ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଗାଏବ ହୋଇଯାଇଛି ମୌସୁମୀ । ଶ୍ରାବଣରେ ଜମି ଫାଟି ଆଁ କରିଛି । ଟାଇଁଟାଇଁ ଖରା ସାଙ୍ଗକୁ ଅସହ୍ୟ ତାତି । ଶୁଖିଗଲାଣି ପଲା(ତଳି) । କାଦୁଅ ହୋଇପାରୁନି ଜମି କି ରୁଆ ଯାଇପାରୁନି ତଳି । ଚାତକ ପରି ଆକାଶକୁ ଚାହିଁଛି ଚାଷୀ । ଏପରିସ୍ଥଳେ ଲୋକକଥା ଅନୁସାରେ, ନବରଙ୍ଗପୁର ବ୍ଲକ ବିକ୍ରମପୁର ଗାଁରେ କରାଯାଇଛି ବେଙ୍ଗ-ବେଙ୍ଗୁଲୀ ବାହାଘର । ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ଲାଗି ଏ ଆୟୋଜନ ।
ବୈଦିକ ରୀତିରେ ହୋଇଛି ଏହି ବାହାଘର । ବାଲିଯାତ୍ରା ପଡିଆରେ କୃଷିଦେବତା ଭୀମା-ଭିମାଣୀଙ୍କୁ ମଧ୍ୟ ପୂଜା କରାଯାଇଛି । ଗାଁ ଦିଶାରୀଙ୍କ ଦ୍ୱାରା ସଂପନ୍ନ ହୋଇଛି ସମସ୍ତ କାର୍ଯ୍ୟ । ବିବାହ ପରେ ବାଲିଯାତ୍ରା ପଡିଆରୁ ବେଙ୍ଗ-ବେଙ୍ଗୁଲୀଙ୍କୁ ଏକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇଛି । ପାରଂପରିକ ବାଦ୍ୟର ତାଳେ ତାଳେ ଲୋକେ ସାମିଲ ହୋଇଛନ୍ତି ଏଥିରେ । ବେଙ୍ଗ-ବେଙ୍ଗୁଲୀ ବାହାଘର କଲେ ଇନ୍ଦ୍ର ଦେବତା ସନ୍ତୁଷ୍ଟ ହୋଇ ବର୍ଷା କରାଇଥାନ୍ତି ବୋଲି ବିଶ୍ୱାସ ରହିଥିବା କହିଛନ୍ତି ଗାଁର ଘାସିରାମ ପୂଜାରୀ, ନିରଞ୍ଜନ ଖୁଣ୍ଟିଆ, ସନ୍ତୋଷ ପରିଡା, କେଶବ ଭୋଳ, ଶିବରାମ ଦାସ, କାଶୀନାଥ ଦାସ, ଶ୍ୟାମ ଦାସ ଓ ତୁଳାରାମ ମାଳି ପ୍ରମୁଖ । ସେମାନଙ୍କ କହିବାନୁସାରେ, ପୂର୍ବପୁରୁଷରୁ ଏହି ପ୍ରଥା ଚାଲିଆସୁଛି । ଏଭଳି ବିବାହ ଇନ୍ଦ୍ରଙ୍କ କୋପଦୃଷ୍ଟି ଦୂର କରାଇ ବର୍ଷା କରାଇଥାଏ ।
ସୂଚନାଥାଉକି, ୨୦୧୯ ଜୁଲାଇ ମାସରେ ଜିଲ୍ଲାରେ ହାରାହାରି ୪୯୫.୩୨ ମିମି ବୃଷ୍ଟିପାତ ହୋଇଥିଲା । ଚଳିତବର୍ଷ ଜୁଲାଇ ଶେଷ ହେବାକୁ ଆଉ କେତେଦିନ ବାକିଥିବା ବେଳେ ମାତ୍ର ୩୧୪ ମିମି ବର୍ଷା ହୋଇଛି । ଆସନ୍ତା ସପ୍ତାହକ ଭିତରେ ଭଲ ବର୍ଷା ନହେଲେ ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି ହେବ ।
Comments are closed, but trackbacks and pingbacks are open.