ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆରମ୍ଭ ହେଲା କୁକୁଡ଼ା ନିପାତ ଅଭିଯାନ । ବାର୍ଡ ଫ୍ଲୁ ବ୍ୟାପିବା ପରେ ରାଜଧାନୀରେ କୁକୁଡ଼ା ବଂଶ ନିପାତ ପାଇଁ ପଶୁପାଳନ ବିଭାଗର ରାପିଡ୍ ରେସ୍ପନ୍ସ ଟିମ୍ ଲାଗି ପଡ଼ିଛି । ବାର୍ଡ ଫ୍ଲୁ ସଂକ୍ରମିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଗବେଷଣା କେନ୍ଦ୍ରରେ ୭୯୮ କୁକୁଡ଼ା ମାରି ପୋତି ଦିଆଯାଇଛି । ଓୟୁଏଟିର ୧ କିମି ପରିଧି ଅଞ୍ଚଳରେ କୁକୁଡ଼ା ଖାନ୍ତଲାସି ଆରମ୍ଭ କରାଯାଇଛି । ଖୋଜି ଖୋଜି ୧୧୭ କୁକୁଡ଼ାକୁ ମାରିଛନ୍ତି ରାପିଡ୍ ରେସପନ୍ସ ଟିମ୍ ।
କେବଳ ଭୁବନେଶ୍ୱର ନୁହେଁ, ସାରା ରାଜ୍ୟରେ ଏବେ ବାର୍ଡ ଫ୍ଲୁ ଡର ଘାରିଛି । ବାର୍ଡ ଫ୍ଲୁ ଆଶଙ୍କା ଯୋଗୁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ରକ୍ତ, ମଳ ଓ ଲାଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ନଳବଣ ଅଞ୍ଚଳରୁ ତିନିଟି ସାଇବେରିଆନ୍ ପ୍ରଜାତିର ପକ୍ଷୀର ନମୁନା ସଂଗ୍ରହ କରି କଟକ ଫୁଲନଖରାସ୍ଥିତ ପରୀକ୍ଷାଗାରକୁ ପଠାଯାଇଛି । ଗୋଟିଏ ସୋଭଲର ଆଉ ଅନ୍ୟ ଦୁଇଟା ପିଣ୍ଟେଲ ପକ୍ଷୀର ନମୁନା ସଂଗ୍ରହ ହୋଇଛି ।
ରାଜଧାନୀସ୍ଥିତ ଓୟୁଏଟି କୁକୁଡ଼ା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ଆଜିଠୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି । ପୂର୍ବରୁ ମରିଯାଇଥିବା କୁକୁଡ଼ାଗୁଡ଼ିକୁ ଓୟୁଏଟି କର୍ତ୍ତୃପକ୍ଷ ଗାତ ଖୋଳି ପୋତି ଦେଇଥିବାବେଳେ ଆଜି ଅବଶିଷ୍ଟ ୭୯୮ କୁକୁଡ଼ାକୁ ମାରି ପୋତା ଯାଇଛି । ଦୁଇଟି ରାପିଡ୍ ରେସପନ୍ସ ଟିମ୍ ସ୍ୱତନ୍ତ୍ର ପୋଷାକ ପରିଧାନ କରି ଓୟୁଏଟିରେ କୁକୁଡ଼ା ମରା କାର୍ଯ୍ୟରେ ନିୟୋଜିତ ହୋଇଥିଲା । ପ୍ରଥମେ ଫାର୍ମ ଭିତରେ କୁକୁଡ଼ାଗୁଡ଼ିକୁ ମରାଯାଇଥିଲା । ତା’ ପରେ କୁକୁଡ଼ାଗୁଡ଼ିକୁ ବସ୍ତାରେ ପୂରାଇ ଗାତରେ ପୋତା ଯାଇଥିଲା । ପୋତିବାବେଳେ ବ୍ଲିଚିଂ ପାଉଡର, ଚୂନ ପ୍ରୟୋଗ କରାଯାଇଥିଲା । କୁକୁଡ଼ା ସହ ଓୟୁଏଟି ଫାର୍ମର ୧୨୧୫ଟି ଅଣ୍ଡା, ସାଢେ଼ ୨୩ କୁଇଣ୍ଟାଲ କୁକୁଡ଼ା ଖାଦ୍ୟ, ଫାର୍ମରେ ଥିବା କୁକୁଡ଼ା ଖତକୁ ମଧ୍ୟ ଗଭୀର ଗାତରେ ପୋତାଯାଇଥିଲା । ଏହି କୁକୁଡ଼ା ମରା ଅଭିଯାନ ପାଇଁ ଓୟୁଏଟିର କୁକୁଡ଼ା ଫାର୍ମକୁ ସାଧାରଣ ଲୋକଙ୍କ ପ୍ରବେଶ ପୂରାପୂରି ନିଷେଧ କରାଯାଇଛି । କୁକୁଡ଼ା ମାରିବାବେଳେ ପୁଲିସ ମଧ୍ୟ ମୁତୟନ ହୋଇଥିଲେ । ସଂକ୍ରମିତ ସ୍ଥାନରେ ବିଶୋଧକ ଭାବେ ବ୍ଲିଚିଂ ପାଉଡର୍ ସିଞ୍ଚନ କରାଯାଇଛି ।
ଓୟୁଏଟିର ୧ କିମି ପରିଧି ମଧ୍ୟରେ ଥିବା ଶିରିପୁର ହାଟ, ଗଙ୍ଗନଗର ବଜାର, ୟୁନିଟ ୬ ବଜାର, ୟୁନିଟ୍-୮, ଡେଲଟା ଛକ ଅଞ୍ଚଳରେ କୁକୁଡ଼ା ନିପାତ ପାଇଁ ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟରେ ୫ଟି ରାପିଡ୍ ରେସପନ୍ସ ଟିମ୍ ନିୟୋଜିତ ହୋଇଥିଲେ । ମାଂସ ଦୋକାନ ସହ କୁକୁଡ଼ା ଚାଷୀଙ୍କ କୁକୁଡ଼ାକୁ ମରାଯାଇଛି । ଏଭଳି ଭାବେ ୧୧୭ଟି କୁକୁଡ଼ା ଓ ୭ଟି ବତକକୁ ମାରି ଗଭୀର ଗାତରେ ପୋତାଯାଇଥିଲା । ଏହାସହ ଦୋକାନ ଓ କୁକୁଡ଼ା ଚାଷୀଙ୍କ ପାଖରେ ଥିବା କୁକୁଡ଼ା ଅଣ୍ଡାକୁ ନଷ୍ଟ କରାଯାଇଥିଲା । ଓୟୁଏଟିର ୧ କିମି ପରିଧି ଥିବା ଅଞ୍ଚଳରେ ୩୪୧୬ଟି ଅଣ୍ଡା ସହ ୭ କିଲୋଗ୍ରାମ କୁକୁଡ଼ା ଖାଦ୍ୟ ଗଭୀର ଗାତରେ ପୋତାଯାଇଥିଲା । ଏଭଳି ଭାବେ ଓୟୁଏଟି ଓ ଏହାର ୧ କିମି ପରିଧି ଅଞ୍ଚଳରେ ମୋଟ ୯୧୫ଟି କୁକୁଡ଼ା ଓ ୭ଟି ବତକକୁ ମାରି ପୋତା ଯାଇଛି । ସେଥିମଧ୍ୟରେ ୧୧ ବ୍ରଏଲର ଚିଆଁ, ୪୫ ଲେୟର ଚିଆଁ, ୮୫୯ ଲେୟର କୁକୁଡ଼ା ଥିଲେ । ସେହିପରି ମୋଟ ୪୬୩୧ଟି ଅଣ୍ଡା, ୨୩ କୁଇଣ୍ଟାଲ ୫୭ କିଲୋ କୁକୁଡ଼ା ଖାଦ୍ୟ ଓ ଫାର୍ମର ଖତକୁ ମାଟି ତଳେ ପୋତି ଦିଆଯାଇଛି ।
କୁକୁଡ଼ା ଓ ଅଣ୍ଡା ବାବଦରେ ଚାଷୀ ଓ ବ୍ୟବସାୟୀଙ୍କୁ କ୍ଷତିପୂରଣ ଦିଆଯାଇଛି । ବ୍ରଏଲର ଚିଆଁ ପିଛା ୨୦ ଟଙ୍କା, ବ୍ରଏଲର କୁକୁଡ଼ା ପିଛା ୭୦ ଟଙ୍କା, ଲେୟର ଚିଅାଁ ପିଛା ୨୦ ଟଙ୍କା, ଲେୟର କୁକୁଡ଼ା ପ୍ରତି ୯୦ ଟଙ୍କା, ବତକ ଚିଅାଁ ପ୍ରତି ୩୫ ଟଙ୍କା, ବତକ ପିଛା ୧୩୫ ଟଙ୍କା ଦିଆଯାଇଛି । ସେହିପରି ଅଣ୍ଡା ପାଇଁ ୩ ଟଙ୍କା ଓ କୁକୁଡ଼ା ଦାନା କିଲୋ ପ୍ରତି ୧୨ ଟଙ୍କା ହିସାବରେ କ୍ଷତିପୂରଣ ଦିଆଯାଇଛି । ଆଜି ପ୍ରଥମ ଦିନରେ ମୋଟ ୧୭,୮୮୭ ଟଙ୍କା କ୍ଷତିପୂରଣ ଆକାରରେ ଦିଆଯାଇଛି । ଓୟୁଏଟି କୁକୁଡ଼ା ଫାର୍ମ ସରକାରୀ ଫାର୍ମ ହୋଇଥିବାରୁ ସେଠାରେ କୌଣସି କ୍ଷତିପୂରଣ ଦିଆଯାଇନଥିଲା ।
ପଶୁପାଳନ ବିଭାଗ ପକ୍ଷରୁ କୁହାଯାଇଛି, ବୁଧବାର ମଧ୍ୟ କୁକୁଡ଼ା ମରା ଓ ବିଶୋଧନ ପ୍ରକ୍ରିୟା ଜାରି ରହିବ । ବିଶେଷ କରି ଓୟୁଏଟି କୁକୁଡ଼ା ଫାର୍ମ ଓ ୧ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ଏହି ଅଭିଯାନ ଚାଲିବ । ଏହାବାଦ୍ ୧ରୁ ୧୦ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ରାପିଡ୍ ରେସପନ୍ସ ଟିମ୍ ତନ୍ନତନ୍ନ କରି ନିରୀକ୍ଷଣ କରିବେ । ରାଜଧାନୀ ସାରା କୁକୁଡ଼ା ମାଂସ ଦୋକାନ, ଫାର୍ମରେ କୁକୁଡ଼ାଗୁଡ଼ିକର ନମୁନା ପରୀକ୍ଷା କରାଯିବ ।
Comments are closed, but trackbacks and pingbacks are open.