ବର୍ଷାରେ ବେହାଲ ଗୁଣପୁର ସହର

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ୍): ଦୁଇ ଦିନର ବର୍ଷା ପରେ ଆଜି ପାଗ ଶୁଖିଲା ଥିଲା । ହଠାତ୍ ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ । ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ମୂଷଳ ଧାରାରେ ଅଜାଡ଼ିଲା । ପାହାଡ଼ରୁ ବି ମାଡ଼ି ଆସିଲା ବର୍ଷାଜଳ । ଦେଖୁ ଦେଖୁ ପୂରା ସହର ପାଣିରେ ଉବୁଟୁବୁ ହୋଇଗଲା । ସୃଷ୍ଟି ହେଲା କୃତ୍ରିମ ବନ୍ୟା ପରିସ୍ଥିତି । ଜଳବନ୍ଦୀ ହୋଇଗଲା ଅଧିକାଂଶ ଜନବସତି । ଅନେକଙ୍କ ଘରେ ପାଣି ପଶିଗଲା । ପରିସ୍ଥିତି ଏମିତି ହେଲା ଯେ, ଉଦ୍ଧାର କାମରେ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ପଡ଼ିଲା ।
ମାତ୍ର ୨ ଘଣ୍ଟାର ଅବିଶ୍ରାନ୍ତ ବର୍ଷାରେ ସହର ବେହାଲ୍ । ରାସ୍ତାଘାଟ, ଜମିବାଡି, ବଜାର, ବସ୍ଷ୍ଟାଣ୍ଡ ଜୁଆଡେ ଦେଖିଲେ ଖାଲି ପାଣି ଆଉ ପାଣି । ପରିସ୍ଥିତି ଏମିତି ହୋଇଥିଲା ଯେ, ସନ୍ଧ୍ୟାରେ ଲୋକେ ଘରୁ ବାହାରି ପାରିନଥିଲେ । ସହରକୁ ଲାଗି ରହିଥିବା ଲଣ୍ଡା ପାହାଡ଼ରୁ ହଠାତ୍ ପ୍ରବଳ ବେଗରେ ପାଣି ମାଡ଼ିଆସିବାରୁ ଜଳଘେରରେ ରହିଯାଇଥିଲା ସହରର ଅଧିକାଂଶ ଅଞ୍ଚଳ । ଜଳ ନିଷ୍କାସରେ ସମସ୍ୟା ଯୋଗୁ ଅନେକ ଘରେ ପାଣି ପଶିଯାଇଥିଲା । ମନ୍ଦର ବି ବାଦ୍ ପଡ଼ିନଥିଲା । ବିଶେଷ କରି ପାହାଡ଼ ତଳେ ଥିବା ଜଗନ୍ନାଥନଗର, କରଣଗୁଡା, ବାଇପାସ୍ ଅଞ୍ଚଳ, ବାବୁଲି ନଗର, ଶିବଶକ୍ତି ଲେନ୍, ବଳରାମ ନଗରର ବିଭିନ୍ନ ଅଞ୍ଚଳ, ମହିମାନଗର, ଶିଶୁମନ୍ଦିର ଅଞ୍ଚଳ, କୋର୍ଟ ତ୍ରିନାଥ ମନ୍ଦିର ଅଞ୍ଚଳ ତଥା ଶବର ବିହାରରୁ ବର୍ଷାଜଳ ବାଇପାସ ଛକଦେଇ ନୂଆ ବସଷ୍ଟାଣ୍ଡ ପଛପଟ ପୋଖରୀକୁ ଗଡ଼ିଥିଲା । ଫଳରେ ବାଇପାସ୍ ଛକରେ ବହୁ ସମୟ ଧରି ଆଣ୍ଠୁଏ ଉଚ୍ଚରେ ପାଣି ଜମି ରହିଥିଲା । ସନ୍ଧ୍ୟାରେ ସେହି ରାସ୍ତାଦେଇ ଯାତାୟାତ ସଂପୂର୍ଣ୍ଣ ବନ୍ଦ ରହିଥିଲା । ଗାନ୍ଧିନଗର ଅଞ୍ଚଳରେ ବର୍ଷାପାଣି ନିଷ୍କାସିତ ହୋଇନପାରି ପ୍ରାୟ ଆଠଟି ପରିବାର ସମେତ ଅଙ୍ଗନବାଡି କେନ୍ଦ୍ର ଜଳବନ୍ଦୀ ହୋଇ ରହିଥିଲା । ଘର ଭିତରେ ପାଣିର ସୁଅ ଛୁଟିଥିଲା । ଲୋକେ ନାହିଁନଥିବା ଅସୁବିଧା ଭୋଗିଥିଲେ । ବହୁଦିନରୁ ହଳଦିଆ ନାଳ ସଫା ହୋଇନଥିବାରୁ ଅଳିଆ ସବୁ ଅଟକି ରହିଥିଲା । ଫଳରେ ପାଣି ନିଷ୍କାସନରେ ସମସ୍ୟା ହୋଇଥିଲା । ଖବର ପାଇ ଉପଜିଲ୍ଲାପାଳଙ୍କ ସମେତ ପୌର କର୍ତ୍ତୃପକ୍ଷ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଜଳବନ୍ଦୀରେ ରହିଥିବା ପରିବାର ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।
ପୌରସଂସ୍ଥାର ବେପରୁଆ କାର୍ଯ୍ୟ ଲାଗି ଆଜି ସ୍ଥାନୀୟ ବ୍ରାହ୍ମଣସାହି, କଟିକା ସାହି ଓ ରାମଚନ୍ଦ୍ରପୁର ଇତ୍ୟାଦି ଅଞ୍ଚଳରେ ବହୁ ସମୟ ଧରି ନର୍ଦ୍ଧମା ପାଣି ଅଟକି ରହିଥିଲା । ନିୟମିତ ନାଳନର୍ଦମା ସଫା କରାଯାଉନଥିବା ଏବଂ ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା ଲାଗି ଏଭଳି ଅସୁବିଧା ଉପୁଜିଥିଲା । ସ୍ଥାନୀୟ ଗ୍ରାମଦେବୀ ମନ୍ଦିର ଭିତରେ ଦୁଇଫୁଟ ପାଣି ଜମି ରହିଥିଲା । ଠାକୁରଙ୍କ ଗର୍ଭଗୃହ ଭିତରକୁ ବର୍ଷାପାଣି ପ୍ରବେଶ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons