ଜୟପୁର: ଜିଲ୍ଲାର ରବିମଣ୍ଡିରୁ ୧୧ଦିନରେ କିଣାସରିଲାଣି ୫ ଲକ୍ଷ ୫୦ ହଜାର କୁଇଣ୍ଟାଲରୁ ଅଧିକ ଧାନ । କିନ୍ତୁ ଏବେବି ଅନେକ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି । କାହାର ଠିକ୍ ପରିମାଣରେ ଧାନ ବିକ୍ରି କରିବାକୁ ଟୋକନ ଆସିନି ତ ଆଉ କାହାର ପଞ୍ଜୀକରଣ ହିଁ ହୋଇନି । ଏହାକୁ ନେଇ ଏବେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ କ୍ଷେତ୍ର ପରିଦର୍ଶନ ନକରି କାଗଜପତ୍ରରେ ଯାଞ୍ଚ କରାଯାଉଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଚାଷୀମାନେ କହିଛନ୍ତି । ଅବିଳମ୍ବେ ଧାନ ବିକ୍ରି କରିବାକୁ ସୁଯୋଗ ଦିଆନଗଲେ, ଯୋଗାଣ ବିଭାଗ ଓ ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବେ ବୋଲି ଧମକ ଦେଇଛନ୍ତି ଚାଷୀ ।
କଙ୍ଗା ପଞ୍ଚାୟତର ପଦ୍ମନ ହରିଜନ କହିଛନ୍ତି, ୩.୩୦ ଏକର ଜମିରେ ସେ ଧାନ ଚାଷ କରିଥିଲେ । କେନାଲ୍ ସୁବିଧା ଥିବାରୁ ରବିଫସଲ ଭଲ ହୋଇଥିଲା । ପୂର୍ବରୁ ଏହି ଜମିରେ ଚାଷ କରି କୁମୁଲିପୁଟ ଲ୍ୟାମ୍ପସରେ ଧାନ ବିକ୍ରି କରୁଥିଲେ । ଏହାର ନବୀକରଣ ପାଇଁ ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ କାଗଜପତ୍ର ଦେଇଥିଲେ । ସବୁ ଠିକ୍ଠାକ ଥିବା କହିଥିଲେ ଲ୍ୟାମ୍ପସ କର୍ତ୍ତୃପକ୍ଷ । ଧାନ ବିକ୍ରି କରିବାକୁ ଟୋକନ ଆସିଲା । ୨୯ ତାରିଖ ଦିନ ମାାତ୍ର ୧୦.୮୦ କୁଇଣ୍ଟାଲ ଧାନ ବିକ୍ରି କରିବାକୁ ମେସେଜ ଆସିଥିଲା । ଏକରକୁ ୨୪ କୁଇଣ୍ଟାଲ ହିସାବରେ ୩.୩୩ ଏକରଜମିରୁ ୮୦ କୁଇଣ୍ଟାଲ ଧାନ ବିକ୍ରି କରିବାକୁ ମେସେଜ ଆସିବା କଥା । କିନ୍ତୁ ୮୦ କୁଇଣ୍ଟାଲ ବଦଳରେ ୧୦.୮୦ କୁଇଣ୍ଟାଲର ଟୋକନ ଆସିଥିଲା । ଏହାର ସଂଶୋଧନ କିପରି ହେବ ଏଥିପାଇଁ ଲ୍ୟାମ୍ପସ କର୍ତ୍ତୃପକ୍ଷ ଓ ଯୋଗାଣ ବିଭାଗର କର୍ମଚାରୀଙ୍କୁ ଏ ସମ୍ପର୍କରେ ପଚାରିଥିଲେ । କେହି ଏ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଲେ ନାହିଁ । । ଯୋଗାଣ ବିଭାଗ ଓ ଲ୍ୟାମ୍ପସ୍କୁ ବୁଲିବୁଲି ସମୟ ବିତିଗଲା । ଏ ଭିତରେ ଟୋକନ ଅବଧି ମଧ୍ୟ ସରିଗଲା । କେଜିଏ ହେଲେ ଧାନ ବିକ୍ରି କରିପାରିଲେ ନାହିଁ । ଏବେ ଅମଳ ହୋଇଥିବା ଧାନ କାହାକୁ ବିକ୍ରି କରିବେ ଏବଂ କରଜ କରିଥିବା ଲକ୍ଷାଧିକ ଟଙ୍କା କିପରି ପରିଶୋଧ କରିବେ- ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ଯଦି ସଂଶୋଧନ କରି ପୁଣିଥରେ ଟୋକନ ଦେବାର ବ୍ୟବସ୍ଥା କରାନଯାଏ, ତାହେଲେ ଲ୍ୟାମ୍ପସ କର୍ତ୍ତୃପକ୍ଷ ଓ ଯୋଗାଣ ବିଭାଗ ଅଧିକାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି ପଦ୍ମନ ।
ପଦ୍ମନଙ୍କ ଭଳି ଆଉ ଜଣେ ଚାଷୀ ହେଉଛନ୍ତି କାକିରିଗୁମ୍ମାର ଜଗନ୍ନାଥ ବିିଶୋଇ । ସେ କହିଛନ୍ତି, ଧାର୍ଯ୍ୟ ସମୟର ୧୦ ଦିନ ପୂର୍ବରୁ କାକିିରିଗୁମ୍ମା ଲ୍ୟାମ୍ପସରେ ପଞ୍ଜୀକରଣ କରିଥିଲେ । ତିନୋଟି ପ୍ଲଟରେ ୩ ଏକର ଚାଷ କରୁଥିବାରୁ ପଞ୍ଜୀକରଣ ସମୟରେ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ । ସେହି ସମୟରେ ଲ୍ୟାମ୍ପସ କର୍ତ୍ତୃପକ୍ଷ କୌଣସି ଆପତ୍ତି କରିନଥିଲେ । ଏବେ ମଣ୍ଡି ଆରମ୍ଭ ହେବା ପରେ ଟୋକନ କାହିଁକି ଆସିନି ବୋଲି ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କୁ ପଚାରିଥିଲେ । ଯୋଗାଣ ବିଭାଗର ସାଇଟ୍ ଦେଖିବା ପରେ ଜଣାପଡିଲା, ଧାନ ବିକ୍ରି କରିବାକୁ ପଞ୍ଜୀକରଣ ହିଁ ହୋଇନି । ଯୋଗାଣ ବିଭାଗ ସହ ଯୋଗାଯୋଗ କରିବା ଲାଗି ଲ୍ୟାମ୍ପସ ପକ୍ଷରୁ କୁହାଗଲା । ଆଜି ବାଧ୍ୟ ହୋଇ ଯୋଗାଣ ବିଭାଗ କର୍ମଚାରୀଙ୍କୁ ଦେଖାକରି ଏ ସମ୍ପର୍କରେ ପଚାରିଥିଲି । ଲ୍ୟାମ୍ପସ ପକ୍ଷରୁ ପଞ୍ଜୀକରଣ ହିଁ କରାଯାଇନି ବୋଲି କୁହାଯାଇଥିଲା । ସମସ୍ତ କାଗଜପତ୍ର ଦାଖଲ ପରେ କିପରି ପଞ୍ଜୀକରଣ ହୋଇପାରିଲାନି ବୋଲି ପ୍ରଶ୍ନ କରିଛନ୍ତି ଜଗନ୍ନାଥ । କେବଳ ପଦ୍ମନ ଓ ଜଗନ୍ନାଥ ନୁହନ୍ତି, ଜିଲ୍ଲାର ଏମିତି ଅନେକ ଚାଷୀ ଧାନ ବିକ୍ରି କରିନପାରି ଏବେ ହଇରାଣ ହେଉଛନ୍ତି । ଯୋଗାଣ ବିଭାଗ ଓ ଲ୍ୟାମ୍ପସ କର୍ତ୍ତୃପକ୍ଷ ଅନ୍ୟ ମୁଣ୍ଡରେ ଅଠାବୋଳି ଖସିଯିବାକୁ ଚେଷ୍ଟା କରୁଛନ୍ତି । ବାସ୍ତବରେ ତ୍ରୁଟି କେଉଁଠି ରହିଛି, ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ତାହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନନେଲେ, ଆଗାମୀ ଦିନରେ ଚାଷୀ ଆନେ୍ଦାଳନକୁ ଏଡାଇ ଦିଆଯାଇ ନପାରେ ବୋଲି କୁହାଯାଉଛି ।
ରିପୋର୍ଟ: ବାସୁଦେବ ଜେନା
Comments are closed, but trackbacks and pingbacks are open.