ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜଧାନୀର ବିଜୁ ପଟ୍ଟନାୟକ ପାର୍କରେ‘ ଦି ରଥ’ ସ୍ଥାପତ୍ୟ କଳା ଉଦ୍ଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହି ସ୍ଥପତିକୁ ଉଦ୍ଘାଟନ କରିଛନ୍ତି ।
ପାର୍କର ଗୋଟିଏ ପାଶ୍ୱର୍ରେ ଏହି ରଥକୁ ସ୍ଥାପନା କରାଯାଇଛି । ଏଥିରେ ପ୍ରାୟ ସାଢ଼େ ୧୩ ଟନ୍ ଷ୍ଟିଲ ବ୍ୟବହାର ହୋଇଛି । ଟାଟା ଷ୍ଟିଲ୍ ଓ ବିଡିଏ ପକ୍ଷରୁ ମିଳିତ ଭାବେ ଏହାକୁ ସ୍ଥାପନା କରାଯାଇଛି । ଏହି ‘ରଥ’ ତିଆରିରେ ୧କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଏହି ସ୍ଥାପତ୍ୟରେ ମୋଟ ୩ଟି ଚକ ଓ ଏହାର ୩ଟି ବିନ୍ଦୁ ରହିଛି । ଅର୍ଥାତ୍ ଭୂମି ଉପରେ ୩ଟି ବିନ୍ଦୁରେ ଏହି ପୂରା ସ୍ଥପତି ଠିଆ ହୋଇଛି । କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଜଗନ୍ନାଥଙ୍କ ରଥ ଢାଞ୍ଚାକୁ ଅନୁକରଣ କରି ଏହି ‘ରଥ’ ତିଆରି ହୋଇଛି ।
କୋଣାର୍କ ସୂର୍ଯ୍ୟ ମନ୍ଦିରରେ ୭ଟି ଘୋଡା ଓ ୨୪ଟି ଚକ୍ର ରହିଛି । ୭ଟି ଘୋଡା ସପ୍ତାହର ୭ ଦିନ ଓ ୨୪ଟି ଚକ୍ର ଦିନର ୨୪ଘଣ୍ଟାକୁ ଦର୍ଶାଉଛନ୍ତି । ଏହି ଚକ୍ର ମଧ୍ୟ ମଣିଷର ପ୍ରବାହମାନ ଜୀବନ ଓ କର୍ମକୁ ବ୍ୟାଖ୍ୟା କରନ୍ତି । ଠିକ୍ ସେହିଭଳି ପାର୍କରେ ସ୍ଥାପିତ ଏହି ‘ରଥ’ ଏକ ଘୂର୍ଣ୍ଣାୟମାନ ପଲିଗୋନାଲ ଫ୍ରେମ୍ ୧୨୦ ଡିଗ୍ରୀରେ ତ୍ରିକୋଣୀୟ ଢାଞ୍ଚା ଉପରେ ଛିଡ଼ା ହୋଇଛି । ୩ଟି ବିନ୍ଦୁ ଉପରେ ଛିଡା ହୋଇଥିବା ୩ଟି ଚକ୍ର ମୋଟ ୨୪ଘଣ୍ଟାର ଚକ୍ରକୁ ୮ଘଣ୍ଟାରେ ଭାଗ କରୁଛନ୍ତି । ଏହା ସମୟ ଚକ୍ରର ପରିକଳ୍ପନାକୁ ଉପସ୍ଥାପନ କରୁଛି ।
ଏହି ‘ରଥ’ ତଳେ ଛୋଟ ଆମ୍ପିଥିଏଟର ପାଇଁ ସ୍ଥାନ ଛଡାଯାଇଛି । ଏଥିରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଛୋଟ ସ୍ଥାନ ଛଡାଯାଇଛି । ଏଥିରେ ବସିବା ପାଇଁ ବ୍ୟବସ୍ଥା ମଧ୍ୟ ହୋଇଛି । ‘ରଥ’ର ଚାରିପାଖରେ ଲ୍ୟାଣ୍ଡସ୍କେପିଂ କରାଯାଇଛି । ପରସ୍ପର ମଧ୍ୟରେ ସାମାଜିକ ଭାବର ଆଦାନ ପ୍ରଦାନ ପାଇଁ ଅବସର ଦେବା ସହ ଆମର ଗୌରବମୟ ଐତିହ୍ୟ ଓ ସମୃଦ୍ଧଶାଳୀ ସଂସ୍କୃତିର ଝଲକ ଦେଉଛି ଏହି ‘ରଥ’ । ବିଶିଷ୍ଟ ସ୍ଥାପତ୍ୟ ଡିଜାଇନର ନୁରୁ କରିମ୍ ଏହାକୁ ଡିଜାଇନ୍ କରିଛନ୍ତି । ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ଟାଟା ଷ୍ଟିଲ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଟି ଭି ନରେନ୍ଦ୍ରନ୍ ଓ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.