ଭୋଗରାଇ,(ବି.ବି.ନୁ୍ୟଜ୍): ରବିବାର ବାହାଘର ସରିଥିଲା । ବୁଧବାର ଥିଲା ଚତୁର୍ଥି ଭୋଜି । ଘରେ ସମସ୍ତେ ଆନନ୍ଦରେ ମସଗୁଲ ଥିଲେ । ମାତ୍ର ନିମିଷକ ମଧ୍ୟରେ ସବୁ କିଛି ହସ ମିଳାଇଗଲା । ଚତୁର୍ଥି ଭୋଜି ପାଇଁ ପରିବା କଟାକଟି କରିବାକୁ ଆସିଥିବା ଲୋକଙ୍କ ସମେତ ଘରର ବନ୍ଧୁବାନ୍ଧବମାନେ ଫୁରାଡନ (କୀଟନାଶକ ଔଷଧ) ମିଶା ଚା’ ପିଇ ଗୁରୁତର ହୋଇପଡ଼ିଲେ । ଏପରିକି ଚା’ ତିଆରି କରିଥିବା ୭୦ବର୍ଷର ବୃଦ୍ଧା ଜଣକ ମଧ୍ୟରେ ଏଥିରୁ ବର୍ତ୍ତିନାହାନ୍ତି । ସମସ୍ତଙ୍କୁ ଗୁରୁତର ୧୧ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାନ୍ଥିଭଉଁରୀ ପଞ୍ଚାୟତ ଅଧୀନ ରଣସିଂହପୁର ଗାଁରେ ।
ମିଳିଥିବା ସୂଚନା ଅନୁଯାୟୀ, ରଣସିଂହପୁର ଗାଁର ସନ୍ତୋଷ ପ୍ରଧାନଙ୍କ ଏକମାତ୍ର ପୁଅ ଶିବଶଙ୍କରଙ୍କ ବାହାଘର ରବିବାର ସରିଥିଲା । ବୁଧବାର ଚତୁର୍ଥି ଅବସରରେ ପ୍ରାୟ ୩ଶହ ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ ଚାଲିଥିଲା । ପରିବା କଟାକଟି ପାଇଁ ନିକଟସ୍ଥ ନାଫରାଇ ଗାଁରୁ କିଛି ଯୁବକ ମଧ୍ୟ ଆସିଥିଲେ । ବୁଧବାର ସକାଳ ପ୍ରାୟ ୬ଟାରେ ଚା’ ତିଆରି ଆରମ୍ଭ ହୋଇଥିଲା । ଘରକୁ ଆସିଥିବା ଜଣେ କୁଣିଆ କିସମତ୍ ନାଫରାଇ ଗାଁର ବାସନ୍ତୀ ଜେନା(୭୦) ଚା’ ତିଆରି କରିଥିଲେ । ପ୍ରଥମେ ପ୍ରାୟ ୫ଜଣଙ୍କ ପାଇଁ ଚା’ ତିଆରି ହୋଇଥିଲା । ପରବର୍ତ୍ତୀ ସମୟରେ ଚା’ ପିଇବା ଲୋକ ଅଧିକ ହେବାରୁ ଚିନି, ଅମୁଲ କ୍ଷୀର ପକାଇ ଅଧିକ ଚା’ ତିଆରି କରିଥିଲେ । ମାତ୍ର ସେତେବେଳକୁ ଚା’ ଶେଷ ହୋଇଯାଇଥିଲା । ପାନ ବରଜ ପାଇଁ ଆସିଥିବା ଫୁରାଡନ କୀଟନାଶକ କିଛି ବଳି ଯିବାରୁ ରୋଷେଇ ଘର ଚାଳରେ ଏକ କାଗଜରେ ରଖାଯାଇଥିଲା । ସେହି କୀଟନାଶକ ଔଷଧକୁ ଚା’ ଭାବି କଢେ଼ଇରେ ପକାଇ ଦେଇଥିଲେ ବୃଦ୍ଧା ଜଣକ । ପରେ ସମସ୍ତଙ୍କୁ ଚା’ ପରଶିଥିଲେ । ବୃଦ୍ଧା ଜଣକ ନିଜେ ମଧ୍ୟ ପିଇଥିଲେ । ଖାଲି ପେଟ, ପୁଣି ମିଠା ସହିତ କୀଟ ନାଶକ ଔଷଧ, ଯାହା ଅଧିକ ବିପଦକୁ ଟାଣି ଆଣିଥିଲା । ଦେଖୁ ଦେଖୁ ଏହି ଚା’ ପିଇଥିବା ଲୋକମାନଙ୍କୁ ବାନ୍ତି ଆରମ୍ଭ ହୋଇଥିଲା । ସେମାନେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ । ତୁରନ୍ତ ସେମାନଙ୍କୁ ଶ୍ରଦ୍ଧାପୁର ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ସେଠାରେ କୌଣସି ଡାକ୍ତର ନଥିବାରୁ ଫାର୍ମାସିଷ୍ଟ ଜଳେଶ୍ୱରପୁର ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ । ଜଳେଶ୍ୱରପୁର ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଗୋÂୀ ସ୍ୱାସ୍ଥ୍ୟ ଅଧିକାରୀ ଡା. କମଳାକାନ୍ତ ଜେନା ପ୍ରକାଶ କରିଛନ୍ତି । ଏବେ ନାଫରାଇ ଗାଁର ପରେଶ ପ୍ରଧାନ (୪୮) ଅଧିକ ଗୁରୁତର ଥିବା ସୂଚନା ମିଳିଛି । ଗୁରୁତର ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ସେହି ଗାଁର ଶିବଶଙ୍କର ପ୍ରଧାନ (୨୫), ନିମାଇଁ ପ୍ରଧାନ (୧୮), ରାଧାଶ୍ୟାମ ଜେନା (୨୦), ଜୟକୃଷ୍ଣ ଜେନା (୨୨), ତାରାପଦ ସ୍ୱାଇଁ(୪୫), ଚନ୍ଦନ ସେନାପତି (୪୫), ଚକସରବଣୀ ଗାଁର କାଳିଆ ସାମଲ (୧୮), ସୁଲତାନପୁର ଗାଁର ଚନ୍ଦନ ପ୍ରଧାନ(୨୧) ଏବଂ ଆକନ୍ଦି ଗାଁର ସଞ୍ଜୟ ପାତ୍ର(୩୬) । ଖବର ପାଇ ଭୋଗରାଇ ଥାନା ଏସଆଇ ସୁବର୍ଣ୍ଣା ବେହେରା ଓ ଚନ୍ଦନେଶ୍ୱର ଫାଣ୍ଡି ଅଧିକାରୀ ବିଶ୍ୱନାଥ କର ରଣସିଂହପୁର ଗାଁରେ ପହଞ୍ଚିଥିଲେ । ସ୍ଥାନୀୟ ସରପଞ୍ଚ କିରଣବାଳା ଜେନା, ସମାଜସେବୀ ଶ୍ରୀହରି ଜେନା, ସନ୍ତୋଷ ଦାସ ପ୍ରମୁଖ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଗୁରୁତରଙ୍କ ଆରୋଗ୍ୟ କାମନା କରିଛନ୍ତି । ଏହାଛଡ଼ା ପରିବାର ଲୋକେ ମଧ୍ୟ ଏଭଳି ଘଟଣାରେ ମର୍ମାହତ । ଘରେ ଚୁଲି ଜଳିବା ବନ୍ଦ ହୋଇଯାଇଛି । ସୂଚନା ଯୋଗ୍ୟ, ୨୦୧୯ ମେ ୧୭ତାରିଖରେ ଗୋଛିଦାତେଘରି ପଞ୍ଚାୟତ ଅଧୀନ ରାଣୀବସାଣ ଗାଁର ଗୌରହରି ଜେନାଙ୍କ ପୁଅର ଚତୁର୍ଥି ଭୋଜିରେ ବିଷାକ୍ତ ଖାଦ୍ୟ ଖାଇ ପ୍ରାୟ ୨ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ ।
Comments are closed, but trackbacks and pingbacks are open.