ବର ଆସିଲାନି, ରହିଗଲା ମଙ୍ଗୁଳା କନ୍ୟା

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ରଙ୍ଗବେରଙ୍ଗ ଫୁଲ ଓ କାଗଜରେ ସଜ୍ଜିତ ହୋଇଥିଲା ବେଦୀ । ବନ୍ଧୁ ବାନ୍ଧବରେ ଘର ପୂରି ରହିଥିଲା । ଅଗଣାରେ କନ୍ୟା ଓ ବରର ନାମ ବି ଲେଖା ସରିଥିଲା । କାର୍ଡ ବଣ୍ଟା, ଭୋଜିଭାତ ସବୁ ହୋଇଥିଲା । କନ୍ୟା ଘର ଲୋକେ ଅପେକ୍ଷା କରି ରହିଥିଲେ ହେଁ ସନ୍ଧ୍ୟା ପର୍ଯ୍ୟନ୍ତ ବର କିମ୍ବା ବରଯାତ୍ରୀଙ୍କ ଦେଖା ମିଳିନଥିଲା । ମଙ୍ଗୁଳା କନ୍ୟା ବେଦୀ ପାଖରେ ଅପେକ୍ଷା କରି କରି ନିରାଶ ହୋଇଥିଲା । ଏଭଳି ଘଟଣା ଘଟିଛିି କୋଷାଗୁମୁଡା ବ୍ଲକର ବିଞ୍ଜଲି ଗାଁରେ । ଏହାକୁ ନେଇ କନ୍ୟାପିତା ଲଛମନ ଭତ୍ରା ଓ ସଂପର୍କୀୟ ନ୍ୟାୟ ପାଇଁ ନବରଙ୍ଗପୁର ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ବର ଅନ୍ୟ ଜଣେ ଝିଅକୁ ଉଠାଇ ନେଇଥିବା ଅଭିଯୋଗରେ ଦର୍ଶାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଲଛମନଙ୍କ ଝିଅର ବିବାହ କୋରାପୁଟ ଜିଲ୍ଲା କୋଟପାଡ ଥାନା ଅଁଳାଭଟ୍ଟା ଗାଁର ଶତ୍ରୁଘନ ମାଝିଙ୍କ ପୁଅ ପଦ୍ମନ ସହ ସ୍ଥିର ହୋଇଥିଲା । ବର୍ଷକ ତଳେ ଦୁହିଁଙ୍କର ନିର୍ବନ୍ଧ ସରିଥିଲା । ଗତ ୨ତାରିଖରେ ବିବାହ କରିବାକୁ ଉଭୟ ପରିବାର ସ୍ଥିର କରିଥିଲେ । ଏଥିପାଇଁ ଝିଅଘର ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ ହେଁ ବିବାହ ଦିନ ବରର ଦେଖା ମିଳିଲା ନାହିଁ । ଏହାକୁ ନେଇ ଗତ ଶୁକ୍ରବାର କୋଷାଗୁମୁଡା ଥାନାରେ କନ୍ୟାଘର ପକ୍ଷରୁ ଏତଲା ଦିଆଯାଇଥିଲା । କିନ୍ତୁ ପୁଲିସ ଏତଲା ରଖି ନଥିବା ଅଭିଯୋଗ କରି ଶନିବାର କନ୍ୟାଘର ପକ୍ଷ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏସ୍ପିଙ୍କୁ ଭେଟି ନପାରି ଅଭିଯୋଗ ଦାଖଲ କରି ଫେରିଥିବା ଜଣାପଡିଛି ।
ଏ ସମ୍ପର୍କରେ କୋଷାଗୁମୁଡା ଥାନା ଅଧିକାରୀ ନଟବର ନନ୍ଦ କହିଛନ୍ତି, ପଦ୍ମନଙ୍କୁ ବିବାହ କରିବାକୁ ଉକ୍ତ ଯୁବତୀ ରାଜି ନଥିଲେ । କିନ୍ତୁ ବର୍ଷେ ତଳେ ସେମାନଙ୍କ ନିର୍ବନ୍ଧ ଶେଷ ହୋଇଥିଲା । ଆଦିବାସୀ ପରମ୍ପରା(ଝଲାବାଡୁ) ଅନୁସାରେ ପୁଅଘର ପାଲଟା ଯୌତୁକ ବାବଦକୁ ୧ ଲକ୍ଷ ୪୫ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ଝିଅ ବିବାହ କରିବାକୁ ରାଜି ନହେବାରୁ ଗତ ମାର୍ଚ୍ଚ ୨୧ରେ କୋଷାଗୁମୁଡା ଥାନାରେ ପୁଅଘର ପହଞ୍ଚି ଉକ୍ତ ଟଙ୍କା ଫେରାଇବା ଲାଗି ଦାବି କରିବା ସହ ଏତଲା ଦେଇଥିଲେ । ମାର୍ଚ୍ଚ ୨୩ ରେ ଝିଅଘର ପକ୍ଷରୁ ଥାନାରେ ଅନ୍ୟ ଏକ ଏତଲା ଦିଆଯାଇଥିଲା । ଉଭୟ ପକ୍ଷକୁ ଡକାଯାଇ ଆପୋଷ ସମାଧାନ କରିବାକୁ ଆଲୋଚନା ହୋଇଥିଲା । କିନ୍ତୁ ଦୁଇପକ୍ଷ ଏଥିରେ ରାଜି ହୋଇ ନଥିଲେ । ପୁଣି ଉଭୟ ପକ୍ଷଙ୍କୁ ଡକାଯାଇ ସମାଧାନ ପାଇଁ ଉଦ୍ୟମ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons