ବୈପାରିଗୁଡା,(ବି.ବି.ନୁ୍ୟଜ୍): ଗାଁକୁ ନାହିଁ ପକ୍କା ରାସ୍ତାଟିଏ । ମଝିରେ ପଡୁଛି ନାଳ । ତା ଉପରେ ବି ପୋଲ ନାହିଁ । ବର୍ଷା ଯୋଗୁ ଫୁଲି ରହିଛି ନାଳ । ଏଭଳି ଅବସ୍ଥାରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ୭ଜଣଙ୍କୁ ଡାକ୍ତରଖାନା ନେବା ଲାଗି ନାହିଁ ନଥିବା ଦୁର୍ଦ୍ଧଶା ଭୋଗିଛନ୍ତି ଗାଁ ଲୋକେ । ଷ୍ଟେ୍ରଚରରେ ସେମାନଙ୍କୁ ବୋହି କରି କାଦୁଅ ପଚପଚ ରାସ୍ତା ସାଙ୍ଗକୁ ନାଳ ପାରି କରାଇଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ୍ ମାଠପଡା ପଞ୍ଚାୟତର ବାଣୁଆଗୁଡାରେ ।
ଗାଁରେ ଆକ୍ରାନ୍ତ ହୋଇଥିଲେ ମୋଟ ୯ଜଣ । ସେମାନଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ସେମାନେ ହେଲେ ଟେବ ମାଠପାଡିଆ, ବଲା ମିନରବାଲିଆ, କମଳୁ ପୂଜାରୀ, ବିଦ୍ୟାଧର ପୂଜାରୀ, ସନାଇ ପୂଜାରୀ, ପଦ୍ମନ ପୂଜାରୀ, ଲିଳା ବନୁଆ । ଗ୍ରାମବାସୀ ଏ ସମ୍ପର୍କରେ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ । କିନ୍ତୁ ଗାଁଠାରୁ ୧ କିଲୋମିଟର ଦୂରରେ ଅଟକିଯାଇଥିଲା ଆମ୍ବୁଲାନ୍ସ । ମଝିରେ ନାଳ ଓ ଗାଁକୁ ପକ୍କା ରାସ୍ତା ନଥିବାରୁ ଆଉ ଗଡିପାରିନଥିଲା ଏହାର ଚକ । ତେଣେ ରୋଗୀମାନଙ୍କ ଅବସ୍ଥା ସଙ୍ଗୀନ ହୋଇପଡିଥିଲା । ଏକାଠି ହୋଇଥିଲେ ଗାଁ ଲୋକେ । ଷ୍ଟେ୍ରଚରରେ ସେମାନଙ୍କୁ ପାଳି କରି ବୋହିବା ଆରମ୍ଭ କରିଥିଲେ । କାଦୁଅ ରାସ୍ତା ପାରି ହେବା ପରେ ନାଳ ପାଣିରେ ପଶିଥିଲେ । ବଡ କଷ୍ଟରେ ନାଳ ପାରି ହେବା ପରେ ପହଞ୍ଚିଥିବା ଆମ୍ବୁଲାନ୍ସରେ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ସଙ୍ଗେ ସଙ୍ଗେ ଆରମ୍ଭ ହୋଇଥିଲା ଚିକିତ୍ସା । ଆକ୍ରାନ୍ତମାନଙ୍କ ଅବସ୍ଥା ସ୍ଥିର ରହିଥିବା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅଧିରାଜ ସାହୁ କହିଛନ୍ତି । ଅନ୍ୟପକ୍ଷରେ ଆଉ ୨ ଅସୁସ୍ଥ ଗାଁରେ ରହିଛନ୍ତି । ସେମାନେ ହେଲେ ମହେଶ୍ୱର ମାଠପାଡିଆ ଓ ଜେମା ପୂଜାରୀ । ଡାକ୍ତର ଶ୍ରୀ ସାହୁ କହିଛନ୍ତି, ଝାଡାବାନ୍ତି ବ୍ୟାପିବାର ପ୍ରକୃତ କାରଣ ଜଣାପଡିନି । ତଥାପି ଖାଦ୍ୟରେ ବିଷକ୍ରିୟା ଯୋଗୁ ହୋଇଥାଇପାରେ । ରବିବାର ଏକ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ ଗାଁକୁ ଯିବ । ସେଠାରେ ଅନ୍ୟ ଆକ୍ରାନ୍ତମାନଙ୍କ ଚିକିତ୍ସା କରିବା ସହ ପ୍ରକୃତ କାରଣ ଖୋଜିବ ।
Comments are closed, but trackbacks and pingbacks are open.