ବୌଦ୍ଧ,(ବି.ବି.ନୁ୍ୟଜ୍): ବୌଦ୍ଧ ବନବିଭାଗ ଅଧୀନ ବାଉଁଶୁଣୀ ବନପାଳ ଅନ୍ତର୍ଗତ ବହିରା ଗାଁ ନିକଟରେ ଯାଇଥିବା ବହିରା ନାଳରେ ଆଜି ଏକ କୁମ୍ଭୀର ଦେଖାଦେଇଛି । ୟୁପି ସ୍କୁଲ୍ ପଛପଟେ ଏହି ନାଳ ଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ନାଳ ମଧ୍ୟରେ କୁମ୍ଭୀର ବାହାରିବା ପରେ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ହୋଇଥିଲା । ନାଳ ମଧ୍ୟକୁ କୁମ୍ଭୀର କେଉଁଠୁ ଓ କିପରି ଆସିଲା ତାହାକୁ ନେଇ ଆଲୋଚନା ହେଉଛି । କୁମ୍ଭୀରଟି ସାଢେ଼ ୩ ମିଟର ଲମ୍ବ ଥିବା ଅନୁମାନ କରାଯାଇଛି । ନାଳଟି ବହିରା ବନ୍ଧରୁ ବାହାରି ଥିବା ବେଳେ ସେଠାରୁ ପ୍ରାୟ ୨ କିଲୋମିଟର ଦୂରରେ ମହାନଦୀରେ ମିଶିଛି । ନଦୀରୁ କୁମ୍ଭୀରଟି ନାଳ ମଧ୍ୟକୁ ଉଠି ଆସିଥିବା କୁହାଯାଉଛି । ନାଳରେ କୁମ୍ଭୀର ଥିବା ଖବର ବନ ବିଭାଗ ଜାଣିବା ପରେ ବନ ବିଭାଗର ଏକ ଟିମ୍ ରେଞ୍ଜର ବିପିନ ବିହାରୀ ରାଉତରାୟଙ୍କ ନେତୃତ୍ୱରେ ସେଠାରେ ରହି କୁମ୍ଭୀରର ଗତିବିଧିକୁ ଲକ୍ଷ୍ୟ କରୁଛନ୍ତି । ଲୋକଙ୍କୁ ସେହି ନାଳ ମଧ୍ୟକୁ ନ ଯିବା ପାଇଁ ଅନୁରୋଧ କରୁଛନ୍ତି ।
ଏନେଇ ବୌଦ୍ଧ ରେଞ୍ଜର ଶ୍ରୀ ରାଉତରାୟଙ୍କୁ ପଚାରିବାରୁ କହିଛନ୍ତି, ଏହା ଏକ ଘଡ଼ିଆଳ କୁମ୍ଭୀର । ଏହା କ୍ଷତିକାରକ ନୁହେଁ । ଗତ କିଛିଦିନ ପୂର୍ବେ କେତେକ କୁମ୍ଭୀରଙ୍କୁ ଟିକରପଡ଼ାରେ ଛଡ଼ା ଯାଇଥିଲା । ସେହି କୁମ୍ଭୀର ମଧ୍ୟରୁ ଏହି କୁମ୍ଭୀର ଗତ ରାକ୍ଷୀ ପୂର୍ଣ୍ଣିମା ସମୟରେ ମହାନଦୀରେ ହୋଇଥିବା ବନ୍ୟା ସମୟରେ ଚାଲି ଆସିଛି । ତାହାର ଦେହରେ ରେଡିଓ କୁଲାର ଲାଗିଛି । ନୟାଗଡ଼ ବନ ବିଭାଗକୁ ଏ ସମ୍ପର୍କରେ ଖବର ଦିଆଯାଇଛି । ସେମାନେ ଆଣ୍ଟିନା ଧରି ଆସି କୁମ୍ଭୀରର ଗତିବିଧି ଲକ୍ଷ୍ୟ କରି ତାକୁ ଉଦ୍ଧାର କରିବେ ଏବଂ ପୁଣି କୁମ୍ଭୀରକୁ ଟିକରପଡ଼ା ନିଆଯିବ ।
ସୂଚନାଯୋଗ୍ୟ, ବନ୍ୟା ସମୟରେ ଟିକରପଡ଼ାରୁ କୁମ୍ଭୀର ଚାଲି ଆସନ୍ତି । ବୌଦ୍ଧର ଅନେକ ନଦୀ ଓ ନାଳ ମହାନଦୀରେ ମିଶିଛି । ଏହି ନଦୀ ଓ ନାଳଗୁଡ଼ିକ ମଧ୍ୟକୁ ଆଉ କିଛି କୁମ୍ଭୀର ଚାଲି ଆସିଥିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ୟୁକୋ କ୍ଲବ୍ର ଜିଲ୍ଲା ସଂଯୋଜକ ସ୍ୱରାଜ କହଁର, ଫରେଷ୍ଟର ପୁଷ୍ପାଞ୍ଜଳି ମେହେର ଓ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ନାଳ ନିକଟରେ ସ୍କୁଲ୍ ଥିବାରୁ କୁମ୍ଭୀରକୁ ଧରାଯିବାକୁ ଆତଙ୍କିତ ଗ୍ରାମବାସୀ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.