ଧର୍ମଶାଳା,(ବି.ବି.ନୁ୍ୟଜ୍): ବହୁ ଚର୍ଚ୍ଚିତ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତୁ୍ୟ ଘଟଣାର ମୁଖସାଖୀ ପାଲଟି ଥିବା ହରିଦାସପୁର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ବେଆଇନ ଅତିଥି ଭବନ (ରଙ୍ଗଶାଳା)କୁ ଆଜି ପ୍ରଶାସନ ବୁଲ୍ଡୋଜର ଲଗାଇ ମାଟିରେ ମିଶାଇ ଦେଇଛି । ସକାଳ ୮ଟାରୁ ଅତିଥି ଭବନ ଉଚ୍ଛେଦ ଅଭିଯାନ ଜିଲ୍ଲା ପ୍ରଶାସନ ଆରମ୍ଭ କରିଥିବା ବେଳେ ଦୀର୍ଘ ୧୦ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ସରପଞ୍ଚ ମଧୁସ୍ମିତା ଭଦ୍ର ଓ ତାଙ୍କ ମହିଳା ସମର୍ଥକମାନେ ଉଚ୍ଛେଦ ଅଭିଯାନକୁ ତୀବ୍ର ବିରୋଧ କରିଥିଲେ । ଯେଉଁଥିପାଇଁ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ହାଇକୋର୍ଟର ରହିତାଦେଶ ନିଦେ୍ର୍ଧଶନାମାକୁ ସରପଞ୍ଚ ଶ୍ରୀମତୀ ଭଦ୍ର ପ୍ରଶାସନିକ ଅଧିକାରୀଙ୍କୁ ଦେଖାଇ ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ନିବେଦନ କରିଥିଲେ । ଉପସ୍ଥିତ ଥିବା ଅଧିକାରୀ କେହି ତାଙ୍କ କଥାକୁ ଶୁଣିନଥିଲେ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ପ୍ରଶାସନ ପୁଲିସ ସୁରକ୍ଷା ବଳୟ ଭିତରେ ଉଚ୍ଛେଦ ପ୍ରକ୍ରିୟାକୁ ଜୋର୍ଦାର କରିଥିଲା । ତେବେ ସକାଳ ୮ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଅତିଥି ଭବନରେ ଥିବା ରୂପେଶ ଭଦ୍ରଙ୍କ ଆସବାବପତ୍ର ସହିତ ଲୁହାଗ୍ରୀଲ, ଝରକା, କବାଟ ଆଦିକୁ ମିସ୍ତ୍ରୀ ଦ୍ୱାରା ଖୋଲାଖୋଲି କରି ପ୍ରଶାସନ ସରପଞ୍ଚ ଶ୍ରୀମତୀ ଭଦ୍ରକୁ ହସ୍ତାନ୍ତର କରିବା ପରେ ଉଚ୍ଛେଦ ପ୍ରକି୍ରୟା ଆରମ୍ଭ କରିଥିଲା । ଦୁଇଟି ବୁଲ୍ଡୋଜର ଲଗାଇ ଦୁଇ ମହଲା ବିଶିଷ୍ଟ ଅତିଥି ଭବନକୁ ପ୍ରଶାସନ ଧୂଳିସାତ୍ କରିଦେଇଥିଲା ।
ଯାଜପୁର ଏଡିଏମ୍ ମିହିର ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଏଏସ୍ପି ରାଜକିଶୋର ଦୋରା ଓ ଭବାନୀ ଶଙ୍କର ପଟ୍ଟନାୟକ, ଯାଜପୁରରୋଡ ଏସ୍ଡିପିଓ ଚିନ୍ମୟ କୁମାର ନାୟକ, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଦର୍ପଣୀ ତହସିଲଦାର ବୀରେନ୍ଦ୍ର କୁମାର ମହାନ୍ତି, ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଧର୍ମଶାଳା ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି ଓ ଶୀତଲ ଅଗ୍ରୱାଲ, ଦର୍ପଣୀ ଅତିରିକ୍ତ ତହସିଲଦାର ଅଭିଲିପ୍ସା ଦାସ ପ୍ରମୁଖଙ୍କ ସମେତ ଜେନାପୁର, ବଡ଼ଚଣା ଓ କୁଆଖିଆ ଥାନା ପୁଲିସ ଅଧିକାରୀମାନେ ଅତିଥି ଭବନ ଉଚ୍ଛେଦ ସମୟରେ ଉପସ୍ଥିତ ଥିଲେ । ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ ପାଇଁ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ତହସିଲ କର୍ମଚାରୀ ଓ ରାଜସ୍ୱ ନିରୀକ୍ଷକମାନେ ସହାୟତା କରିଥିଲେ ।
ସୂଚନାଥାଉ କି, ଅକ୍ଟୋବର ୧୬ରେ ପିଇଓ ସ୍ମିତାରାଣୀ ମୃତୁ୍ୟ ପରେ ପରେ ଏହି ଚର୍ଚ୍ଚିତ ଅତିଥି ଭବନର ଗୁମର ଫିଟିଥିଲା । ବାଲିଗିରି ମୌଜାରେ ଖାତା ନଂ-୧୦୯ ଓ ୧୧୦ ପ୍ଲଟ ନଂ-୨୯୦ ଓ ୨୯୧ରେ ୨୩ ଡିସିମିଲି ଜଙ୍ଗଲ ଜମିରେ ରହିଥିଲା ଏହି ଅଟ୍ଟାଳିକା । ସେଠାରେ ସରପଞ୍ଚ ତାଙ୍କର କାର୍ଯ୍ୟାଳୟ ଚଳାଇ ଆସୁଥିଲେ । ପିଇଓ ସ୍ମିତାରାଣୀ ଗତ ଅକ୍ଟୋବର ୧୬ ତାରିଖରେ ପଞ୍ଚାୟତରେ ଭତ୍ତା ବାଣ୍ଟିବା ପରେ ଏହି ଅତିଥି ଭବନକୁ ଅପରାହ୍ଣ ୨ଟା ବେଳେ ଖାଇବାକୁ ଯାଇଥିଲେ । ସେହିଠାରୁ ହିଁ ଅପରାହ୍ଣ ୩ଟା ବେଳେ ତାଙ୍କ ମୃତଦେହକୁ ରୂପେଶ ଧର୍ମଶାଳା ମେଡିକାଲ ନେଇଥିଲେ । ଏହାର ଦୁଇଦିନ ପରେ ଏହା ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବା ବିରୋଧୀ ଅଭିଯୋଗ ଆଣିବା ପରେ ପ୍ରଶାସନ ଏହା ଉପରେ ସେହି ମାସ ୨୫ ତାରିଖରେ ୧୪୪ ଧାରା ଜାରି କରିଥିଲା । ଅପରପକ୍ଷେ ୨୦୧୮ ମାର୍ଚ୍ଚ ୨୬ ତାରିଖରେ ଏହି ଅତିଥିଭବନ ସମ୍ପୂର୍ଣ୍ଣ ଉଚ୍ଛେଦ ହୋଇଛି ବୋଲି ରାଜସ୍ୱ ନିରୀକ୍ଷକ ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଏହି ମିଥ୍ୟା ଘଟଣାକୁ ନେଇ ବିଧାନସଭାରେ ବିରୋଧୀ ଦଳ ସଦସ୍ୟଙ୍କ ହୋହଲ୍ଲା ପରେ ନଭେମ୍ବର ୨୧ରେ ଆରୁହା ରାଜସ୍ୱ ନୀରିକ୍ଷକଙ୍କୁ ନିଲମ୍ବନ ଓ ଅତିରିକ୍ତ ତହସିଲଦାରଙ୍କୁ ତକ୍ରାଳୀନ ଭାରପ୍ରାପ୍ତ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଏଥି ପୂର୍ବରୁ ୨୦୧୯ ନଭେମ୍ବର ୪ ତାରିଖରେ ପତ୍ର ସଂଖ୍ୟା-୯୦୫୩ରେ ଅତିଥି ଭବନର ସୁରକ୍ଷା ନେଇ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ରାଜସ୍ୱ ସଚିବଙ୍କୁ ପତ୍ର ଲେଖିଥିଲେ । ସରକାରୀ ଜମିରେ ରୂପେଶ ଭଦ୍ର କରିଥିବା ଗୃହକୁ ନଭାଙ୍ଗି ସେଠାରେ ଲାଇବ୍ରେରୀ କିମ୍ବା ବାଳାଶ୍ରମ ଓ ବୃଦ୍ଧାଶ୍ରମ କରିବା ପାଇଁ ବିଭିନ୍ନ ଫୋରମରୁ ଆସିଥିବା ପ୍ରସ୍ତାବକୁ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ । ମାତ୍ର ଏହାକୁ ରାଜସ୍ୱ ବିଭାଗର ଯୁଗ୍ମ ସଚିବ ଅଗ୍ରାହ୍ୟ କରି ଏଭଳି ବେଆଇନ ଗୃହ ଅନ୍ୟକୌଣସି କାର୍ଯ୍ୟରେ ବ୍ୟବହାର ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଅପରପକ୍ଷେ ଏହି ଅତିଥି ଭବନରେ ଏକ ଅପରାଧିକ ଘଟଣା ଘଟି ଥିବାରୁ ସ୍ଥଳ ବିଶେଷରେ କୋର୍ଟ କିମ୍ବା ତଦନ୍ତକାରୀ ଅଧିକାରୀଙ୍କ ଅନୁମତି ଲୋଡ଼ା ଯାଇପାରେ । ପରୋକ୍ଷରେ ଓପିଏଲ୍ଇ ନିୟମକୁ ଅନୁସରଣ କରିବା ପାଇଁ ଏହି ପତ୍ରରେ ଉଲ୍ଲେଖ କରିଥିଲେ । ଫଳରେ ଶୁକ୍ରବାର ଏହି ଗୃହକୁ ଭାଙ୍ଗିବା ନିମନ୍ତେ ତହସିଲ ପକ୍ଷରୁ ସରପଞ୍ଚଙ୍କ ପରିବାରକୁ ନୋଟିସ କରାଯାଇଥିଲା ।
Comments are closed, but trackbacks and pingbacks are open.