ନୀଳଗିରି,(ବି.ବି.ନୁ୍ୟଜ୍): ଏ କି ବିଚିତ୍ର ଲିଳା! ଘରଠାରୁ ଦୁଇ କିମି ଦୂର କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅଛି ପୁଅ । ହେଲେ ବାପାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେଇପାରୁନି । ଏଥିପାଇଁ ସମସ୍ତଙ୍କୁ ଗୁହାରି କରି ନିରାଶ ହେବା ପରେ ଶେଷରେ ଜିଲ୍ଲାପାଳଙ୍କ କ୍ଷମତା ପାଇଥିବା ସରପଞ୍ଚ ସର୍ତ୍ତ କରି ଛାଡ଼ିଥିଲେ । ଅନ୍ତିମ ସଂସକାର ସରିବା ପରେ ସନ୍ଧ୍ୟା ୫ଟା ସୁଦ୍ଧା କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଫେରିବା ପାଇଁ ସର୍ତ୍ତ ରଖିଥିଲେ ସରପଞ୍ଚ । ଆଜି ଏମିତି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି । ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତର ଗୁହାଳିଆ ଗାଁର ଅମୀର ବେହେରା । ସେ ମୁମ୍ବାଇ ଟାଟା ମେମୋରିଆଲ୍ କ୍ୟାନ୍ସର ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି । ଆଜିକୁ ୪ ବର୍ଷ ହେବ ତାଙ୍କ ବାପା ଦାମୋଦର ବେହେରାଙ୍କ ଦେହ ଅସୁସ୍ଥ ହୋଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ କ୍ୟାନ୍ସର ହୋଇଥିବା ଜଣାପଡିଥିଲା । ପରେ ଅମୀର ତାଙ୍କ ବାପାଙ୍କୁ ମୁମ୍ବାଇ ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ପେରିଥିଲେ । ମାସେ ତଳେ ହଠାତ୍ ଦାମୋଦରଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଯାଇଥିଲା । ଲକ୍ଡାଉନ୍ ଯୋଗୁଁ ତାଙ୍କୁ ମୁମ୍ବାଇ ନିଆଯାଇପାରିଲା ନାହିଁ । ଏପରିକି ମୁମ୍ବାଇରେ ରହୁଥିବା ପୁଅ ଅମୀର ଘରକୁ ଆସିପାରିଲେ ନାହିଁ । ସ୍ଥିତି ବିଗୁଡୁଥିବା ଦେଖି ପରିବାର ଲୋକେ ତାଙ୍କୁ (ଦାମୋଦର) ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏକଥା ଶୁଣି ଅମୀର ମୁମ୍ବାଇରୁ ବାଲେଶ୍ୱର ଧାଇଁ ଆସିଥିଲେ । ହେଲେ ତାଙ୍କ ବାପାଙ୍କୁ ଦେଖା କରିବାକୁ ଦିଆଗଲା ନାହିଁ । ଗାଁଠାରୁ ଦୁଇ କିମି ଦୂର କ୍ୱାରେଣ୍ଟାଇନ୍ରେ ରଖିଦିଆଗଲା । ଯେତେ ଅନୁରୋଧ କଲେ ମଧ୍ୟ କେହି ଶୁଣିଲେ ନାହିଁ । ଗୁରୁବାର ରାତିରେ ମଝିଆଁ ପୁଅକୁ ଦେଖି ନ ପାରି ଆରପାରିକୁ ଚାଲିଗଲେ ବାପା ଦାମୋଦର । ଆଜି ସକାଳେ ତାଙ୍କ ମୃତଦେହ ଗାଁକୁ ଆଣିଲେ ପରିବାର ଲୋକେ । ହେଲେ କ୍ୱାରେଣ୍ଟାଇନ୍ରେ ରହୁଥିବା ମଝିଆଁ ପୁଅ ଅମୀର ବାପାଙ୍କ ମୃତଦେହକୁ ଶେଷ ଥର ପାଇଁ ଦେଖିବାକୁ ପାଇନଥିଲେ । ପରେ ସେ ବାପାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜିଦ୍ ଧରିବାରୁ ଜିଲ୍ଲାପାଳଙ୍କ କ୍ଷମତା ପାଇଥିବା ସରପଞ୍ଚ ଚୁକ୍ତି କରି ଛାଡ଼ି ଥିଲେ । ସନ୍ଧ୍ୟା ୫ଟା ସୁଦ୍ଧା ଫେରିବା ପାଇଁ ସରପଞ୍ଚ ତାଗିଦ୍ କରିଥିଲେ । ଅମୀର ଶ୍ମଶାନରେ ପହଞ୍ଚିଲା ବେଳକୁ ଜୁଇ ସଜା ହୋଇଛି । ମୃତଦେହ ଉପରେ କାଠ ଗଣ୍ଡି ଲଦା ହୋଇଛି । ମେଡିକାଲରେ ଥିଲା ବେଳେ ବାପାଙ୍କୁ ଦେଖଇପାରିନଥିଲେ, ମଲା ପରେ ମଧ୍ୟ ଦେଖିପାରିଲେ ନାହିଁ । ଏଥିରେ ଭାଙ୍ଗି ପଡ଼ିଥିଲେ ଅମୀର । ବାପାଙ୍କ ଜୁଈ ପାଖରେ ମାଟିରେ ମୁଣ୍ଡ ଓ ହାତ ବାଡେ଼ଇ କାନ୍ଦୁଛନ୍ତି ଅମୀର ।


Comments are closed, but trackbacks and pingbacks are open.