ବର୍ଷାଙ୍କ ବୟାନ ରେକର୍ଡ କଲା ପୁଲିସ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ): ଓଲିଉଡ୍ର ବହୁଚର୍ଚ୍ଚିତ ଷ୍ଟାର୍-ଦମ୍ପତି ଅନୁଭବ-ବର୍ଷାଙ୍କ ବିବାହ-ବିବାଦ ମାମଲା ଇତିମଧ୍ୟରେ ନୂଆ ମୋଡ଼ ନେଇ ଥାନାଯାଏ ଯାଇସାରିଛି । ଶୁକ୍ରବାର ରାତିରେ ବର୍ଷାଙ୍କ କୋଠରି ବାହାରେ ତାଲା ପକାଇବା ନେଇ ସୃଷ୍ଟି ହୋଇଥିବା ବିବାଦ ବି କ୍ରମେ ଘନେଇବାକୁ ଲାଗିଛି । ବର୍ଷାଙ୍କ ଏତଲା ପରେ ପୁଲିସ ଗତକାଲି ବଧୂ ନିର୍ଯାତନା ଧାରାରେ ଏକ ମାମଲା ରୁଜୁ କରିଥିଲା । ଆଜି ପୁଲିସ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ବର୍ଷାଙ୍କୁ ଥାନାକୁ ଡାକି ତାଙ୍କ ବୟାନ ରେକର୍ଡ କରାଇଛି । ତେବେ ଏହି ମାମଲାର ତଦନ୍ତ ଲମ୍ବା ସମୟ ଚାଲିବ ବୋଲି ଆଶଙ୍କା କରାଯାଉଛି । ଏପରିକି ଦୁହିଙ୍କ ପ୍ରେମ ସମ୍ପର୍କଠାରୁ ଆରମ୍ଭ କରି ବିବାହ, ବିବାହ ପରେ ସୃଷ୍ଟି ହୋଇଥିବା ବିବାଦ ଓ ଘୃଣା ପର୍ଯ୍ୟନ୍ତ ତଦନ୍ତ ଚାଲିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି ।
ଗତ ଶୁକ୍ରବାର ରାତିରେ ବର୍ଷା ଘର ବାହାରକୁ ଯାଇଥିଲେ । ଫେରି ଦେଖିଲା ବେଳକୁ ଘରେ ତାଲା ପଡ଼ିଛି । ତେଣୁ ସେ ପୁଲିସକୁ ଫୋନ୍ କରି ସେଠାରେ ହୋହାଲ୍ଳା କରିଥିଲେ । ପରେ ଅନୁଭବଙ୍କର ଜଣେ ସହକର୍ମୀ ଚାବି ଆଣି ତାଲା ଖୋଲିଥିଲେ । ଏହି ତାଲା ପକାଇବା ଘଟଣା ଅନୁଭବଙ୍କ ଦ୍ୱାରା ପ୍ରାୟୋଜିତ ଓ ଏଥି ପାଇଁ ସେ ମାନସିକ, ଶାରୀରିକ ନିର୍ଯାତନାର ଶିକାର ହୋଇଛନ୍ତି ବୋଲି ବର୍ଷା ପୁରୀଘାଟ ଥାନାରେ ଏତଲା ଦାଏର କରିଥିଲେ । ପୁଲିସ ଆଇପିସିର ଧାରା ୪୯୮-ଏ’ରେ ମାମଲା ରୁଜୁ କରିଛି ଓ ଏହାର ତଦନ୍ତ ଭାର ଜଣେ ମହିଳା ଏସ୍ଆଇଙ୍କୁ ପ୍ରଦାନ କରାଯାଇଛି । ଏହି କ୍ରମରେ ଆଜି ମାମଲାର ତଦନ୍ତକାରୀ ଅଧିକାରୀ ବର୍ଷାଙ୍କୁ ଥାନାକୁ ଡକାଇ ତାଙ୍କ ବୟାନକୁ ସିଆର୍ପିସିର ଧାରା ୧୬୧ରେ ରେକର୍ଡ କରାଇଛନ୍ତି । ଏହି ବୟାନ ବର୍ଷା ଓ ଅନୁଭବଙ୍କ ପ୍ରେମ ସମ୍ପର୍କଠାରୁ ଆରମ୍ଭ ହୋଇ ଏଯାବତ୍ର ଘଟଣାକ୍ରମ ବିଷୟରେ ରହିଥିଲା । ତେଣୁ ବର୍ତ୍ତମାନ ପୁଲିସ ଅନୁଭବ-ବର୍ଷାଙ୍କ ପ୍ରେମ, ଘୃଣାର ଇତିହାସ ଖୋଳିବ । ସେମାନେ କିପରି ବିବାହ ବନ୍ଧନରେ ପଡ଼ିଲେ ଓ ତା ପରେ କିପରି ସମ୍ପର୍କରେ ତିକ୍ତତା ଆସିଲା ତାହାର ଖୋଳତାଡ଼ କରିବ । ତେଣୁ ଦୁଇ ସେଲିବ୍ରିଟି ଆଗକୁ ବହୁ ବାର ଥାନା ଓ କୋର୍ଟକୁ ଦୌଡ଼ିବା ଏବେ ନିଶ୍ଚିତ ମନେହେଉଛି । ଏହି ଘଟଣାରେ ଖୁବ୍ ଶୀଘ୍ର ଅନୁଭବଙ୍କୁ ନୋଟିସ୍ ଜାରି କରାଯାଇ ପକ୍ଷ ରଖିବା ପାଇଁ ପୁଲିସ ଥାନାକୁ ଡକାଇବ । ଏପରିକି ଏହି ଘଟଣାରେ ଅନୁଭବଙ୍କ ବାପା-ମା ଏବଂ ଘରେ ଥିବା ଅନ୍ୟ ସହକର୍ମୀମାନେ ମଧ୍ୟ ଜେରାର ସମ୍ମୁଖୀନ ହୋଇପାରନ୍ତି ବୋଲି ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons