ବଲାଙ୍ଗୀର ସ୍ଥିତି ଅସମ୍ଭାଳ

Get real time updates directly on you device, subscribe now.

ବଲଙ୍ଗୀର,(ବି.ବି.ନ୍ୟୁଜ୍): ଦୁଇଦିନର ଲଗାଣ ବର୍ଷା ଯୋଗୁଁ ବଲାଙ୍ଗୀର ଜିଲ୍ଲାରେ ବନ୍ୟାସ୍ଥିତି ଅସମ୍ଭାଳ ହୋଇଛି । ଗତ ସୋମବାର ଅପରାହ୍ନରୁ ଗୁଡ଼ଭେଲା ବ୍ଲକରେ ଦୁଇଟି ପଞ୍ଚାୟତର ୧୦ରୁ ଉଦ୍ଧ୍ୱର୍ ଗାଁ ଜଳମଗ୍ନ ହେବାରୁ ସେଠାରେ ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ହେଲେ ଆଜି ଭୋରରୁ ବର୍ଷାର ବଢିଥିବା ବେଳେ ସ୍ଥିତି ଆହୁରି ସଙ୍ଗୀନ ହୋଇଛି । ବଲାଙ୍ଗୀର ସହରରେ ଜିଲ୍ଲାର ସବୁଠୁ ଅଧିକ ବର୍ଷା ରେକର୍ଡ଼ କରାଯାଇଛି । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ସହରରେ ୪୯୭ ମିମି ବର୍ଷା ରେକର୍ଡ଼ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ସହରର ସମସ୍ତ ରାସ୍ତାରେ ୪ରୁ ୫ଫୁଟ ଉଚ୍ଚରେ ପାଣି ଯାଉଛି । ପ୍ରତ୍ୟେକ ପଡ଼ା ଭିତରକୁ ପାଣି ପଶି ବ୍ୟାପକ କ୍ଷୟକ୍ଷତି ହୋଇଛି ।
ସଦର ବ୍ଲକ ସମେତ ପୁଇଁନ୍ତଳା, ଲୋଇସିଂହା, ଗୁଡ଼ଭେଲା ଏବଂ ଦେଓଗାଁ ବ୍ଲକରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିଛି । ଏହାର ମୁକାବିଲା ପାଇଁ ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅରିନ୍ଦମ ଡ଼ାକୁଆଙ୍କ ଅଧ୍ୟକ୍ଷତାରେ ଏକ ଜରୁରିକାଳୀନ ବୈଠକ ଆହ୍ୱାନ କରାଯାଇଥିଲା । ସମସ୍ତ ବନ୍ୟା ବିପନ୍ନଙ୍କୁ ପ୍ରଥମେ ଉଦ୍ଧାର କରାଯାଇ ଆଶ୍ରୟଗୃହକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ଏପର୍ଯ୍ୟନ୍ତ ସମୁଦାୟ ୧୮ହଜାର ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କୁ ୫୯ଟି ଆଶ୍ରୟ ଗୃହରେ ରଖାଯାଇଛି । ଏଥିସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ‘୧୦୭୭’ରେ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ଡ଼ାକୁଆ ବିଭିନ୍ନ ବନ୍ୟା ପ୍ରଭାବିତ ସ୍ଥାନକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ତେବେ ବଲାଙ୍ଗୀର-ଦେଓଗାଁ ଏବଂ ବଲାଙ୍ଗୀର-ଲୋଇସିଂହା ଷ୍ଟେସନ ମଧ୍ୟରେ ବନ୍ୟା ଜଳ ପ୍ରଭାବିତ ହେଉଥିବାରୁ ବଲାଙ୍ଗୀର ଦେଇ ଯାତାୟତ କରୁଥିବା ସମସ୍ତ ଟ୍ରେନକୁ ବାତିଲ କରିଦିଆଯାଇଛି । ବନ୍ୟା ସ୍ଥିତି ପାଇଁ ଜିଲ୍ଲାରେ ବସ୍ ସେବା ମଧ୍ୟ ଠପ ରହିଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାଅନୁସାରେ, ବଲାଙ୍ଗୀର ମ୍ୟୁନିସିପାଲିଟିର ଅବସ୍ଥା ଗୁରୁତର ରହିଛି । ମ୍ୟୁନିସିପାଲିଟିରେ ସୋମବାର ସନ୍ଧ୍ୟା ସୁଦ୍ଧା ୨୬୩ ମିମି ବର୍ଷା ରେକର୍ଡ଼ କରାଯାଇଥିବା ବେଳେ ଆଜି ୪୯୭ ମିମି ବର୍ଷା ରେକର୍ଡ଼ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ସହରର ମହାରାଣୀ ସାଗର, ପ୍ରତାପ ସାଗର, ମହାଲକ୍ଷ୍ମୀ ଜୋର ନାଳା ଆଦିରୁ ବଢ଼ିପାଣି ମାଡ଼ିଯାଇ ବିଭିନ୍ନ ପଡ଼ାରେ ପଶିଛି । ସହରର ବିଭିନ୍ନ ଡ୍ରେନ୍ ଜବରଦଖଲ ହୋଇଥିବା ଯୋଗୁ ପାଣି ନିଷ୍କାସିତ ହୋଇନପାରି କୃତ୍ରିମ ବନ୍ୟା ଭୟଙ୍କର ରୂପ ଧାରଣ କରିଛି । ସହରର ୨୧ଟି ୱାର୍ଡ଼ରେ ୨୧ଟି ଆଶ୍ରୟ ଗୃହର ବ୍ୟବସ୍ଥା କରାଯାଇ ସମସ୍ତଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି । ସତ୍ୟନାରାୟଣ ପଡ଼ା, ତାଲପାଲି ପଡ଼ା, ଇନ୍ଦିରାନଗର, ରାଜୀବ ନଗର, ବରପାଲି ପଡ଼ା, ସାଲେପାଲି ଆଦି ତଳି ଅଞ୍ଚଳରେ ଲୋକଙ୍କ ଘରେ ପ୍ରାୟ ୮ରୁ ୯ଫୁଟ ପାଣି ପଶିଥିବାରୁ ଲୋକଙ୍କୁ ପମ୍ପ ବୋଟ ସାହାଯ୍ୟରେ ଉଦ୍ଧାର କରାଯାଉଛି । ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ବନ୍ୟାବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇଦେବାକୁ ନିର୍ଦ୍ଦେଶ ଦଅ।।ଯାଇଛି ।
ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ମୋଟ ୧୮ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ସହରର ୧୫ହଜାର ଲୋକ, ତୁଷୁରା ଏନ୍ଏସିରେ ୨ଶହ, ଗୁଡ଼ଭେଲାରେ ଅଢ଼େଇ ହଜାର, ଦେଓଗାଁରେ ୩ଶହ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ରିଲିଫ କେନ୍ଦ୍ରରେ ଥଇଥାନ କରାଯାଇଛି । ଲଗାଣ ବର୍ଷା ପରେ ଜିଲ୍ଲାର ସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ିଛି । ଏବେ ମଧ୍ୟ ଗୁଡ଼ଭେଲା ବ୍ଲକରେ ଓଡ୍ରାଫ ଏବଂ ଦମକଳ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସବୁଠୁ ଅଧିକ ଦେଓଗାଁ ବ୍ଲକର ୧୫ଟି ପଞ୍ଚାୟତ ଜଳବନ୍ଦୀ ହୋଇରହିଛନ୍ତି । ତୁଷୁରା ଏନଏସିକୁ ଯୋଗାଯୋଗ କରୁଥିବା ସମସ୍ତ ରାସ୍ତା ଉପରେ ପାଣି ଯାଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ସେହିପରି ପୁଇଁନ୍ତଳା, ଲୋଇସିଂହା ଏବଂ ବଲାଙ୍ଗୀର ବ୍ଲକରେ ଥିବା ଗାଁଗୁଡ଼ିକ ମଧ୍ୟ ଜଳ ଘେରରେ ରହିଛି । ପ୍ରଶାସନ ପକ୍ଷରୁ ସେଠାକୁ ଖାଦ୍ୟ ସାମଗ୍ରୀ ପଠାଯାଉଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons