ନବରଙ୍ଗପୁର,(ବି.ବି.ନ୍ୟୁଜ୍): କୌଣସି ଗରିବ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଶବ ସକ୍ରାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ସରକାର ମୃତକଙ୍କ ପରିବାରକୁ ୨ହଜାର ଟଙ୍କା ପ୍ରଦାନ କରୁଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଏହି ଯୋଜନାରେ ଟଙ୍କା ନଥିବା କହି ଲୋକଙ୍କୁ ଫେରାଇ ଦିଆଯାଉଛି । କେବେ କେମିତି ମୃତ୍ୟୁର ୬ମାସ ନହେଲେ ବର୍ଷକ ପରେ ଟଙ୍କା ପ୍ରଦାନ କରାଯାଉଛି । ଜିଲ୍ଲାରେ ଏହି ଯୋଜନା ସମ୍ପୂର୍ଣ୍ଣ ବାଟବଣା ହୋଇଛି । ଜିଲ୍ଲାର ୧୦ଟି ବ୍ଲକର ୧୮୯ ପଞ୍ଚାୟତରେ ୧୫ହଜାର ୮୫୬ ଗରିବ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ପରିବାରବର୍ଗଙ୍କୁ ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ଏପର୍ଯ୍ୟନ୍ତ ମିଳି ନଥିବା ଅଭିଯୋଗ ହୋଇଛି । ଗତ ଅଢେଇବର୍ଷ ହେଲା ଏହି ଯୋଜନାର ଟଙ୍କା ପାଇଁ ହିତାଧିକାରୀ ପଞ୍ଚାୟତ ଦୌଡୁଥିବା ଅଭିଯୋଗ ହୋଇଛି ।
ନବରଙ୍ଗପୁର ଜିଲ୍ଲା ସରପଞ୍ଚ ସଂଘ ଉପସଭାପତି ସନରାଜ ଗଣ୍ଡ କହିଛନ୍ତି ଯେ, ଯୋଜନା ଲାଗୁ ହେବା ଦିନଠାରୁ ଜିଲ୍ଲାର ୧୫ହଜାରରୁ ଅଧିକ ଗରିବ ଲୋକଙ୍କ ମୃତ୍ୟୁ ଘଟିଛି । ହେଲେ ମୃତକଙ୍କ ପରିବାର ହରିଶ୍ଚଚନ୍ଦ୍ର ଯୋଜନା ଅପେକ୍ଷାରେ ରହିଛନ୍ତି ।ମୃତକଙ୍କ ଶବ ପୋଡ଼ିି ଦଶାହ କ୍ରିୟା ସରି କ୍ୟାଲେଣ୍ଡର ଫର୍ଦ୍ଦ ଓଲଟି ବର୍ଷ ପରେ ବର୍ଷ ବିତିଯାଉଛି, ଶ୍ରାଦ୍ଧ ପରେ ଶ୍ରାଦ୍ଧର ତାରିଖ ଚାଲିଆସୁଛି । କିନ୍ତୁ ମୃତକଙ୍କ ପରିବାରକୁ ଏହି ଯୋଜନାର ସହାୟତା ମିଳିପାରୁନି । ଭୋଟ ବେଳେ ନେତାମାନେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ମାଳ ମାଳ ଯୋଜନା କରିଥିବା ଭାଷଣ ଦେଇ ଭୋଟ ନେଉଛନ୍ତି । ହେଲେ ବାସ୍ତବ ଯୋଜନାଗୁଡିକ ତୃଣମୂଳସ୍ତରରେ ଅପହଞ୍ଚ ହୋଇ ରହିଛି । ପଞ୍ଚାୟତଗୁଡିକରେ ହରିଶ୍ଚଚନ୍ଦ୍ର ଯୋଜନାର ସହାୟତା ପାଇଁ ଆବଶ୍ୟକ ପାଣ୍ଠି ନଥିବାରୁ ଏଭଳି ହେଉଥିବା ଶ୍ରୀ ଗଣ୍ଡ କହିଛନ୍ତି । ସୂଚନା ଯୋଗ୍ୟ ଯେ, ଯେକୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ପଞ୍ଚାୟତ ପକ୍ଷରୁ ସରକାରଙ୍କ ହରିଶ୍ଚଚନ୍ଦ୍ର ଯୋଜନାର ସହାୟତା ପାଇଁ ଆବେଦନ କରାଯାଇଥାଏ । ଆବେଦନର ୬ମାସ କିମ୍ବା ବର୍ଷକ ପରେ ହରିଶ୍ଚଚନ୍ଦ୍ର ଯୋଜନାର ସହାୟତା ପଞ୍ଚାୟତକୁ ମିଳୁଥିବା ସେ କହିଛନ୍ତି । ତେଣୁ ସରକାରଙ୍କ ସହାୟତ ପହଞ୍ଚିବା ବେଳେ ଆଉ କେତେ ଜଣ ଆରପାରିକୁ ଚାଲିଯାଉଛନ୍ତି । ମୃତକଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ସହାୟତା ପହଞ୍ଚିବା ବେଳକୁ ବିଳମ୍ବ ଯୋଗୁ ବର୍ଷବର୍ଷ ଧରି ଏହି ସଂଖ୍ୟାରେ ବୃଦ୍ଧି ଘଟୁଛି । ପଞ୍ଚାୟତସ୍ତରରେ ମୃତ୍ୟୁ ଘଟୁଥିବା ବ୍ୟକ୍ତିଙ୍କ କ୍ରମାନ୍ୱୟ ତାରିଖ ଅନୁଯାୟୀ ତାଲିକା ପ୍ରସ୍ତୁତ କରାଯାଉଛି । ସହାୟତା ରାଶି ପହଞ୍ଚିବା କ୍ଷଣି ଆଗ୍ରାଧିକାର ଭିତ୍ତିରେ ମୃତବ୍ୟକ୍ତିଙ୍କ ପରିବାରକୁ ସହାୟତା ଯୋଗାଇ ଦିଆଯାଉଥିବା ସରପଞ୍ଚ ଶ୍ରୀ ଗଣ୍ଡ କହିଛନ୍ତି । ଗତ ଅଢେଇ ବର୍ଷ ହେଲା ହରିଶ୍ଚଚନ୍ଦ୍ର ଯୋଜନାର ସହାୟତା ମିଳି ନଥିବା ନେଇ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ସୁଫଳ ମିଳି ନଥିବା ସେ ପ୍ରକାଶ କରିଛନ୍ତି । ପଞ୍ଚାୟତକୁ ହରିଶ୍ଚଚନ୍ଦ୍ର ଯୋଜନାର ସହାୟତା ପାଇଁ ଆବଶ୍ୟକ ପାଣ୍ଠି ଯୋଗାଇବାକୁ ଦାବି କରାଯାଇଛି । ସରପଞ୍ଚ ଭାବେ ଲୋକଙ୍କ ନିକଟରେ ଠିଆ ହେବାକୁ ଲାଜ ମାଡୁଛି ବୋଲି ସରପଞ୍ଚମାନେ କିଛିଦିନ ତଳେ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ । ଏନେଇ ଜିଲ୍ଲାପାଳ ଡ.ଅଜିତକୁମାର ମିଶ୍ର ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରପଞ୍ଚ ସଂଘକୁ ପ୍ରତିଶ୍ରୁତି ଦେଇଥିବା ସରପଞ୍ଚ ଶ୍ରୀ ଗଣ୍ଡ କହିଛନ୍ତି ।
Comments are closed, but trackbacks and pingbacks are open.