ଜଗତସିଂହପୁର,(ବି.ବି.ନୁ୍ୟଜ): କାଦୁଅ ପଚପଚ ଅଣଓସାରିଆ ରାସ୍ତା । ରାସ୍ତାକୁ ମାଡ଼ି ରହିଛି ଜଙ୍ଗଲିଆ ଗଛ ଲତା । ଟିକେ ବେହୁସିଆର ହେଲେ କଚଡ଼ା ଖାଇବାଟା ଥୟ । ତଥାପି ଗୁରୁତର ରୋଗୀଙ୍କୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନା ପର୍ଯ୍ୟନ୍ତ ପହଞ୍ଚାଇବାକୁ ପ୍ରାଣ ମୂର୍ଚ୍ଛା କରି ଲାଗି ପଡ଼ିଥିଲେ ୧୦୮ ଆମ୍ବୁଲାନ୍ସର ଆଟେଣ୍ଡାଣ୍ଟ୍ଙ୍କ ସମେତ ଅନ୍ୟ କର୍ମଚାରୀମାନେ । ପୂରା ଦୁଇ କିମି ଚାଲି ଚାଲି ଷ୍ଟେ୍ରଚରରେ ରୋଗୀଙ୍କୁ ଆମ୍ବୁଲାନ୍ସ ନିକଟକୁ ନେଇ ଆସିଥିଲେ । ଜଗତସିଂହପୁର ଭଳି ଶିକ୍ଷିତ, ସଚେତନ ତଥା ବିକଶିତ ଜିଲ୍ଲାର ଏହା ହେଉଛି ବାସ୍ତବ ଛବି । ଯେଉଁ ଗାଁକୁ ଆମ୍ବୁଲାନ୍ସଟିଏ ଯିବାକୁ ରାସ୍ତା ନାହିଁ । ଅଥଚ ସେଇ ପଞ୍ଚାୟତରେ ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଘର । ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନିର୍ବାଚନମଣ୍ଡଳୀ ବାଲିକୁଦା-ଏରସମା ପରିସୀମାଭୁକ୍ତ ଏହି ଅଞ୍ଚଳରେ ବିକାଶର ଏଭଳି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ।
ବାଲିକୁଦା ବ୍ଲକ ତିତିରା ପଞ୍ଚାୟତ କେଉଟପାଳ ଗ୍ରାମରୁ ଗୁରୁତର ଅବସ୍ଥାରେ ଥିବା ଆର୍ତ୍ତ ରଞ୍ଜନ ପତିଙ୍କୁ ଷ୍ଟେ୍ରଚରରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ଅଣାଯାଉଥିବାର ଭିଡିଓ ଏବେ ଭାଇରାଲ୍ ହୋଇଛି । ଏଥିରେ ତିନି ଜଣ ଲୋକ ଆର୍ତ୍ତଙ୍କୁ ଷ୍ଟେ୍ରଚରରେ ଆଣିବା ସମୟରେ ଶିଉଳି ପଡ଼ି ଯାଇଥିବା ରାସ୍ତା ପାର କରିବାକୁ ବେଶ୍ ସଂଘର୍ଷ କରୁଥିବା ଲକ୍ଷ୍ୟ କରାଯାଇଛି । ତେବେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଏବଂ ମନ୍ତ୍ରୀଙ୍କ ଅଞ୍ଚଳରେ ଗ୍ରାମ୍ୟ ରାସ୍ତାର ଏଭଳି ଦୁରବସ୍ଥାକୁ ନେଇ ବିସ୍ମୟ ପ୍ରକାଶ ପାଇଛି । ଖବର ମୁତାବକ, କିଛି ଦିନ ତଳେ ଟାଇଫଏଡ଼୍ ସହ ଲିଭର ଜଣ୍ଡିସ୍ରେ ଆକ୍ରାନ୍ତ ହୋଇ ପଡ଼ିଥିଲେ କେଉଟପାଳ ଗ୍ରାମର ଆର୍ତ୍ତ ରଞ୍ଜନ । ଗୋଡ଼ ଅଚଳ ହୋଇଯିବା ପରେ ତୁରନ୍ତ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେଇ ଯାଇଥିଲେ ପତ୍ନୀ ତିଳୋତ୍ତମା । କଟକରେ ଚିକିସôା ପରେ ଘରକୁ ଫେରିଥିଲେ ଏହି ଦମ୍ପତି । ତେବେ ପରିସ୍ରା ନଳି ଖୋଲି ଯାଇଥିବାରୁ ପୁଣି ସମସ୍ୟା ଦେଖା ଦେଇଥିଲା ଆର୍ତ୍ତଙ୍କ କ୍ଷେତ୍ରରେ । ବାଧ୍ୟ ହୋଇ ପୁଣି ସ୍ୱାମୀ ଆର୍ତ୍ତଙ୍କୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ନେଇ ଆସିଥିଲେ ତିଳୋତ୍ତମା । ଏଠି ଚିକିସôିତ ହୋଇ କିଛିଟା ସୁସ୍ଥ ହୋଇ ଘରକୁ ଫେରିଥିଲେ ଆର୍ତ୍ତ । ପରେ ଆର୍ତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବା ଆରମ୍ଭ କରିଥିଲା । କାହାକୁ ସେ ଚିହ୍ନି ପାରି ନଥିଲେ । ଖାଇବା ଜିନିଷ ଢୋକି ପାରି ନଥିଲେ । ଭୟଭୀତ ହୋଇ ତିଳୋତ୍ତମା ପୁଣି ୧୦୮ ଆମ୍ବୁଲାନ୍ସକୁ ଗତକାଲି ଫୋନ୍ କରିଥିଲେ । ଜଗତସିଂହପୁରରୁ ଆମ୍ବୁଲାନ୍ସ ଯାଇଥିଲା । ତେବେ କେଉଟପାଳ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଦୁଇ କିମି ଦୂରରେ ରହିଥିଲା । ଶେଷରେ ଆମ୍ବୁଲାନ୍ସର ଚାଳକ, ଆଟେଣ୍ଡାଣ୍ଟ୍ ପ୍ରମୁଖ ଷ୍ଟେ୍ରଚରରେ ଆର୍ତ୍ତଙ୍କୁ ଶୁଆଇ ଅଧା ବାଟ ପର୍ଯ୍ୟନ୍ତ ଆଣିଥିଲେ । ଆଗକୁ ହିଡ଼ ରାସ୍ତା ସାଙ୍ଗକୁ କାଦୁଅ ପଚପଚ ରହିଥିବାରୁ କାନ୍ଧରେ କିଛି ବାଟ ରୋଗୀଙ୍କୁ ବୋହି ଆଣିବାକୁ ବାଧ୍ୟ ହୋଇଥିଲେ ।
ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟ୍ ନିରଞ୍ଜନ ମୁଦୁଲି ରାସ୍ତା ନଥିବା କଥାକୁ ସ୍ୱୀକାର କରି ଦୁଇ କିମି ରୋଗୀକୁ ବୋହି ଆଣିଥିବା ପ୍ରକାଶ କରିଛନ୍ତି । ତିଳୋତ୍ତମା ଗରିବ ଓ ଦିବ୍ୟାଙ୍ଗ । ଅଥଚ ଆର୍ତ୍ତଙ୍କ ପରିବାରକୁ ସରକାରୀ ଘର କିମ୍ବା ରେସନ କାର୍ଡ ମିଳିନଥିବା ପତ୍ନୀ ତିଳୋତ୍ତମା ଅଭିଯୋଗ କରିଛନ୍ତି । ଗୋଟିଏପଟେ ସେତୁ, ରାସ୍ତା, ପାର୍କ ଆଦି ନିର୍ମାଣର ପରିକଳ୍ପନା ହେଉଥିବା ବେଳେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ମୁଦୁଲି ଓ ଜଳସମ୍ପଦ ମନ୍ତ୍ରୀ ଶ୍ରୀ ଦାସଙ୍କ ଅଞ୍ଚଳରେ ଗ୍ରାମ୍ୟ ରାସ୍ତାର ଏଭଳି କଦର୍ଯ୍ୟ ଅବସ୍ଥା ବାସ୍ତବିକ ଦୁର୍ଭାଗ୍ୟର ବିଷୟ ବୋଲି କୁହାଯାଉଛି ।


Comments are closed, but trackbacks and pingbacks are open.