ବାସନ୍ତୀ କଲୋନୀ ଉଚ୍ଛେଦକୁ ତୀବ୍ର ବିରୋଧ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ତମାଣ୍ଡୋ ଥାନା ଅନ୍ତର୍ଗତ ସୁବୁଦ୍ଧିପୁର ମୌଜାରେ ସରକାରୀ ଜମିରେ ଗଢ଼ି ଉଠିଥିବା ବାସନ୍ତୀ କଲୋନୀ ଉଚ୍ଛେଦ କରିବାକୁ ଆଜି ବିଡିଏ ପୁଲିସ ଫୋର୍ସ ସହ ପୂରା ଥାଟପାଟ ନେଇ ପହଞ୍ଚିଥିଲା । ତେବେ ବିନା ନୋଟିସ୍ରେ କରୋନା କଟକଣା ସମୟରେ ଏହି ଉଚ୍ଛେଦ ହେଉଥିବା ଦର୍ଶାଇ ଆରମ୍ଭରୁ ପ୍ରବଳ ବିରୋଧ ହୋଇଥିଲା । ବାସନ୍ତୀ କଲୋନୀର ଲକ୍ଷ୍ମୀନଗରବାସୀ ଆଜି ଜେସିବି ମେସିନ ଆଗରେ ଛିଡ଼ା ହୋଇ ଉଚ୍ଛେଦକୁ ବିରୋଧ କରିଥିଲେ । ଏହି ସମୟରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । ଏଥିରେ କଲୋନୀର ୨ଜଣ ମହିଳା ଆହତ ହୋଇଛନ୍ତି । ତୀବ୍ର ବିରୋଧ ଯୋଗୁଁ ଏନ୍ଫୋର୍ସମେଣ୍ଟ୍ ଟିମ୍କୁ ପଛଘୁଞ୍ଚା ଦେବାକୁ ପଡ଼ିଥିଲା ।
ଘଟଣାରୁ ଜଣାଯାଇଛି, ତମାଣ୍ଡୋ ପଞ୍ଚାୟତର ସୁବୁଦ୍ଧିପୁର ମୌଜାର ସରକାରୀ ଜମିରେ ଗଢ଼ି ଉଠିଛି ବାସନ୍ତୀ କଲୋନୀ । କଳିଙ୍ଗବିହାରକୁ ଲାଗି ଗଢ଼ି ଉଠିଥିବା ଏହି କଲୋନୀକୁ ଉଚ୍ଛେଦ କରିବାକୁ ବିଡିଏ ପକ୍ଷରୁ ବହୁଥର ଉଦ୍ୟମ ହୋଇଛି । କିନ୍ତୁ ଏହା ସଫଳ ହୋଇ ପାରିନି । ତେବେ ବିନା ନୋଟିସରେ ଆଜି ହଠାତ୍ ବିଡିଏ ତମାଣ୍ଡୋ ଥାନା ପୁଲିସ ସହ ୨ ପ୍ଲାଟୁନ୍ ଫୋର୍ସ ନେଇ ସେଠାରେ ପହଞ୍ଚିଥିଲା । ପ୍ରଥମେ ଲକ୍ଷ୍ମୀନଗରକୁ ଉଚ୍ଛେଦ କରିବାକୁ ବାହରିଥିବା ବେଳେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ମାଡ଼ି ଆସିଥିଲେ । କରୋନା କଟକଣା ସମୟରେ ଆମେ କେଉଁଆଡେ଼ ଯିବୁ ବୋଲି କହି ଲୋକେ ହୋହଲ୍ଲା କରିବା ସହ ଜେସିବି ମେସିନ ଆଗରେ ଛିଡ଼ା ହୋଇଥିଲେ । ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କଲାବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । ବିରୋଧକୁ ଖାତିର ନ କରି ଜେସିବି ଦ୍ୱାରା ଦୁଇଟି କାନ୍ଥ ଭଙ୍ଗା ହେଉଥିବା ବେଳେ ସେଠାରେ ମହିଳାମାନେ ଜେସିବି ମେସିନ ଆଗରେ ଛିଡ଼ା ହୋଇଥିଲେ । ଧସ୍ତାଧସ୍ତି ହୋଇ ବସ୍ତିର କମଳା ବେହେରା(୭୦) ଓ ସସ୍ମିତା ବେହେରା(୨୫) ତଳେ ସଂଜ୍ଞାହୀନ ହୋଇ ପଡ଼ିଥିଲେ । ଉଭୟଙ୍କୁ ଆମ୍ବୁଲାନ୍ସ ଡକାଇ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ ପଠା ଯାଇଥିଲା । ତୀବ୍ର ବିରୋଧ ଓ ୨ ମହିଳା ଆହତ ହେବା ଦେଖି ସେଠାରୁ ଏନ୍ଫୋର୍ସମେଣ୍ଟ ଟିମ୍ ଫେରି ଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons