ଅନୁଗୁଳ,(ବି.ବି.ନୁ୍ୟଜ୍): ୨୦୧୮ ମସିହାର ବାଘ (ମହାବଳ) ଗଣନା ରିପୋର୍ଟ୍ ମଙ୍ଗଳବାର ସାର୍ବଜନୀନ କରିଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ରିପୋର୍ଟ ଅନୁସାରେ ୨୦୧୪ ଗଣନା ଅନୁସାରେ ଚଳିତ ବର୍ଷ ଦେଶରେ ବାଘ ସଂଖ୍ୟା ବୃଦ୍ଧିପାଇଛି । ଦେଶରେ ବାଘସଂଖ୍ୟା ବୃଦ୍ଧି ଘଟିଥିଲେ ହେଁ ଓଡ଼ିଶାରେ ଏହି ସ୍ଥିତି ନିରୁତ୍ସାହଜନକ । ୨୦୧୪ ମସିହାରେ ଯେତିକି ଥିଲେ, ଚାରି ବର୍ଷ ପରେ ବି ସେତିକି, ମାତ୍ର ୨୮ଟି । ଶିମିଳିପାଳ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବାଘଙ୍କ ସଂଖ୍ୟା ଆଶାତୀତ ହ୍ରାସ ପାଇଛି । ସଂରକ୍ଷଣ ନାଁ’ରେ ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସାତକୋଶିଆ ପ୍ରକଳ୍ପରେ ମାତ୍ର ଗୋଟିଏ ବାଘ (ବାଘୁଣୀ) ଥିବା ଜଣାପଡ଼ିଛି । ସାତକୋଶିଆର ଏହି ଏକମାତ୍ର ମହାବଳ ବାଘୁଣୀ ଲାଞ୍ଜରେ ସଂକ୍ରମଣଜନିତ ଘା’ ହୋଇଥିବା ୪ ମାସ ତଳୁ ଜଣାପଡ଼ିଲାଣି । ହେଲେ ଚିକିତ୍ସା ପାଇଁ ବନବିଭାଗର ସମସ୍ତ ଉଦ୍ୟମ ଫେଲ୍ ମାରିଛି । ବାଘୁଣୀକୁ କାବୁ କରିବାକୁ ବନ ବିଭାଗ ନାକେଦମ ହେଲାଣି ।
ସାତକୋଶିଆ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ମୁକ୍ତ ଭାବରେ ବିଚରଣ କରୁଥିବା ବାଘୁଣୀକୁ ଧରିବାକୁ ରାଇଗୁଡ଼ା ନିକଟରେ ଏକ ସ୍ୱତନ୍ତ୍ର ଯନ୍ତା (ଖୁଆଡ଼) ନିର୍ମାଣ କରାଯାଇଛି । ଗତ ୧୩ ତାରିଖ ରାତିରେ ବାଘୁଣୀ ପ୍ରଥମ ଥର ପାଇଁ ଯନ୍ତା ମଧ୍ୟକୁ ପ୍ରବେଶ କରିଥିଲା । ଶିକାର ଛଡ଼ାଯାଇଥିଲେ ହେଁ ତା’ ଆଡ଼କୁ ଦୃଷ୍ଟି ଦେଇନଥିଲା । ମାତ୍ର ୧୦ ମିନିଟ୍ ଭିତରେ ବୁଲାବୁଲି କରି ୧୬ ଫୁଟ୍ ତାରଜାଲି ବାଡ଼ ଡେଇଁ ଜଙ୍ଗଲକୁ ପଳାଇ ଯାଇଥିଲା । ଏହି ଘଟଣା ପରଠାରୁ ବନବିଭାଗର ଚେତା ପଶିଛି । ବାଘୁଣୀକୁ କାବୁ କରିବାକୁ ଭିନ୍ନ ଉପାୟ ଗ୍ରହଣ କରାଯାଇଛି । ସେ ଅନୁଯାୟୀ ଖୁଆଡ଼ ରୂପରେଖରେ ପରିବର୍ତନ କରାଯାଉଛି ବୋଲି ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍ସିସିଏଫ୍) ପ୍ରଦୀପ ରାଜ କରାଟ ସୂଚନା ଦେଇଛନ୍ତି ।
