ବନ୍ଦ ଯୋଗୁ ୩୦୦ କୋଟିର ଖୁଚୁରା କାରବାର ମାଡ଼

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କୃଷି ଆଇନ ବିରୋଧରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ୨୦ ରାଜନୈତିକ ଦଳ ଓ ୧୦ ଶ୍ରମିକ ସଂଘ ସମର୍ଥନ ଜଣାଇଥିଲେ । ଓଡ଼ିଶାରେ ବନ୍ଦର ମିଶ୍ରିତ ପ୍ରଭାବ ପଡ଼ିଥିଲେ ମଧ୍ୟ ୩ଶହ କୋଟି ଟଙ୍କାର ଖୁଚୁରା କାରବାର ପ୍ରଭାବିତ ହୋଇଥିବା ବଜାର ବିଶେଷଜ୍ଞ କହିଛନ୍ତି ।
ସମଗ୍ର ଦେଶରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚକା ଜାମ୍ ହୋଇଥିଲା । ରାଜ୍ୟରେ ଜୀବନଯାତ୍ରା କିଛି ମାତ୍ରାରେ ପ୍ରଭାବିତ ହୋଇଥିବାବେଳେ ବ୍ୟବସାୟିକ ପ୍ରତିÂାନ, ଦୋକାନ ବଜାର, ପେଟ୍ରୋଲ ପମ୍ପଗୁଡ଼ିକ ବନ୍ଦ ରହିଥିଲା । ପୂର୍ବାହ୍ନ ୧୧ଟାରୁ ବିଭିନ୍ନ ସ୍ଥାନରେ ପିକେଟିଂ ଆରମ୍ଭ ହୋଇଯାଇଥିଲା । ବନ୍ଦ ଯୋଗୁ ମୁଖ୍ୟତଃ ଛୋଟ ବଡ଼ ଦୋକାନଗୁଡ଼ିକରେ ଖୁଚୁରା କାରବାର ପ୍ରଭାବିତ ହୋଇଥିବା ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ପ୍ରକାଶ କରିଛନ୍ତି ।
ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି, ସହର ଗୁଡ଼ିକରେ ନିତିଦିନିଆ ବେପାର କରୁଥିବା ରାସ୍ତା ପାଶ୍ୱର୍ ଓ ଛୋଟବଡ଼ ଦୋକାନଗୁଡ଼ିକ ବନ୍ଦ ରହିଥିଲା । ରାଜ୍ୟରେ ଦିନକୁ ପ୍ରାୟ ୪୫୦ କୋଟିର ଖୁଚୁରା କାରବାର ହୋଇଥାଏ । ବସ୍ ଚଳାଚଳ ବନ୍ଦ ରହିଥିଲା । ତେଣୁ ପରିବହନ କ୍ଷତିକୁ ଯଦି ମିଶାଯାଏ ତା’ହେଲେ ବନ୍ଦରେ ପ୍ରାୟ ୩୦୦ କୋଟିର କାରବାର ଠପ୍ ହୋଇଛି । ତେବେ ଚାଷୀଙ୍କ ଦାବିକୁ ବ୍ୟବସାୟୀ ସଂଘର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ସେ କହିଛନ୍ତି । କୃଷକ ସଂଘଗୁଡିକ ଯେଉଁ ଦାବି ରଖିଛନ୍ତି ତାହା ଯଥାର୍ଥ । ଏହା ଉପରେ କେନ୍ଦ୍ର ସରକାର ବିଚାର କରିବା ଦରକାର । ତରବରିଆ ଭାବେ ଯଦି ବନ୍ଦ ଡାକରା ଦିଆଯାଇ ନ ଥାନ୍ତା ତା’ହେଲେ ଏହା ଅଧିକ ପ୍ରଭାବଶାଳୀ ହୋଇଥାନ୍ତା ବୋଲି ପଣ୍ଡା ପ୍ରକାଶ କରିଛନ୍ତି ।
ରାଜ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ଥିଲା । ଏହା ପରେ ପିକେଟିଂ ହେବାରୁ ଏଗୁଡିକ ଅପରାହ୍ନ ୪ଟା ଯାଏ ବନ୍ଦ ରହିଥିଲା । ଏଥିଯୋଗୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପ୍ରାୟ ୪୪ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଥିବା ଉ+ଳ ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି । ଶ୍ରୀ ଲାଠ କହିଛନ୍ତି, ଦିନକୁ ରାଜ୍ୟରେ ପ୍ରାୟ ୨୮,୨୯,୦୦୦ ଲିଟର ପେଟ୍ରୋଲ ଏବଂ ୮୩,୦୫,୦୦୦ ଲିଟର ଡିଜେଲ ବିକ୍ରି ହୋଇଥାଏ । ବନ୍ଦ ଯୋଗୁ ମଙ୍ଗଳବାର ବିକ୍ରି ୮୦ଧ ପ୍ରଭାବିତ ହୋଇଛି । ୨୨,୬୩,୦୦୦ ଲିଟର ପେଟ୍ରୋଲ ଏବଂ ୬୬,୪୪,୦୦୦ ଲିଟର ଡିଜେଲ ବିକ୍ରି ହୋଇପାରିନାହିଁ । ଏହାର ମୂଲ୍ୟ ଯଥାକ୍ରମେ ୧୯.୦୮ କୋଟି ଟଙ୍କା ଏବଂ ୫୩.୪୭ କୋଟି ଟଙ୍କା ହେବ । ମୋଟାମୋଟି ଭାବେ ରାଜ୍ୟରେ ୭୨.୫୫ କୋଟିର ତୈଳ କାରବାର ଠପ୍ ହୋଇଥିବା ଶ୍ରୀ ଲାଠ ପ୍ରକାଶ କରିଛନ୍ତି ।
ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନ୍ଫେଡେରେସନ୍(ଏଆଇବିଓସି)ର ରାଜ୍ୟ ସଭାପତି ଦାମୋଦର ନନ୍ଦ କହିଛନ୍ତି, ବ୍ୟାଙ୍କିଙ୍ଗ୍ କାରବାର ଆଂଶିକ ହୋଇଥିଲା । ପାଖାପାଖି ୨,୦୦୦ କୋଟିର ବ୍ୟାଙ୍କ କାରବାର ବ୍ୟାହତ ହୋଇଛି । ଚେକ୍ କ୍ଲିୟରାନ୍ସ, ସରକାରୀ ଟ୍ରାଞ୍ଜାକ୍ସନ ସହ ଅନ୍ୟାନ୍ୟ ବ୍ୟାଙ୍କ କାରବାର ପ୍ରଭାବିତ ହୋଇଥିବା ଶ୍ରୀ ନନ୍ଦ ପ୍ରକାଶ କରିଛନ୍ତି । ଚାଷୀମାନଙ୍କ ଦାବିକୁ ସଂଘ ସମର୍ଥନ କରୁଥିବା ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons