ବିଏସ୍ଏନ୍ଏଲ୍ ବଞ୍ଚାଇବାକୁ ଅଣ୍ଟାଭିଡ଼ା

Get real time updates directly on you device, subscribe now.

ନୂଆଦିଲ୍ଲୀ:ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନି ବିଏସ୍ଏନ୍ଏଲ୍କୁ ବଞ୍ଚାଇବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । ଅନ୍ୟତମ ଟେଲିକମ୍ ସେବା ପ୍ରଦାନକାରୀ ଏମ୍ଟିଏନ୍ଏଲ୍କୁ ଏହା ସହ ମିଶାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସଙ୍କଟଜନକ ପରିସ୍ଥିତିର ସାମ୍ନା କରୁଥିବା ଏହି କମ୍ପାନିଦ୍ୱୟ ପାଇଁ ଏକ ଚତୁଃପାଶ୍ୱିର୍କ ପୁନରୁଦ୍ଧାର ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ବୁଧବାର ମଞ୍ଜୁରି ଦେଇଛି । ସାର୍ବଭୌମ ବଣ୍ଡ ସଂଗ୍ରହ, ସମ୍ପତ୍ତି ମୁଦ୍ରୀକରଣ ଏବଂ କର୍ମଚାରୀଙ୍କ ପାଇଁ ସ୍ୱେଚ୍ଛାକୃତ ଅବସର ସ୍କିମ୍ (ଭିଆର୍ଏସ୍ )ଏହି ଯୋଜନାର ଅଂଶବିଶେଷ ।
ପୁନରୁଦ୍ଧାର ଯୋଜନାର ଅଂଶବିଶେଷ ଏମ୍ଟିଏନ୍ଏଲ୍ ବିଏସ୍ଏନ୍ଏଲ୍ ସହ ମିଶିବ । ବିଏସ୍ଏନ୍ଏଲ୍ର ଏକ ସହଯୋଗୀ କମ୍ପାନି ଭାବେ ଏମ୍ଟିଏନ୍ଏଲ୍ କାର୍ଯ୍ୟ କରିବ । ସୂଚନାଯୋଗ୍ୟ, ଏମ୍ଟିଏନ୍ଏଲ୍ ପୁଞ୍ଜି ବଜାରରେ ପଞ୍ଜୀକୃତ ହୋଇଥିବାବେଳେ ବିଏସ୍ଏନ୍ଏଲ୍ ପଞ୍ଜୀକୃତ ହୋଇନାହିଁ । ପୁଞ୍ଜି ବଜାରରେ ପଞ୍ଜୀକୃତ ଥାଇ ମଧ୍ୟ ଏମ୍ଟିଏନ୍ଏଲ୍ର ନେଟ୍ ସମ୍ପତ୍ତି ସଙ୍କୁଚିତ ହୋଇଛି ।
ଯୋଜନା ଘୋଷଣା କରି ଟେଲିକମ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ଉଭୟ କମ୍ପାନିଙ୍କୁ ୨୦,୧୪୦ କୋଟି ଟଙ୍କାର ପୁଞ୍ଜି ଯୋଗାଇ ଦିଆଯିବ । ଏହା ଦ୍ୱାରା କମ୍ପାନିଦ୍ୱୟ ଅଧିକ ପ୍ରତିଯୋଗିତାମୂଳକ ହେବେ ।
ଦୀର୍ଘକାଳୀନ ବଣ୍ଡ୍ ଜରିଆରେ କମ୍ପାନି ଦ୍ୱୟ ୧୫,୦୦୦ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିବେ । ୪ ବର୍ଷରେ ୩୮,୦୦୦ କୋଟି ଟଙ୍କାର ସମ୍ପତ୍ତି ମୁଦ୍ରୀକରଣ ହେବ ବୋଲି ପ୍ରସାଦ ସୂଚନା ଦେଇଛନ୍ତି । ଏହା ମାଧ୍ୟମରେ ବିଏସ୍ଏନ୍ଏଲ୍ ଏବଂ ଏମ୍ଟିଏନ୍ଏଲ୍ ସେମାନଙ୍କର ଋଣ ପରିଶୋଧ କରିବେ ତଥା କ୍ୟାପେr, ଓପେr ଓ ଅନ୍ୟାନ୍ୟ ଆବଶ୍ୟକତା ଆଂଶିକ ଭାବେ ପୂରଣ କରିବେ ।
ବିଏସ୍ଏନ୍ଏଲ୍ ଏବଂ ଏମ୍ଟିଏନ୍ଏଲ୍ ଉଭୟଙ୍କୁ ୪ଜି ସ୍ପେକ୍ଟ୍ରମ୍ ପ୍ରଦାନ କରାଯିବ । ୨୦୧୬ ମୂଲ୍ୟରେ ସେମାନଙ୍କୁ ୪ଜି ସ୍ପେକ୍ଟ୍ରମ୍ ଯୋଗାଇ ଦିଆଯିବ ବୋଲି ପ୍ରସାଦ କହିଛନ୍ତି । ଫଳରେ ଏହି ଦୁଇ ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ରୁତ ବ୍ରଡବ୍ୟାଣ୍ଡ ଓ ଅନ୍ୟ ଡାଟା ସେବା ଯୋଗାଇବେ । ସ୍ପେକ୍ଟ୍ରମ ପାଇଁ ସରକାର ପାଣ୍ଠି ଯୋଗାଇ ଦେବେ ।
ବିଏସଏନଏଲ ଓ ଏମଟିଏନଏଲ ମଧ୍ୟ ୫୦ ବର୍ଷ ବୟସ ଅତିକ୍ରାନ୍ତ କରିସାରିଥିବା ନିଜ କର୍ମଚାରୀଙ୍କୁ ଆକର୍ଷଣୀୟ ସ୍ୱେଚ୍ଛାକୃତ ଅବସର (ଭିଆରଏସ) ପ୍ରସ୍ତାବ ଦେବେ । ଉଭୟ କମ୍ପାନିର କର୍ମଚାରୀଙ୍କ ପାଇଁ ଏକ ଆକର୍ଷଣୀୟ ଭିଆର୍ଏସ୍ ପ୍ୟାକେଜ୍ ଘୋଷଣା କରାଯାଇଛି । ଭିଆର୍ଏସ୍ ପ୍ୟାକେଜ୍ର ଉଦାହରଣ ଦେଇ ପ୍ରସାଦ କହିଛନ୍ତି ଯେ, ୫୩ ବର୍ଷ ୬ ମାସରୁ ଅଧିକ କୌଣସି କର୍ମଚାରୀ ଯଦି ଭିଆର୍ଏସ୍ ଚାହୁଁଛନ୍ତି ତାଙ୍କୁ ଦରମାର ୧୨୫ଧ ପାରିତୋଷିକ ଦିଆଯିବ । ୬୦ ବର୍ଷ ଯାଏ ତାଙ୍କୁ ପେନ୍ସନ ଏବଂ ଗ୍ରାଚୁଇଟି ମିଳିବ । କେନ୍ଦ୍ର ସରକାର ବଜେଟ ଅର୍ଥରୁ ଏହି ବ୍ୟୟଭାର ବହନ କରିବେ । ଭିଆରଏସ ପାଇଁ ଅନୁଗ୍ରହ ରାଶି ଲାଗି ୧୭,୧୬୯ କୋଟି ଟଙ୍କା ଆବଶ୍ୟକ ହେବ । ଏହାବ୍ୟତୀତ ପେନସନ, ଗ୍ରାଚୁ୍ୟଇଟି ଓ କମୁ୍ୟଟେସନ ଖର୍ଚ୍ଚ ସରକାର ବହନ କରିବେ । ବିଏସ୍ଏନ୍ଏଲ,ଏମଟିଏନ୍ଏଲ୍ ଦ୍ୱାରା ଯୋଜନାର ବିବରଣୀ ଚୁଡ଼ାନ୍ତ କରାଯିବ ।
ଋଣ ପରିଶୋଧ, ବଣ୍ଡ ସର୍ଭିସିଂ, ନେଟୱର୍କ ଅପ୍ଗ୍ରେଡେସନ ଓ ସମ୍ପ୍ରସାରଣ ଏବଂ ପରିଚାଳନା ଆବଶ୍ୟକତା ପୂରଣ କରିବା ଲାଗି ବିଏସ୍ଏନ୍ଏଲ୍ ଏବଂ ଏମ୍ଟିଏନ୍ଏଲ୍ ସେମାନଙ୍କ ସମ୍ପତ୍ତିି ବିନିଯୋଗ କରି ପାଣ୍ଠି ସଂଗ୍ରହ କରିବେ ।
ସୂଚନାଯୋଗ୍ୟ, ବର୍ତ୍ତମାନ ଯାଏ ବିଏସ୍ଏନ୍ଏଲ୍ ଏହାର କର୍ମଚାରୀଙ୍କୁ ଦରମା ଦେଇନାହିଁ । ଦରମା ବାବଦ ଏହାର ମାସିକ ବିଲ୍ ୮୫୦ କୋଟି ଟଙ୍କା ରହିଛି । ୧.୭୬ ଲକ୍ଷ କର୍ମଚାରୀଙ୍କୁ ଏହା ନିଯୁକ୍ତି ଦେଉଛି । ୨୦୧୮-୧୯ ଆର୍ଥିକବର୍ଷରେ ଏହାର ମୋଟ କ୍ଷତି ୧୪,୦୦୦ କୋଟି ଟଙ୍କା ରହିଥିଲା ।
ଉପରୋକ୍ତ ପୁନରୁଦ୍ଧାର ଯୋଜନା କାର୍ଯ୍ୟକାରୀ ହେବା ଫଳରେ ବିଏସଏନଏଲ ଏବଂ ଏମଟିଏନଏଲ ଦେଶର ଉପାନ୍ତ ଏବଂ ଗ୍ରାମାଞ୍ଚଳରେ ଥିବା ସେମାନଙ୍କ ବ୍ୟାପକ ଟେଲିକମ୍ ନେଟୱର୍କ ଜରିଆରେ ବିଶ୍ୱସନୀୟ ଏବଂ ଉନ୍ନତମାନର ସେବା ଯୋଗାଇ ଦେବାରେ ସକ୍ଷମ ହେବେ ବୋଲି ସରକାର ଆଶା ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons