ବରମୁଣ୍ଡା ବସ୍ଷ୍ଟାଣ୍ଡରେ ହୁତୁହୁତୁ ହୋଇ ଜଳିଗଲା ବସ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବରମୁଣ୍ଡା ବସ୍ଷ୍ଟାଣ୍ଡର ପାର୍କିଂ କରିଥିଲା ଯାତ୍ରୀବାହୀ ବସ୍ । ଗାଡି଼ରେ ବିଶ୍ରାମ ନେଉଥିଲେ କଣ୍ଡକ୍ଟର । ଆଉ କିଛି ଘଣ୍ଟା ପରେ ବସ୍ଟି କଳାହାଣ୍ଡି ଅଭିମୁଖେ ବାହାରିଥାନ୍ତା । ହେଲେ ହଠାତ୍ ନିଆଁ ଲାଗିଗଲା ବସ୍ରେ । ମାତ୍ର ୧୦ ମିନିଟ୍ରେ ଜଳିପୋଡି଼ ପାଉଁଶ୍ ହୋଇଗଲା ସମ୍ପୂର୍ଣ୍ଣ ବସ୍ । ନିଆଁ ଧାସ ବାଜିବା ମାତ୍ରେ କଣ୍ଡକ୍ଟର ବସ୍ରୁ ଡେଇଁପଡ଼ି ବର୍ତ୍ତି ଯାଇଛନ୍ତି । ଧ୍ୱଂସପ୍ରାପ୍ତ ଯାତ୍ରୀବାହୀ ବସ୍ର ନାଁ ହେଉଛି ‘ଚକାଡ଼ୋଳା’ । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାନ୍ତି । ପାଖରେ ପାର୍କିଂ ହୋଇଥିବା ବସ୍ ଗୁଡ଼ିକ ମଧ୍ୟ ବିପତ୍ତିରୁ ବର୍ତ୍ତି ଯାଇଛନ୍ତି ।

ଚକାଡ଼ୋଳା ବସ୍ ଭୁବନେଶ୍ୱରରୁ କଳାହାଣ୍ଡିର ମୁଖିଗୁଡ଼ାକୁ ଯାତାୟାତ କରେ । ଗତକାଲି ରାତିରେ ମୁଖିଗୁଡ଼ାରେ ବାହାରି ସକାଳେ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ପହଞ୍ଚି ଥିଲା । ଡ୍ରାଇଭର ସେଠାରେ ଗାଡି ପାର୍କିଂ କରି ବାହାରକୁ ଯାଇଥିଲେ । ବସ୍ରେ କଣ୍ଡକ୍ଟର ଶୋଇଥିଲେ । ସନ୍ଧ୍ୟା ୬ଟା ବେଳେ ପୁଣି ବସ୍ଟି ମୁଖିଗୁଡ଼ା ଅଭିମୁଖେ ଯାତ୍ରା କରିଥାନ୍ତା । ଅପରାହ୍ଣ ପ୍ରାୟ ସାଢ଼େ ୧ଟା ବେଳେ ଛବିରାଣୀ ବାରିକ ନାମ୍ନୀ ଜଣେ ଯାତ୍ରୀ ବ୍ୟାଗ୍ ରଖିବା ଉଦ୍ଦେଶ୍ୟରେ ବସ୍କୁ ଚଢ଼ିଥିଲେ । ବସ୍ର ପଛ ସିଟ୍ରେ ନିଆଁ ଲାଗିଥିବା ଦେଖି ସେଠାରେ ଶୋଇଥିବା କଣ୍ଡକ୍ଟରଙ୍କୁ ଉଠାଇ ବାହାରକୁ ପଳାଇ ଆସିଥିଲେ ।

