ଡେରାଡୁନ: ଉତ୍ତରାଖଣ୍ଡର ଓ ହିମାଚଳ ପ୍ରଦେଶରେ ଆଜି ବାଦଲ ଫଟା ବର୍ଷା ଓ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି । ଏଥିରେ ଉଭୟ ରାଜ୍ୟରେ ଆଜି ବର୍ଷା ଓ ବନ୍ୟା ଯୋଗୁ ୩୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।
ଉତ୍ତରକାଶୀ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁ ଟୋନ୍ସ ନଦୀରେ ଅଚାନକ ବନ୍ୟା ଆସିଛି । ଫଳରେ ମୋରି, ଆରାକୋଟ, ଟିକୋଚି ସମେତ ଅନ୍ୟ ବହୁ ଅଞ୍ଚଳରେ ବନ୍ୟାଜଳ ମାଡିଯାଇଛି । ଗୋଟିଏ ଗାଁର ୨୦ଟି ଘର ସହିତ ୧୮ ଜଣ ଭାସିଯାଇ ପ୍ରାଣ ହରାଇଛନ୍ତି । ସେମାନଙ୍କ ମୃତଦେହ ଉଦ୍ଧାର ହୋଇପାରି ନାହିଁ । ସେହିଭଳି ଘର ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୮ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏଥିସହିତ ଆଉ କିଛି ଲୋକ ନିଖୋଜ ମଧ୍ୟ ଅଛନ୍ତି । ନଦୀର ବିଭିନ୍ନ ସ୍ଥାନରେ ଘାଈ ସୃଷ୍ଟି ହେବା ଯୋଗୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି । ଗଙ୍ଗୋତ୍ରି ରାଜପଥକୁ ବନ୍ଦ କରିଦିଆଯାଇଛି । ବିଭିନ୍ନ ସ୍ଥାନରେ ପର୍ଯ୍ୟଟକ ଅଟକି ରହିଛନ୍ତି । ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଉଦ୍ଧାର କାର୍ଯ୍ୟରେ ଆଇଟିବିପି ଯବାନଙ୍କ ସମେତ ଏନ୍ଡିଆରଏଫ ଏବଂ ଏସ୍ଡିଆରଏଫ ଟିମ୍କୁ ନିୟୋଜିତ କରାଯାଇଛି । ପ୍ରବଳ ବର୍ଷା ଯୋଗୁ ଉଦ୍ଧାରକାରୀ ଦଳ ପ୍ରଭାବିତ ଅଞ୍ଚଳରେ ପହଞ୍ôଚବାରେ ସମସ୍ୟା ସୃଷ୍ଟି ହୋଇଛି । ଫଳରେ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଡୋରଡୁନ, ନୈନିତାଲ, ପୌଡି ଗଡୱାଲ, ଉଧାମସିଂହ ନଗର, ଚମ୍ପାୱତ, ହରିଦ୍ୱାର, ତେହରି ଗଡୱାଲ ଓ ଚାମୋଲି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୩ ଦିନ ପାଇଁ ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ୧୧ଟି ଜିଲ୍ଲାରେ ସବୁ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି । ରାଜ୍ୟରେ ଘଟିଥିବା ବନ୍ୟାରେ ଏପର୍ଯ୍ୟନ୍ତ ୩୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।
ସେହିଭଳି ହିମାଚଳ ପ୍ରଦେଶରେ ଆଜି ପ୍ରବଳ ବର୍ଷା ଯୋଗୁ ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି । ଭୂସ୍ଖଳନ, ଗଛ ଉପୁଡ଼ି ଓ ଘର କାନ୍ଥ ଭୁଶୁଡ଼ିବା ଯୋଗୁ ଏହି ମୃତାହତ ଘଟଣା ସାମ୍ନାକୁ ଆସିଛି । ସିମଲାରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ କୁଲୁ, ସିରମୌର, ସୋଲନ ଓ ଚାମ୍ବା ଜିଲ୍ଲାରେ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ସେହିଭଳି ଉନା ଓ ଲାହୁଲ-ସ୍ପିତି ଜିଲ୍ଲାରେ ବର୍ଷା ଯୋଗୁ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଛି । ଆରଟିଓ ଅଫିସ ନିକଟରେ ଭୂସ୍ଖଳନ ହୋଇଛି । ବିୟସ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଭୂସ୍ଖଳନ ଯୋଗୁ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥ ବନ୍ଦ ହୋଇଯାଇଛି । ରାଜ୍ୟର ୬୮ଟି ସ୍ଥାନରେ ରାସ୍ତା ଅବରୋଧ ହୋଇଥିବା ଖବର ମିଳିଛି । ସେଥିରୁ ଚାମ୍ବା ଜିଲ୍ଲାରେ କେବଳ ୪୭ଟି ସ୍ଥାନରେ ରାସ୍ତା ବନ୍ଦ ହୋଇଯାଇଛି । କୁଲୁ ସହର ନିକଟ ବେଲି ବ୍ରିଜ ଭାସିଯାଇଛି । ମଣ୍ଡି-ଯୋଗିନ୍ଦରନଗର ରାଜପଥ ବନ୍ଦ ରହିଛି । କିନ୍ନାଉର ଜିଲ୍ଲାରେ ଥିବା ଡ୍ୟାମରୁ ଜଳ ଛଡ଼ାଯିବା ଯୋଗୁ ସତଲେଜ ନଦୀରେ ପ୍ରବଳ ବନ୍ୟା ଆସିଛି । ବର୍ଷା ଯୋଗୁ ପୋଙ୍ଗ ଓ ଭାକ୍ରା ଡ୍ୟାମ ଜଳସ୍ତର ବଢ଼ିବାରେ ଲାଗିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସିମ୍ଲା, କୁଲୁ, ଉଧାମସିଂହ ନଗର ଓ ଅନ୍ୟ କେତେକ ଜିଲ୍ଲାରେ ଆସନ୍ତାକାଲି ପାଇଁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି ।
Comments are closed, but trackbacks and pingbacks are open.