ବନ୍ୟା ତାଣ୍ଡବ ଜାରି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦେଶର ୧୦ ରାଜ୍ୟରେ ବର୍ଷା ଓ ବନ୍ୟା ବିତ୍ପାତ ଜାରି ରହିଛି । ଏଥିରେ ୧୨ଲକ୍ଷ ଲୋକ ପ୍ରଭାବିତ ହୋଇଥିଲା ବେଳେ ୨୨୧ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ସେହିଭଳି ୭୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।
ଉତ୍ତରାଖଣ୍ଡ ଓ ଜମ୍ମୁ-କାଶ୍ମୀରରେ ଆଜି ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁ ୯ ଜଣ ପ୍ରାଣ ହରାଇଥିଲା ବେଳେ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜରାଟରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟକୁ ଜୋର୍ଦାର କରାଯାଇଛି । ଏହି ୪ ରାଜ୍ୟରେ ମୃତ୍ୟୁସଂଖ୍ୟା ୧୭୩ରେ ପହଞ୍ôଚଥିଲା ବେଳେ କେବଳ କେରଳରେ ୭୬ ଜଣଙ୍କର ମୃତ୍ୟୁ ହୋଇଛି । ଉପରୋକ୍ତ ୪ ରାଜ୍ୟରେ ୩ ହଜାର ସେନା ଯବାନଙ୍କୁ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ସେମାନେ ପାଣି ଘେରରୁ ୩୫ ହଜାର ଲୋକଙ୍କୁ ଉଦ୍ଧାର କରିଛନ୍ତି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସେନା, ବାୟୁସେନା, ନୌସେନା, ଏନ୍୍ଡିଆରଏଫ, ଏସ୍ଡିଆରଏଫ, ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ପ୍ରଶାସନିକ ଅଧିକାରୀ ଟିମ୍ଙ୍କୁ ନିୟୋଜିତ କରାଯାଇଛି ।
ଗୁଜରାଟର କଚ୍ଛ ଅଞ୍ଚଳରେ ରାସ୍ତା ଧୋଇଯିବା ଯୋଗୁ ଫସି ରହିଥିବା ୧୨୫ ଜଣଙ୍କୁ ବାୟୁସେନା ଉଦ୍ଧାର କରିଛି । ସେପଟେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଧୋଇଯାଇଥିବା ରାସ୍ତା ଓ ପୋଲର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଉତ୍ତରାଖଣ୍ଡରେ ଚାମୋଲି ଜିଲ୍ଲାରେ ଆଜି ହଠାତ୍ ପ୍ରବଳ ବର୍ଷା ଓ ବନ୍ୟାପାଣି ମାଡି ଆସିଥିଲା । ଏଥିସହିତ ଭୂସ୍ଖଳନ ମଧ୍ୟ ଘଟିଥିଲା । ଫଳରେ ଜିଲ୍ଲାର ୩ଟି ଗ୍ରାମ ବଞ୍ଜବଗଡ, ଆଲିଗାଓଁ ଓ ଲନ୍ଖି କ୍ଷତିଗ୍ରସ୍ତ ହୋଇଛି । ଏଥିରେ ଜଣେ ମହିଳା ଓ ତାଙ୍କର ୯ମାସର ଶିଶୁକନ୍ୟା ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି । ବନ୍ୟାରେ ବିକାଶ ଖଣ୍ଡ ଘାଟ ଅନ୍ତର୍ଗତ ଚୁଫ୍ଲାଗଡ ନଦୀକୂଳରେ ଥିବା ଦୁଇଟି କୋଠାଘର ଭୁଶୁଡି ପଡିଥିଲା । ଆଗାମୀ ୧୬ ତାରିଖ ପର୍ଯ୍ୟନ୍ତ ଚାମୋଲି ସମେତ ରୁଦ୍ରପ୍ରୟାଗ, ଉତ୍ତରକାଶୀ, ତେହରି, ହରିଦ୍ୱାର, ବାଗେଶ୍ୱର, ପିଥୋରଗଡ, ଚମ୍ପାୱତ, ନୈନିତାଲ ଓ ଉଦ୍ଧାମସିଂହ ନଗରରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ସେହିଭଳି ଜମ୍ମୁ-କାଶ୍ମୀରର ରିଆସି ଜିଲ୍ଲା ଅନ୍ତର୍ଗତ ଲାର ଗ୍ରାମରେ ଭୂସ୍ଖଳନ ଯୋଗୁ ଗୋଟିଏ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ ସମେତ ଅନ୍ୟ କେତେକ ରାଜ୍ୟରେ ବର୍ଷା ଓ ବନ୍ୟା ଯୋଗୁ ବନ୍ଦ ହୋଇଯାଇଥିବା ଜାତୀୟ ରାଜପଥ ମଧ୍ୟରୁ ଆଜି କିଛି ଖୋଲିଛି । ଫଳରେ ବିଭିନ୍ନ ରାଜ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସମ୍ଭବ ହୋଇପାରିଛି । ଗତ ୬ ଦିନ ହେଲା କୋହ୍ଲାପୁର ନିକଟରେ ବନ୍ଦ ରହିଥିବା ମୁମ୍ବାଇ-ବେଙ୍ଗାଲୁରୁ ୪ ନମ୍ବର ଜାତୀୟ ରାଜପଥ ଆଜି ଖୋଲିଛି । ସେହିଭଳି କୋହ୍ଲାପୁର ଓ ବେଲଗାମ ମଧ୍ୟରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି । ଇତିମଧ୍ୟରେ ମହାରାଷ୍ଟ୍ର ଓ ଉତ୍ତର କର୍ଣ୍ଣାଟକରେ ବନ୍ୟାଜଳ ହ୍ରାସ ପାଇଥିବାର ଖବର ମିଳିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦିୟୁରପ୍ପା ବନ୍ୟାଞ୍ଚଳ ଗସ୍ତ କରିଛନ୍ତି । ସେ ବନ୍ୟାରେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ଘର ପାଇଁ ୫ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ସେହିଭଳି ମୃତ ବ୍ୟକ୍ତିଙ୍କ ପରିବାରକୁ ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ । ଏଥିସହିତ ପ୍ରତ୍ୟେକ ପ୍ରଭାବିତ ପରିବାରକୁ ତୁରନ୍ତ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ସେ କହିଛନ୍ତି ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ନିଜ ନିର୍ବାଚନମଣ୍ଡଳୀ ୱାୟନାଡର ସବୁଠାରୁ କ୍ଷତିଗ୍ରସ୍ତ ପୁଥୁମାଲ ଅଞ୍ଚଳ ପରିଦର୍ଶନ କରିଛନ୍ତି । ମୁଣ୍ଡେରୀ ରିଲିଫ କ୍ୟାମ୍ପରେ ରହିଥିବା ଲୋକଙ୍କୁ ଭେଟିଛନ୍ତି । ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି ଏବଂ ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ୱାୟନାଡ ଓ ମାଲାପୁରମ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଯିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons