ବିଜେଡି ପାଳିଲା ମହିଳା ଦିବସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମା’ମାନଙ୍କ ପାଇଁ ବିଜେଡି ଲଢୁଛି ଓ ଆଗକୁ ଲଢ଼ିବ । ମହିଳାଙ୍କ ପାଇଁ ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବିଜେଡି ଦାବି କରିଆସୁଛି । ଏହି ଦାବିକୁ ନେଇ ସାରା ଦେଶର ମା’ଙ୍କୁ ଆମେ ସଚେତନ କରୁଛୁ । ଆମେ କଥା ନୁହେଁ କାମରେ ବିଶ୍ୱାସ କରୁ । ମା’ମାନଙ୍କ କଲ୍ୟାଣ ଓ ଅଧିକାର ପାଇଁ ବିଜେଡି ଲଢୁଛି । ଆଗକୁ ଏହି ଲଢେ଼ଇ ଜାରି ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିଜୁ ମହିଳା ଜନତା ଦଳ ତରଫରୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହ ପାଳନ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ । ସମସ୍ତ ମହିଳାଙ୍କୁ ସାଲୁ୍ୟଟ୍ ଜଣାଇ ନବୀନ କହିଥିଲେ, ବିଜେଡିର ସବୁ କାର୍ଯ୍ୟକ୍ରମରେ ମା’ମାନେ ଫୋକସ୍ରେ ଅଛନ୍ତି । ନବେ ଦଶକରେ ମା’ମାନଙ୍କ ଅଧିକାର ପାଇଁ ବିଜୁ ବାବୁ ସାରା ଦେଶରେ ଐତିହାସିକ ପଦକ୍ଷେପ ନେଇଥିଲେ । ତାକୁ ଆମେ ଆହୁରି ଆଗକୁ ନେଇଛୁ । ପଞ୍ଚାୟତ ଓ ପୌରାଞ୍ଚଳରେ ୫୦ ପ୍ରତିଶତ ସଂରକ୍ଷଣ କରିଛୁ । ମା’ମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ବିଜେଡି ସମର୍ପିତ ହୋଇ କାମ କରୁଛି ।
ନବୀନ କହିଥିଲେ, ମା’ମାନେ ହେଉଛନ୍ତି ବର୍ଣ୍ଣ ଲିଡର । ଘରର ଦାୟିତ୍ୱ, ପିଲାଙ୍କ ଦାୟିତ୍ୱ ଯିଏ ଠିକ୍ରେ ତୁଲାଇ ପାରୁଛି ଦେଶ ଓ ସମାଜର ଦାୟିତ୍ୱ ତୁଲାଇବାରେ ତା ପାଇଁ କିଛି ଅସୁବିଧା ନାହିଁ । ପ୍ରତିଟି ମା’ ଭିତରେ ଅଛି ନେତୃତ୍ୱର ସ୍ପୁଲିଙ୍ଗ । ଆମକୁ ତାର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବାକୁ ହେବ । ତାର ଶକ୍ତିକୁ ଦେଶର ବିକାଶରେ ଉପଯୋଗ କରିବାକୁ ହେବ ।
ମୁଖ୍ୟମନ୍ତ୍ରୀ କହିଥିଲେ, ବିଜେଡି ସବୁବେଳେ ମା’ମାନଙ୍କ କଲ୍ୟାଣ ପାଇଁ ନିରନ୍ତର କାମ କରୁଛି । ବିନା ସୁଧରେ ଋଣ, ୫ ହଜାର କୋଟିର ସରକାରୀ କାମ, ମା’ମାନଙ୍କ ପାଇଁ ୭ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା, ଜମି ଅଧିକାର, ସମ୍ପତ୍ତି ଅଧିକାର, ରେଶନ କାର୍ଡ, ଝିଅମାନଙ୍କ ପଢ଼ିବା ପାଇଁ ବୃତ୍ତି, ହଷ୍ଟେଲ, ୱାର୍କିଂ ୱିମେନ୍ସ ହଷ୍ଟେଲ୍ ଭଳି ଅନେକ କାର୍ଯ୍ୟକ୍ରମ କରାଯାଉଛି ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ୪ଟି ଧନ୍ୟବାଦ ପ୍ରସ୍ତାବ ଆଗତ କରାଯାଇଥିଲା । ମହିଳାଙ୍କ ସୁରକ୍ଷା, କଲ୍ୟାଣ ଓ ମହିଳା ସଶକ୍ତିକରଣ ପାଇଁ ଅବିରତ କାମ ଜାରି ରଖିଥିବାରୁ ଏହି ଧନ୍ୟବାଦ ଦିଆଯାଇଛି । ପଞ୍ଚାୟତିରାଜ ଓ ପୌର ସଂସ୍ଥାରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ସହ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦାବି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଥିଲା । ମିଶନ ଶକ୍ତିକୁ ସ୍ୱତନ୍ତ୍ର ବିଭାଗର ମାନ୍ୟତା ପ୍ରଦାନ, ୫-ଟି ଓ ଲୋକାୟୁକ୍ତ ଭଳି ପ୍ରାଶାସନିକ ବ୍ୟବସ୍ଥା କରି ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଇବା ଓ କୋଭିଡ୍ ସମୟରେ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସଫଳ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି । ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା ଓ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons