ବାପାଙ୍କୁ ମୁଖାଗ୍ନି ଦେଇ ପାରିଲେନି ପୁଅ

Get real time updates directly on you device, subscribe now.

ରାୟଗଡ, (ବି.ବି.ନୁ୍ୟଜ୍): ସଙ୍ଗରୋଧରେ ଏକମାତ୍ର ପୁଅ । ବାପାଙ୍କୁ ମୁଖାଗ୍ନି ଦେଇ ପାରିଲେନି । ଭିଡିଓ କଲିଂରେ ଶେଷ ଦର୍ଶନ କଲାପରେ ଶବଦାହ ପାଇଁ ନିଆଯାଇଥିଲା । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ର କେରାଣ୍ଡି ପଞ୍ଚାୟତର ବଳଦା ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି ।
ସୂଚନା ଅନୁଯାୟୀ, କେରାଣ୍ଡି ପଞ୍ଚାୟତ ବଳଦା ଗ୍ରାମର ରାଜୁ ଭୂୟାଁ(୨୫) । କିଛି ମାସହେଲା ଆନ୍ଧ୍ରପ୍ରଦେଶର ରାଜମଣ୍ଡ୍ରିରେ ଶ୍ରମିକ ଭାବେ କାମ କରୁଥିଲେ । ତେବେ ଲକ୍ଡାଉନ୍ ଯୋଗୁ ସେଠାରେ କୌଣସି କାମଧନ୍ଦା ନପାଇ ନିଜ ଭିଟାମାଟିକୁ ଫେରି ଆସିଥିଲେ । ୧୪ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ଥିବାରୁ ସେ ରାୟଗଡ଼ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ଅବଧି ସରିବା ପରେ ଗାଁକୁ ଯାଇ ବାପା ମା’ଙ୍କୁ ଦେଖା କରି ସେମାନଙ୍କ ସୁବିଧା ଅସୁବିଧା ବୁଝିବେ । ଏଭଳି କିଛି ଭାବିଥିଲେ ରାଜୁ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ମଙ୍ଗଳବାର ହଠାତ୍ ବାପା ହନୁ ଭୂୟାଁଙ୍କ ଦେହାନ୍ତ ହୋଇଥିଲା । ଏହି ଖବର ଶୁଣିବା ପରେ ସେ ଭାଙ୍ଗି ପଡ଼ିଥିଲେ । ଗାଁକୁ ଯିବା ପାଇଁ ମନ ବଳାଇଥିଲେ । କିନ୍ତୁ ଗ୍ରାମବାସୀଙ୍କ ଏବଂ ପରିବାର ସଦସ୍ୟଙ୍କ କଥା ଭାବି ସଙ୍ଗରୋଧରୁ ସେ ଯିବେନାହିଁ ବୋଳି ନିଷ୍ପତ୍ତି ନେଇଥିଲେ । ସଙ୍ଗରୋଧ ଅବଧି ସରିନଥିବାରୁ ଯଦି କୌଣସି ଅଘଟଣ ଘଟେ ତାହାହେଲେ ତାଙ୍କ ପରିବାର ଏବଂ ଗାଁ ଲୋକ ବିପଦରେ ପଡ଼ିବା ଆଶଙ୍କା ରହିଥିବାରୁ ସେ ଆଉ ବାପାଙ୍କ ଅନ୍ତେ୍ୟଷ୍ଟିରେ ସାମିଲ୍ ହୋଇନଥିଲେ । ସଙ୍ଗରୋଧ କେନ୍ଦ୍ରରୁ ହିଁ ଭିଡିଓ କଲିଂରେ ବାପାଙ୍କ ଶେଷ ଦର୍ଶନ କରିବା ସହ ଅନ୍ତେ୍ୟଷ୍ଟି ଦେଖିଥିଲେ । ରାଜୁଙ୍କ ଏଭଳି ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି କେରାଣ୍ଡି ସରପଞ୍ଚ ସୁବାଷ ଶବର । ତାଙ୍କ ପରିବାର ଲୋକଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।
ବାପା ହନୁ ଭୂୟାଁ ଏବଂ ମା’ ରଇବାରୀଙ୍କ ଏକ ମାତ୍ର ପୁଅ ହେଉଛନ୍ତି ରାଜୁ । ବାପା ଆନ୍ଧ୍ରର ପଲାସା ଅଞ୍ଚଳରେ କୋଇଲା ବିକ୍ରି କରୁଥିବା ବେଳେ ମା’ ଜଣେ ଭିନ୍ନକ୍ଷମ । ପରିବାରର ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଦୁର୍ବଳ । ତେଣୁ ରାଜୁ କାମ କରିବା ପାଇଁ ଆନ୍ଧ୍ର ଚାଲିଯାଇଥିଲେ । ଯିବା ପରଠାରୁ ଆଉ ବାପାମାଆଙ୍କୁ ଦେଖିପାରିନଥିଲେ ରାଜୁ । ଏତେବଡ଼ ଦୁଃଖକୁ ଛାତିରେ ଚାପି ଗାଁ ଓ ପରିବର ଲୋକଙ୍କ କଥା ଚିନ୍ତା କରି ସେ ବାପାଙ୍କ ଶେଷ କାର୍ଯ୍ୟରେ ଯୋଗନଦେଇ ରହିବା ନିଶ୍ଚିତ ଭାବେ ତାଙ୍କୁ ମହାନ କରିଛି । ରାଜୁ ସଙ୍ଗରୋଧରେ ରହିଥିବାରୁ ତାଙ୍କର କୌଣସି ପ୍ରତିକି୍ରୟା ମଳିପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons