ବାଲେଶ୍ୱର,(ବି.ବି.ନୁ୍ୟଜ୍): ଦୁଇଦିନର ବ୍ୟବଧାନ ପରେ ବାଲେଶ୍ୱର ଜିଲ୍ଲାରେ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୁଧବାର ରାଜ୍ୟରେ ୭ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ କରାଯାଇଥିବାବେଳେ ସେଥିମଧ୍ୟରୁ ବାଲେଶ୍ୱରରେ ୩ ଜଣ ଅଛନ୍ତି । ଏଥିସହ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ଚିହ୍ନଟ ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସ୍ପଷ୍ଟ ହୋଇଛି ।
ବୁଧବାର ତିନିଟି ପର୍ଯ୍ୟାୟରେ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଥିଲା । ତୃତୀୟ ପର୍ଯ୍ୟାୟରେ ବାଲେଶ୍ୱର ଜିଲ୍ଲାର ୩ ଜଣ ଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ତିନିଜଣ ସମସ୍ତ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ ୪୪, ୬୧, ୬୩ ବର୍ଷ । ସେମାନଙ୍କ ମଧ୍ୟରୁ ୨ଜଣ ସୋର ବ୍ଲକ, ଅନ୍ୟଜଣେ ଖଇରା ବ୍ଲକର ବୋଲି ଜଣାପଡ଼ିଛି ।
ମିଳିଥିବା ତଥ୍ୟ ମୁତାବକ, ସୋର ବ୍ଲକରୁ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ଘର ସବିରା ପଞ୍ଚାୟତ ହୋଇଥିବାବେଳେ ଅନ୍ୟ ଜଣକଙ୍କ ଘର ତଳନଗର ପଞ୍ଚାୟତର । ଏମାନେ କଲିକତାରେ କାମ କରୁଥିଲେ । କଲିକତାରୁ ଫେରିବା ପରେ ସେମାନଙ୍କୁ କ୍ୱାରେନଣ୍ଟାଇନ୍ରେ ରଖାଯାଇଥିଲା । ସେହିଭଳି ଖଇରା ବ୍ଲକରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଅନ୍ତରା ପଞ୍ଚାୟତର । ସେ ମଧ୍ୟ କଲିକତାରୁ ଫେରିବା ପରେ କ୍ୱାରେନଣ୍ଟାଇନରେ ଥିଲେ । ଏକ ଅସମର୍ଥିତ ସୂତ୍ର ମୁତାବକ ଏହି ତିନୋଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ମାତ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନି । ବୁଧବାର ଚିହ୍ନଟ ୩ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ କରାଯାଇନି । ଏମାନେ କାହା କାହା ସଂସ୍ପର୍ଶରେ ଆସିଥିଲେ ତାହା ମଧ୍ୟ ସ୍ପଷ୍ଟ ହୋଇନି ।
ସୂଚନାଯୋଗ୍ୟ, ଚଳିତମାସ ୧୮ ତାରିଖରେ ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ କରାଯାଇଥିଲା । ଏହି ରିପୋର୍ଟ ଆସିବା ଠିକ୍ ଦିନ ପରେ ଜିଲ୍ଲାରେ ଆଉ ୨ଜଣଙ୍କ ପଜିଟିଭ ରିପୋର୍ଟ ଆସିଲା । ସେମାନଙ୍କ ମଧ୍ୟରୁ ନୀଳଗିରି ଅଞ୍ଚଳର ଜଣେ ଅଢେ଼ଇ ବର୍ଷର ଶିଶୁ ଥିବାବେଳେ ବାଲେଶ୍ୱର ଭାସ୍କରଗଞ୍ଜ ଅଞ୍ଚଳର ଅନ୍ୟ ଜଣେ ଆରପିଏଫ କର୍ମଚାରୀ ଥିଲେ । ଏହାର ଦିନକ ପରେ ଅର୍ଥାତ୍ ୨୦ ତାରିଖରେ ଜିଲ୍ଲାରେ ଆଉ ନୂଆ ୫ କରୋନା ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିଥିଲା । ଏହାର ଦୁଇଦିନ ପରେ ୨୩ ତାରିଖରେ ପୁନଶ୍ଚ ୨ଟି ପଜିଟିଭ ରିପୋର୍ଟ ଆସିଥିଲା । ଗତ ୨୭ ତାରିଖରେ ଜିଲ୍ଲାର ଆଉ ୫ଜଣଙ୍କ ପଜିଟିଭ ରିପୋର୍ଟ ଆସିଥିଲା ।
Comments are closed, but trackbacks and pingbacks are open.