ଶ୍ରୀ କରାଟ କହିଛନ୍ତି, ଗତ ରବିବାର ରାତି ସାଢେ଼ ୯ଟା ବେଳେ ବାଘୁଣୀ ପୁଣି ଖୁଆଡ଼ ନିକଟକୁ ଆସିଥିଲା । ପାଖରେ ବୁଲାବୁଲି କରି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା । ବାଘୁଣୀର ସମସ୍ତ ଗତିବିଧି ସିସିଟିଭିରେ କଏଦ୍ ହୋଇଛି । ବାଘୁଣୀର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ନଥିବା ସିସିଟିଭି ରେକଡର଼୍ରୁ ଜଣାପଡ଼ୁଥିଲେ ହେଁ ତାର ଚିକିତ୍ସା ପାଇଁ ଉଦ୍ୟମ କରାଯାଉଛି । ବାଘୁଣୀକୁ କାବୁ କରିବାକୁ ଖୁଆଡ଼ରେ ଏକ ସ୍ପି୍ରଂଗ୍ ଗେଟ୍ ଲଗାଯାଇଛି । ୧୫ ଫୁଟ୍ର ଏହି ଗେଟ୍କୁ ଆବଶ୍ୟକସ୍ଥଳେ ୫ ଫୁଟକୁ ବି ଖସାଇ ଦିଆଯାଇପାରିବ । ସେହିପରି ଖୁଆଡ଼ର ପରିସୀମା ଅଧା ହ୍ରାସ କରାଯାଇଛି । ଖୁଆଡ଼ ଉପର ଭାଗ ଶକ୍ତ ତାରଜାଲି ଦ୍ୱାରା ଆବଦ୍ଧ କରାଯାଇଛି, ଯେପରିକି ଖୁଆଡ଼ରେ ବାଘୁଣୀ ପଶିଲେ ଆଉ ଖସିଯାଇପାରିବ ନାହିଁ । ଏହାର ନିର୍ମାଣ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବେଳେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଶେଷ ହେବ ବୋଲି ଆର୍ସିସିଏଫ୍ କହିଛନ୍ତି ।
ସୂଚନାଯୋଗ୍ୟ, ସାତକୋଶିଆ ଅଭୟାରଣ୍ୟରେ ମୁକ୍ତ ଭାବରେ ବୁଲୁଥିବା ଏକମାତ୍ର ମହାବଳ ବାଘୁଣୀ ଲାଞ୍ଜରେ ଘା’ ହୋଇଥିବା ୪ ମାସ ତଳେ ସିସିଟିଭିରୁ ଜଣାପଡ଼ିଥିଲା । ଆଜି ପର୍ଯ୍ୟନ୍ତ କିନ୍ତୁ ତାର ଚିକିତ୍ସା ସମ୍ଭବ ହୋଇପାରିନାହିଁ । ଜଙ୍ଗଲରେ ବୁଲୁଥିବା ବାଘୁଣୀକୁ ଠାବ କରି ଟ୍ରାଂକୁଲାଇଜ୍ ସମ୍ଭବ ନଥିବାରୁ ବନ ବିଭାଗ ରାଇଗୁଡ଼ା ନିକଟରେ ଯନ୍ତା ବ୍ୟବସ୍ଥା କରିଛି । ରାଇଗୁଡ଼ାଠାରେ ବାନ୍ଧବଗଡ଼ର ବାଘୁଣୀ ‘ସୁନ୍ଦରୀ’ ଗୋଟିଏ ଏନ୍କ୍ଲୋଜର ମଧ୍ୟରେ ରହିଥିବା ବେଳେ ତା ନିକଟରେ ସାତକୋଶିଆ ବାଘୁଣୀକୁ କାବୁ କରିବାକୁ ଏହି ଖୁଆଡ଼ ନିର୍ମାଣ ହୋଇଛି । ସାତକୋଶିଆରେ ଲାଗିଥିବା ସିସିଟିଭି ମାଧ୍ୟମରେ ବାଘୁଣୀର ଗତିବିଧି ଉପରେ ନଜର ରଖାଯାଇଛି ।
Comments are closed, but trackbacks and pingbacks are open.