ଦେଖୁ ଦେଖୁ ବସ୍ର ଚାରିଆଡ଼େ ନିଆଁ ବ୍ୟାପି ଯାଇ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା । ବସଷ୍ଟାଣ୍ଡ କଳାଧୂଆଁରେ ଢ଼ାଙ୍କି ହୋଇଘଲା । ବସ୍ରେ ନିଆଁ ଦେଖି ଅନ୍ୟ ବସ୍ କର୍ମଚାରୀ ଓ ଯାତ୍ରୀଙ୍କ ମଧ୍ୟରେ ଛନକା ପଶିଗଲା । ଜୀବନ ବିକଳରେ ଚକାଡୋଳା ବସ୍ କଡ଼ରେ ପାର୍କିଂ ହୋଇଥିବା ଅନ୍ୟ ବସ୍ଗୁଡି଼କୁ ହଟା ଯାଇଥିଲା । କଳ୍ପନା ଛକ ଫାୟାର ଷ୍ଟେସନରୁ ୩ଟି ଦମକଳ ଗାଡି଼ ଘଟଣାସ୍ଥଳକୁ ଯାଇଥିଲା । ଦମକଳ ଟିମ୍ ମିଳିତ ଭାବେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ସେତେବେଳକୁ ବସ୍ଟି ସମ୍ପୂର୍ଣ୍ଣ ଜଳି ସାରିଥିଲା । ଅଗ୍ନିଶମ ବିଭାଗ କହିଛି, ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନାହିଁ । ତେବେ ବସ୍ରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଥିବାରୁ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗି ଥାଇପାରେ ବୋଲି ଆଶଙ୍କା କରାଯାଉଛି । ଏନେଇ ତଦନ୍ତ ଚାଲିଛି । ଚକାଡ଼ୋଳା ବସ୍ ଚାରିପାଖେ ୩-୪ ବସ୍ ପାର୍କିଂ ହୋଇଥିଲା । ଏହାପରେ ଲମ୍ବା ଲାଇନ୍ରେ ଶତାଧିକ ବସ୍ ପାର୍କିଂ ହୋଇଥିଲା । ଅନ୍ୟ ବସ୍ଗୁଡିକୁ ନିଆଁ ବ୍ୟାପିବାର ସମ୍ଭାବନା ଥିଲା । ଚକାଡୋଳାରେ ନିଆଁ ଲାଗିବା ଦେଖି ଅନ୍ୟ ବସ୍ କର୍ମଚାରୀଙ୍କ ମନରେ ଛନକା ପଶି ଯାଇଥିଲା । ସମସ୍ତେ ନିଜ ନିଜର ବସ୍କୁ ସେଠାରୁ କାଢ଼ି ନିରାପଦ ସ୍ଥାନକୁ ନେଇ ଯାଇଥିଲେ ।

ନିଆଁ ଲାଗିବା ଦେଖି ଯାତ୍ରୀମାନେ ଆତଙ୍କିତ ହୋଇ ଯାଇଥିଲେ । କିଛି ଲୋକ ଭୟରେ ଚିକ୍ରାର କରିବାକୁ ଲାଗିଲେ । ବସ୍ର ତେଳ ଟାଙ୍କିରେ ଡିଜେଲ ଥିବାରୁ ବସ୍ଟି ବିସ୍ପୋରଣ ହେବାର ଆଶଙ୍କା ଦେଖା ଦେଇଥିଲା । ତେଣୁ ଜୀବନ ବଞ୍ଚାଇବା ପାଇଁ ଯାତ୍ରୀମାନେ ଏଣେତେଣେ ଧାଇଁବାକୁ ଲାଗିଲେ । କିଛି ଯାତ୍ରୀ ମୋବାଇଲ୍ ଯୋଗେ ଜଳୁଥିବା ବସ୍ର ଭିଡିଓ ଉତ୍ତୋଳନ କରିଥିଲେ । ବରମୁଣ୍ଡା ବସ୍ଷ୍ଟାଣ୍ଡରେ ପ୍ରତିଦିନ ଶହ ଶହ ବସ୍ ଯା’ ଆସ କରୁଛି । ୧୦୦ରୁ ଅଧିକ ଯାତ୍ରୀବାହୀ ନାଇଟ୍ କୋଚ୍ ବସ୍ ଦିନତମାମ ବସ୍ଷ୍ଟାଣ୍ଡରେ ପାର୍କିଂ କରାଯାଉଛି । ପ୍ରାୟ ସବୁ ବସ୍ରେ ଇନ୍ଧନ ତୈଳ ଭରପୂର ରହୁଛି । ହେଲେ ବସ୍ଷ୍ଟାଣ୍ଡରେ ଆକସ୍ମିକ ଅଗ୍ନିକାଣ୍ଡ ପ୍ରତିହତ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏପରିକି ନିକଟସ୍ଥ ଫାୟାର ଷ୍ଟେସନ ଠାରେ ଥିବା ତାଲିମ୍କେନ୍ଦ୍ରରେ ଏବେ ଦମକଳ ଗାଡି ରଖାଯାଉନି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons