ ଭିତରେ ହଠାତ୍ ନିଆଁ ଜଳିବା ସହ କିଛି ଜିନିଷ ପତ୍ର ପୋଡ଼ିବାର ଶବ୍ଦ ହୋଇଥିଲା ଏବଂ ଲିଲିରାଣୀ ଚିକ୍ରାର କରୁଥିବା ଶବ୍ଦ ଶୁଣିବାକୁ ପାଇଥିଲେ ପଡ଼ିଶା ଘର ଲୋକେ । ପରିବାର ଲୋକଙ୍କୁ ଏହା କହିବା ସହ ପରିବାର ଲୋକେ ଏବଂ ପଡ଼ିଶା ଲୋକେ ଦୌଡ଼ି ଯାଇ କବାଟ ଖୋଲିଥିଲେ ଏବଂ ପାଣି ଢାଳି ନିଆଁ ଲିଭାଇବା ପାଇଁ ପ୍ରୟାସ କରିଥିଲେ । ହେଲେ ସେତେବେଳକୁ ଜଳି ପୋଡି ଲିଲିରାଣୀ ପ୍ରାଣ ହରାଇ ସାରିଥିଲେ । କିଛି ସମୟ ପରେ ଖବର ପାଇ ଝୁମ୍ପୁରା ଦମକଳ ଗାଡ଼ି ସେଠାରେ ପହଞ୍ଚିଥିଲେ ହେଁ ସେତେବେଳକୁ ସବୁ ସରି ଯାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ଝୁମ୍ପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।
ମଙ୍ଗଳବାର ସକାଳେ ଲିଲିରାଣୀଙ୍କ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣି ଅର୍ଶଳା ଗ୍ରାମରେ ପହଞ୍ଚିଥିବାବେଳେ ଝିଅକୁ ଯୌତୁକ ପାଇଁ ପୋଡ଼ି ମାରି ଦିଆଯାଇଛି ବୋଲି ଝୁମ୍ପୁରା ଥାନାରେ ଲିଲିରାଣୀଙ୍କ ମା’ ଦମୟନ୍ତୀ ମହାନ୍ତଙ୍କ ପକ୍ଷରୁ ଲିଖିତ ଏତଲା ଦିଆଯାଇଥିଲା । ଦମୟନ୍ତୀଙ୍କ ଅଭିଯୋଗ ମୁତାବକ ବିବାହ ସମୟରେ କିଛି ଯୌତୁକ ଦରକାର ନାହିଁ ବୋଲି କହିଥିବା ଲିଲିରାଣୀର ଶ୍ୱଶୁର ଘର ଲୋକେ ଏବଂ ଜ୍ୟାଇଁ କୁନାଲ ମହାନ୍ତ ବିବାହର କିଛି ମାସ ପରେ ବାପଘରୁ ଗୋଟିଏ ମଟର ସାଇକେଲ ଏବଂ ଗୋଟିଏ ପାୱାର ଟିଲର ଆଣିବା ପାଇଁ ଲିଲିରାଣୀଙ୍କ ଉପରେ ଚାପ ପକାଉଥିଲେ । ଏପରିକି ଯଦି ନ ଆଣିବୁ ତୋତେ ପିଟି ପିଟି ମାରି ଦିଆଯିବ ବୋଲି କହୁଥିଲେ । ମୋ ବାପା ଜଣେ ଗରିବ ଲୋକ କେଉଁଠୁ ଏତେ ଟଙ୍କା ପାଇବ ବୋଲି ଲିଲିରାଣୀ କହିବାରୁ ତାକୁ ତା ସ୍ୱାମୀ କୁନାଲ ମହାନ୍ତ,ଶ୍ୱଶୁର ପିତାମ୍ବର ମହାନ୍ତ, ଶାଶୁ ଅହଲ୍ୟା ମହାନ୍ତ,ବଡ ଭାଇ ମହେନ୍ଦ୍ର ମହାନ୍ତ ତଥା ଯାଆ ସୁସ୍ମିତା ମହାନ୍ତ ଷଡ଼ଯନ୍ତ୍ର କରି ପୋଡ଼ି ମାରି ଦେଇଛନ୍ତି ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ଦମୟନ୍ତୀ ।
ମୃତ ଲିଲିରାଣୀଙ୍କ ମାଙ୍କ ଏତଲା ଆଧାରରେ ଝୁମ୍ପୁରା ପୁଲିସ ଏ ସଂକ୍ରାନ୍ତରେ ଦଫା ୪୯୮(କ)/୩୦୨/୩୦୪(ଖ) ତଥା ଯୌତୁକ ନିରୋଧ ଆଇନ ୪ ସମ୍ବଳିତ ଏକ ଯୌତୁକ ହତ୍ୟା ଜନିତ ମାମଲା ୬/୨୦୨୦ ରୁଜ୍ଜୁ କରି ଛାନଭିନ ଆରମ୍ଭ କରିଛି । ମାଜିଷ୍ଟେ୍ରଟ ତଥା ଅତିରିକ୍ତ ତହସିଲଦାର କ୍ରେସେନିଆ ତିର୍କୀଙ୍କ ଉପସ୍ଥିତିରେ ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ତେବେ ଘଟଣାର ମୂଖ୍ୟ ନାୟିକା କୁହାଯାଉଥିବା ଶାଶୁ ଅହଲ୍ୟା ମହାନ୍ତ ଘର ଛାଡ଼ି କେଉଁଆଡେ଼ ଚାଲି ଯାଇଥିବାରୁ ଘଟଣା ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ । ଘଟଣା ଉପରୁ ପରଦା ଉଠାଇବା ପାଇଁ ଝୁମ୍ପୁରା ଥାନା ଅଧିକାରୀ ବିରଞ୍ଚି ବାଗ ତଦନ୍ତ ଜାରି ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons