ବିଗୁଡୁଛି କାଳିଆର ସ୍ବାସ୍ଥ୍ୟାବସ୍ଥା : ଏମ୍ସ ଡାକ୍ତରଙ୍କ ସହ ଆଲୋଚନା କଲେ ଏସ୍ସିବି ଡାକ୍ତରୀ ଟିମ୍, ଆବଶ୍ୟକ ପଡିଲେ ଏସ୍ସିବି ଆସିବେ ଏମ୍ସ ବିଶେଷଜ୍ଞ
କଟକ : କଟକ ଏସସିବି ମେଡିକାଲରେ ଚିକତ୍ସାଧୀନ ଜଗା-କାଳିଆଙ୍କ ଭିତରୁ କାଳିଆର ଅବସ୍ଥା ଗୁରୁତର ହୋଇଛି । କାଳିଆକୁ ଭେଣ୍ଟିଲେଟରରେ ରଖାଯିବା ସହ ଚିକିତ୍ସା ନେଇ ଦିଲ୍ଲୀ ଏମ୍ସ ଡାକ୍ତରଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏସସିବିରେ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ କଥା ହୋଇଛନ୍ତି । କାଳିଆକୁ ନିମୋନିଆ ହେବା ସହ ଇନଫେକ୍ସନ ରହିଥିବାରୁ କାଳିଆର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟୁଥିବା କହିଛନ୍ତି ଏସସିବିର ଜରୁରୀକାଳିନ ଅଧିକାରୀ ଡକ୍ତର ଭୂବନାନନ୍ଦ ମହାରଣା ।
ଜଗା-କାଳିଆଙ୍କ ଭିତରୁ କାଳିଆ ଅବସ୍ଥା ଏବେ ଗୁରୁତର ହେବାରେ ଲାଗିଛି । କାଳିଆକୁ ଏସସିବିରେ ଭେଣ୍ଟିଲେଟରରେ ରଖାଯାଇଛି । କାଳିଆର ସ୍ବାସ୍ଥ୍ୟାବସ୍ଥା ନେଇ ଆଜି ଦିଲ୍ଲୀ ଏମ୍ସ ଡାକ୍ତରୀ ଟିମ୍ ସହ କଟକ ଏସସିବି ମେଡିକାଲର ଡାକ୍ତରୀ ଟିମ୍ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଥିବା କହିଛନ୍ତି ଏସସିବି ମେଡିକାଲ କର୍ତ୍ତୃପକ୍ଷ । ଏମ୍ସ ଡାକ୍ତରୀ ଟିମର ପରାମର୍ଶ କ୍ରମେ କାଳିଆର ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଛି । ରିପୋର୍ଟ ଆସିବା ପରେ ପୁଣି ଏମ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଏମ୍ସ ଡାକ୍ତରୀ ଟିମ୍ କହିବା ଅନୁସାରେ ଚିକିତ୍ସା ଜାରି ରହିବ ବୋଲି କହିଛନ୍ତି ଜରୁରୀକାଳିନ ଅଧିକାରୀ ।
ଗତ ୭ ତାରିଖରେ ଜଗା ଓ କାଳିଆଙ୍କୁ ଦିଲ୍ଲୀ ଏମ୍ସରୁ ଅଣାଯାଇ କଟକ ଏସସିବି ମେଡିକାଲରେ ରଖାଯାଇଥିଲା । ଜଗାର ଅବସ୍ଥାରେ ସୁଧାର ଆସୁଥିବା ବେଳେ କାଳିଆ ଅବସ୍ଥା ବିଗିଡିବାରେ ଲାଗିଛି । ତେବେ କାଳିଆର ଶରୀରର ଗୋଟିଏ ପ୍ରକାର ବିକାଶ ହେଉ ନଥିବା ବେଳେ ଏବେ ଛାତିରେ ହୋଇଥିବା ସଂକ୍ରମଣ ଓ ନିମୋନିଆ କାଳିଆ ପାଇଁ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିଥିବା କହିଛନ୍ତି ଏସସିବି ମେଡିକାଲ କର୍ତ୍ତୃପକ୍ଷ । କାଳିଆର ସ୍ବାସ୍ଥ୍ୟାବସ୍ଥା ଅବନତି ହେବା କାରଣରୁ କାଳିଆକୁ ସମ୍ପୂର୍ଣ୍ଣ ଭାବେ ଜଗି ରହିଛନ୍ତି ଡାକ୍ତରୀ ଦଳ।
କାଳିଆ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ଆସିବା ପରେ ଆବଶ୍ୟକ ପଡିଲେ ଏମ୍ସ ଡାକ୍ତରୀ ଟିମକୁ ପୁଣି ଥରେ ଏସସିବି ଆସି କାଳିଆ ସ୍ଥିତି ଅନୁଧ୍ୟାନ ପାଇଁ ଅନୁରୋଧ କରାଯିବ ବୋଲି କହିଛନ୍ତି ଏସସିବି ମେଡିକାଲ କର୍ତ୍ତୃପକ୍ଷ ।
Comments are closed, but trackbacks and pingbacks are open.