ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ୨୫ ହଜାର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାରେ ଅଛନ୍ତି ୭୩ ହଜାର ୬୦୯ ଶରଣାର୍ଥୀ । ଏଥିରୁ ୨୪ ହଜାର ୯୫୪ ଜଣ ଶରଣାର୍ଥୀ ହେଉଛନ୍ତି ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନର । ଏମାନେ ବହୁ ବର୍ଷ ହେବ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବାସ କରୁଛନ୍ତି । ରାଜ୍ୟର ଗ୍ରାମାଞ୍ଚଳରେ ବହୁ ସଂଖ୍ୟାରେ ଏ ଶରଣାର୍ଥୀମାନେ ବାସ କରୁଥିଲା ବେଳେ ଏଥିରୁ ସିଂହଭାଗ ହେଉଛନ୍ତି ମୂଳ ବାଂଲାଦେଶୀ । ପାକିସ୍ତାନ ଓ ଆଫଗାନିସ୍ତାନରୁ ମଧ୍ୟ କିଛି ଲୋକ ଶରଣାର୍ଥୀ ଭାବେ ଓଡ଼ିଶାରେ ବାସ କରୁଛନ୍ତି । ରାଜ୍ୟରେ ବାସ କରୁଥିବା ମୋଟ ଶରଣାର୍ଥୀଙ୍କ ମଧ୍ୟରୁ ୭୮ ପ୍ରତିଶତ ଗ୍ରାମାଞ୍ଚଳରେ ବାସ କରୁଛନ୍ତି । ୨୦୧୧ ଜନଗଣନା ରିପୋର୍ଟର ତଥ୍ୟ ଏହା କହୁଛି ।
ନାଗରିକତା ସଂଶୋଧନ ବିଲକୁ ନେଇ ଏବେ ସମଗ୍ର ଦେଶରେ ଲାଗି ରହିଛି ବିତର୍କ । ସୋମବାର ରାତିରେ ନାଗରିକତା ସଂଶୋଧନ ବିଲ୍କୁ ଲୋକସଭାରେ ମଞ୍ଜୁରି ମିଳିଛି । ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଚାଲି ଆସିଥିବା ଅଣମୁସଲିମ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ ପାଇଁ ଏହି ବିଲ୍ରେ ପ୍ରସ୍ତାବ ରହିଛି । ବିଲ୍ରେ ଧର୍ମକୁ ନେଇ ନାଗରିକତ୍ୱ ପ୍ରଦାନ ପାଇଁ ବ୍ୟବସ୍ଥା ଥିବାରୁ ଏହାକୁ କଂଗ୍ରେସ ସହ ବିଭିନ୍ନ ଦଳ ବିରୋଧ କରୁଛନ୍ତି । ତେବେ ବିଜୁ ଜନତା ଦଳ ଏ ବିଲକୁ ଲୋକସଭାରେ ସମର୍ଥନ ଦେଇଛି । ଧାର୍ମିକ ମନୋଭାବ ନୁହେଁ ବରଂ ରାଷ୍ଟ୍ରୀୟ ହିତ ଦୃଷ୍ଟିରୁ ବିଜେଡି ଏ ବିଲକୁ ସର୍ତ୍ତମୂଳକ ସମର୍ଥନ ଦେଇଛି ବୋଲି ଦର୍ଶାଇଛି । ମାତ୍ର ଆଗକୁ ଏହି ଶରଣାର୍ଥୀଙ୍କୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ।
୨୦୧୧ ଜନଗଣନା କହୁଛି, କେବଳ ବାଂଲାଦେଶରୁ ୨୩ ହଜାର ୮୨୪ ଶରଣାର୍ଥୀ ଓଡ଼ିଶାରେ ଥିଲା ବେଳେ ଏଥିରୁ ୨୧,୦୨୫ ଜଣ ଗ୍ରାମାଞ୍ଚଳରେ ରହୁଛନ୍ତି । ସେହିଭଳି ୧୧୧୪ ଜଣ ପାକିସ୍ତାନୀ ଶରଣାର୍ଥୀ ଥିଲା ବେଳେ ଗ୍ରାମାଞ୍ଚଳରେ ରହୁଛନ୍ତି ୫୭୨ ଜଣ । ୧୬ ଜଣ ଆଫଗାନିସ୍ତାନୀ ମଧ୍ୟ ଆମ ରାଜ୍ୟରେ ବାସ କରୁଛନ୍ତି । ଜନଗଣନା ତଥ୍ୟ କହୁଛି, ବାଂଲାଦେଶୀ ଶରଣାର୍ଥୀଙ୍କ ମଧ୍ୟରୁ ୨୦ ହଜାର ୪୬୭ ଜଣ ଏବଂ ୫୦୨ ପାକିସ୍ତାନୀ (ହିନ୍ଦୁ ଓ ଶିଖ୍) ଦୀର୍ଘ ଦୁଇ ଦଶନ୍ଧି ହେବ ଓଡ଼ିଶାରେ ଶରଣାର୍ଥୀ ଭାବେ ରହି ଆସୁଛନ୍ତି । ତେବେ ୧୮୪୮ ବାଂଲାଦେଶୀ ଓ ୧୧୩ ଜଣ ପାକିସ୍ତାନୀ ଶରଣାର୍ଥୀ କେବେଠାରୁ ଆସି ବସବାସ କରୁଛନ୍ତି ତାହା ଅସ୍ପଷ୍ଟ ରହିଛି ।
ନାଗରିକତା ସଂଶୋଧନ ବିଲ୍ (ସିଏବି)କୁ ନେଇ ଏବେ କିଛି ରାଜ୍ୟରେ ଅଣାୟତ୍ତ ପରିସ୍ଥିତି ଉପଜୁଥିଲା ବେଳେ ଓଡ଼ିଶାରେ ଏହାର କିଛି ପ୍ରଭାବ ନାହିଁ । ମାତ୍ର ୨୦୧୧ ଜନଗଣନା ପରେ ରାଜ୍ୟକୁ ନିକଟରେ କେତେ ଶରଣାର୍ଥୀ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ଆସିଛନ୍ତି, ସେମାନେ ନିୟମାନୁସାରେ ଆସିଛନ୍ତି ନା ନାହିଁ ତାହା ଅସ୍ପଷ୍ଟ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons