ବାତ୍ୟା ଅମ୍ଫାନ: ଭାଙ୍ଗି ଦେଇଛି ଚାଷୀ ପୁଅର ଅଣ୍ଟା

Get real time updates directly on you device, subscribe now.

ବାଲେଶ୍ବର: ଚାଲିଯାଇଛି ବାତ୍ୟା ଅମ୍ଫାନ, ହେଲେ ଛାଡି ଯାଇଛି ଛାପ । ଉଜାଡି ଦେଇଛି ହେକ୍ଟର ହେକ୍ଟର ଚାଷ । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀକୂଳ । ବାଲେଶ୍ବର ଏବଂ ଭଦ୍ରକରେ ପ୍ରବଳ ବର୍ଷା ଏବଂ ପବନ ପାଇଁ ବ୍ୟାପକ ଫସଲ ନଷ୍ଟ ହୋଇଛି । କେନ୍ଦ୍ରାପଡା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ବି ଧାନ, ପାନ, ମୁଗ, ବିଗି, ପନିପରିବା ଫସଲ ନଷ୍ଟ କରିଛି ବାତ୍ୟା ।
ପବନ ଏବଂ ବର୍ଷା ମାଡରେ ଶୋଇ ଯାଇଛି ହେକ୍ଟର ହେକ୍ଟର ଧାନ ଫସଲ । ପାଚିଲା କ୍ଷେତରେ ଲହଡି ମାରୁଛି ପାଣି । ଅମ୍ଫାନ ବାତ୍ୟା ଓଡିଶା ଉପକୂଳ ଅତିକ୍ରମ କଲାବେଳେ ଭାଙ୍ଗି ଦେଇଛି ଚାଷୀପୁଅର ଅଣ୍ଟା । ପାଣିରେ ଭାସୁଛି ଧାନ । ଏହାକୁ ଦେଖି କେମିତି ବା ଧୈର୍ୟ୍ୟ ଧରନ୍ତା ଚାଷାପୁଅ । ବାଲିଆପାଳ, ସୋର, ଖଇରା ବ୍ଲକରେ ବି ସମାନ ଅବସ୍ଥା । ବାଲେଶ୍ବର ଜିଲ୍ଲାରେ ୩୨ ହଜାର ୩୪ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ୨୪ ହଜାର ହେକ୍ଟର ଧାନ ଫସଲ ବାତ୍ୟାରେ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । କେବଳ ଧାନ ନୁହେଁ, ବାଲେଶ୍ବର ଜିଲ୍ଲାର ୧୨ ଟି ବ୍ଲକରେ ପନି ପରିବା, ଚିନାବାଦାମ ଚାଷ ମଧ୍ୟ ନଷ୍ଟ ହୋଇଛି ।
ବାଲେଶ୍ବର ଭଳି ଭଦ୍ରକ ଜିଲ୍ଲାରେ ବି ବ୍ୟାପକ ଫସଲ ନଷ୍ଟ କରିଛି ବାତ୍ୟା । ୪ ମାସ ଧରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି। ଧାନ, ପନି ପରିବା, ଆଖୁ ଏବଂ ବିଭିନ୍ନ ଡାଲି ଜାତୀୟ ଫସଲ ନଷ୍ଟ ହୋଇଛି । ଧାମରାରେ ସମୁଦ୍ର ଜୁଆର ମାଡି ଆସିବାରୁ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି । କରୋନା କଟକଣା ସ୍ଵତ୍ବେ ବିଭିନ୍ନ ଉପାୟରେ କୀଟନାଶକ, ସାର, ବିହନ ସଂଗ୍ରହ କରି ଚାଷ କରିଥିଲା ଚାଷୀ । କିନ୍ତୁ ଠିକ୍ ଅମଳ ସମୟରେ ବାତ୍ୟା ସେମାନଙ୍କ ମୁହଁରୁ ହସ ଛଡାଇନେଇଛି ।
ବାତ୍ୟା ଉଜାଡି ଦେଇଛି ଚାଷୀର ସ୍ବପ୍ନ । ପାଚିଲା ମୁଗ କ୍ଷେତରେ ଲହଡି ମାରୁଛି ପାଣି । ନଷ୍ଟ ହେବାକୁ ବସିଛି ହେକ୍ଟର ହେକ୍ଟର ମୁଗ ଫସଲ । କେବଳ କେନ୍ଦ୍ରାପଡା ବ୍ଲକ ନୁହେଁ ଜିଲ୍ଲାର ଅଧିକାଂଶ ସ୍ଥାନରେ ଡାଲି ଜାତୀୟ ଫସଲ ସହ ପନିପରିବା, ଧାନ ଉଜୁଡିବା ଉପରେ । ସମାନ ଅବସ୍ଥା ଜଗତସିଂହପୁ ଜିଲ୍ଲାରେ । ଏଠି ବାତ୍ୟା ଉଡାଜି ଦେଇଛି ଚାଷୀର କ୍ଷେତ । ଧାନ, ପାନ, ପନିପରିବା କ୍ଷେତ ନଷ୍ଟ ହୋଇଛି । ଅନେକ ପାନ ବରଜ ମାଟିରେ ଶୋଇ ଯାଇଛି । ଏ ଦୃଶ୍ୟ ଏରସମା ବ୍ଲକ ଢ଼ିଙ୍କିଆ ପଞ୍ଚାୟତର । ଛାରଖାର ହୋଇଯାଇଛି ଶହ ଶହ ପାନ ବରଜ । ପରିବାର ପ୍ରତିପୋଷଣର ମାଧ୍ୟମ ଉଜୁଡିଯିବା ପରେ ଚାଷୀ ମୁଣ୍ଡରେ ଚଡକ ପଡିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ, କାକଟପୁର ଏବଂ କଟକ ଜିଲ୍ଲା ନିଆଳି ଅଞ୍ଚଳରେ ମଧ୍ୟ ଶତାଧିକ ପାନ ବଜର ଧରାଶାୟୀ ହୋଇଛି । କ୍ଷୟକ୍ଷତିର ଉପଯୁକ୍ତ ଆକଳନ କରି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons