ବିଜେପିକୁ ବଳୁଆ କରିଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ:ଶାହ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତର ସୁରକ୍ଷା ଓ ରାଷ୍ଟ୍ରବାଦ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକତା ସଂଶୋଧନ ଆଇନ (ସିଏଏ) ଆଣିଛନ୍ତି । ଦେଶର ଜଣେ ହେଲେ ମୁସଲମାନ କିମ୍ବା ସଂଖ୍ୟାଲଘୁଙ୍କର ନାଗରିକତାକୁ ଏ ଆଇନ ନାକଚ କରିବନି । ଏ ଆଇନ ନାଗରିକତା ଦେବାକୁ ଉଦ୍ଧିଷ୍ଟ, ନେବାକୁ ନୁହଁ ।
ଜନତା ମଇଦାନରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ଏହା କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ । ବିଜେପି ପକ୍ଷରୁ ଆୟୋଜିତ ସିଏଏ ସମାବେଶରେ ଶାହ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍ କରି କହିଲେ, ସେମାନେ ମିଛ ଅପପ୍ରଚାର କରୁଛନ୍ତି । ଦଙ୍ଗା ସୃଷ୍ଟି କରାଉଛନ୍ତି । ମାତ୍ର ମହାତ୍ମା ଗାନ୍ଧି, ମୌଲାନା ଆଜାଦ୍, ଜବାହରଲାଲ ନେହରୁ ଯାହା ଚାହୁଁଥିଲେ ମୋଦି ତାହାକୁ କାର୍ଯ୍ୟକାରୀ କରିଛନ୍ତି ।
ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶାହ କହିଲେ, ଓଡ଼ିଶା ହେଉଛି ମୋର ଦ୍ୱିତୀୟ ଘର । ଗତ ନିର୍ବାଚନରେ ଓଡ଼ିଶାବାସୀ ଆମକୁ ବଳୁଆ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଆମେ ୮ ଜଣ ସାଂସଦ ପାଇଛୁ । ବିଧାନସଭାରେ ବିରୋଧୀ ଦଳରେ ବସିଛୁ । ଗୁଜୁରାଟ ଭଳି ବିକାଶରେ ଓଡ଼ିଶା ମଧ୍ୟ ଢେର ଆଗକୁ ଯିବ । ବିଜେପି ଏକ ସଶକ୍ତ, ଶିକ୍ଷିତ, ସୁରକ୍ଷିତ ଓ ଗୌରବମୟ ଭାରତବର୍ଷ ଗଢ଼ିବାକୁ ସଂକଳ୍ପବଦ୍ଧ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ । ସମାବେଶରେ ଶାହ କଂଗ୍ରେସ ଉପରେ ଜୋରଦାର ବର୍ଷିଥିଲେ ।
ମହାପଭୁ ଜଗନ୍ନାଥଙ୍କୁ ପ୍ରଣାମ କରି ଶାହ ଭାଷଣ ଆରମ୍ଭ କରିଥିଲେ । ସେ କହିଲେ, ଗୁଜୁରାଟ ଓ ଓଡ଼ିଶା ପ୍ରତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରହିଛି । ଓଡ଼ିଶାରେ ବିଜେପି ମଜବୁତ ସ୍ତମ୍ଭ ଛିଡ଼ା କରାଇଛି । ପୂର୍ବ ଭାରତରେ ବିଜେପି ସପକ୍ଷରେ ମାହୋଲ ସୃଷ୍ଟି କରିବାରେ ମଧ୍ୟ ଓଡ଼ିଶାର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ଲୋକଙ୍କ ଆଗରେ ପରିସଂଖ୍ୟାନ ରଖି ଶାହ କହିଲେ, ମୋଦିଙ୍କ ନେତୃତ୍ୱ ଉପରେ ଓଡ଼ିଶାବାସୀ ଭରସା କରିବାରୁ ବିଜେପିକୁ ୯୧ ଲକ୍ଷ ଭୋଟ ମିଳିଛି । ନବୀନ ବାବୁଙ୍କ ଦଳ (ବିଜେଡି)କୁ ମିଳିଛି ୧ କୋଟି ୧ ଲକ୍ଷ । ଆମେ ଆଉ ଗୋଟିଏ ଲମ୍ଫ ମାରିଲେ ଆମେ ଏଠାରେ ଶୀର୍ଷକୁ ଯାଇପାରିବା । ଆମ ଭୋଟ ହାର ୩୧% ରୁ ବଢ଼ି ୩୮.୪% ଛୁଇଁଛି । ବିଧାନସଭାରେ ବିଜେପି କଂଗ୍ରେସକୁ ଠେଲି ବିରୋଧୀ ଦଳ ଆସନରେ ବସିଛି । ଏହାର ଶ୍ରେୟ ବୁଥ୍ କର୍ମକର୍ତ୍ତାଙ୍କ ପାଖକୁ ଯିବ ବୋଲି ଶାହ କହିଥିଲେ ।
ଏ ଅବସରରେ ରାଜ୍ୟକୁ କେନ୍ଦ୍ର ବିଜେପି ସରକାର କେତେ ସହଯୋଗ କରିଛି କେନ୍ଦ୍ରମନ୍ତ୍ରୀ ତା’ର ଟିକିନିଖି ହିସାବ ରଖିଥିଲେ । ସେ କହିଲେ, ଓଡ଼ିଶାକୁ ଆମେ ଅଗ୍ରାଧିକାର ଦେଇଛୁ । କଂଗ୍ରେସ ସରକାର ଗତ ୫୫ ବର୍ଷରେ ଯାହା ଦେଇନଥିଲା ଆମେ ଗତ ୫ ବର୍ଷରେ ତାଠୁ ଯଥେଷ୍ଟ ଅଧିକ ଦେଇଛୁ । ଜିଲ୍ଲା ଖଣିଜ ପାଣ୍ଠି, ରେଳ ଲାଇନ, ରୋଡ ନେଟୱର୍କ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିପୁଳ ପାଣ୍ଠି ଦେଇଛୁ । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୪୭ ଲକ୍ଷ ୫୦ ହଜାର ପରିବାରକୁ ମାଗଣା ରନ୍ଧନ ଗ୍ୟାସ୍, ସୌଭାଗ୍ୟରେ ୨୦ ହଜାର ଗାଁକୁ ବିଜୁଳି ସଂଯୋଗ, ଭଦ୍ରକରେ ଟେକ୍ସଟାଇଲ ପାର୍କ, ୩ କୋଟି ୨୪ ଲକ୍ଷ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷାରେ ରିହାତି ଖାଦ୍ୟ ସାମଗ୍ରୀ, ୪୧ ଲକ୍ଷଙ୍କୁ ମୁଦ୍ରାଋଣ ପ୍ରଦାନ କରାଯାଇଛି । କଂଗ୍ରେସ ସରକାର ଶେଷ ୫ ବର୍ଷରେ ୭୯ ହଜାର କୋଟି ଦେଇଥିଲା ବେଳେ ଆମେ ଗତ ୫ ବର୍ଷରେ ଓଡ଼ିଶାକୁ ଦେଇଛୁ ୨ ଲକ୍ଷ ୧୧ ହଜାର କୋଟି । ଏହାଛଡ଼ା ୩ ଲକ୍ଷ କୋଟିର ପ୍ରକଳ୍ପ ମଧ୍ୟ ଆମେ ଓଡ଼ିଶାକୁ ଦେଇଛୁ ବୋଲି ଶାହ କହିଥିଲେ ।
ପୂର୍ବାଞ୍ଚଳରେ ଓଡ଼ିଶା ସବୁଠୁ ଆଗୁଆ ରାଜ୍ୟ ହୋଇପାରିବ । ଏଠି ପ୍ରତି ଗାଁ, ପ୍ରତି ପରିବାର ନିକଟରେ ବିକାଶ ପହଞ୍ଚାଇବାକୁ ମୋଦି ସରକାର ସଂକଳ୍ପବଦ୍ଧ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ । ସମବେତ ଜନତାଙ୍କୁ ସେ କହିଲେ, ୨୦୨୪ ପୂର୍ବରୁ କେନ୍ଦ୍ର ସରକାର ସବୁ ପରିବାର ନିକଟରେ ସ୍ୱଚ୍ଛ ପାଇପ ପାଣି ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାର ୩୦ଧ ପରିବାର ପାଇପ ପାଣିରୁ ବଞ୍ଚିତ ଥିବାରୁ ଏ ଯୋଜନାର ଲାଭ ଉଠାଇବେ ।
ଶାହ କହିଲେ, ଦେଶ ବିଭାଜନ ସମୟରେ ବହୁ ହିନ୍ଦୁ ପାକିସ୍ତାନରେ ରହି ଯାଇଥିଲେ । ପରବର୍ତ୍ତୀ ସମୟରେ ସେମାନେ ଧାର୍ମିକ ଉପôୀପଡ଼ନର ଶିକାର ହୋଇ ଭାରତକୁ ଶରଣାର୍ଥୀ ଭାବେ ଆସି ବାସ କରୁଛନ୍ତି । ମାତ୍ର ସେମାନଙ୍କ ନିକଟରେ ନାଗରିକତା ନଥିବାରୁ ବର୍ଷ ବର୍ଷ ଧରି ସେମାନେ କୌଣସି ସରକାରୀ ସୁବିଧା ସୁଯୋଗ ପାଉନାହାନ୍ତି । ଅତୀତରେ କଂଗ୍ରେସର ନେତାମାନେ ଏ ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ମାତ୍ର ଏହାକୁ ସାହସର ସହ ମୋଦି କାର୍ଯ୍ୟକାରୀ କରିଛନ୍ତି । କଂଗ୍ରେସ, କମୁ୍ୟନିଷ୍ଟ, ବିଏସପି, ସମାଜବାଦି ପାର୍ଟିରୁ ଆରମ୍ଭ କରି ମମତା ଦିଦିଙ୍କ ପର୍ଯ୍ୟନ୍ତ ସମସ୍ତେ ଏ ଆଇନକୁ ବିରୋଧ କରୁଛନ୍ତି । ଲୋକଙ୍କୁ ଭ୍ରମରେ ପକାଉଛନ୍ତି । ଏ ଆଇନରେ କେଉଁ ଧାରାରେ ନାଗରିକତା ରଦ୍ଧ ହେବ ବୋଲି ଉଲ୍ଲେଖ ଅଛି ବିରୋଧୀ ମୋତେ ଜଣାନ୍ତୁ ବୋଲି ଶାହ ଆହ୍ୱାନ ଦେଇଥିଲେ ।
ସେ କହିଲେ, ପ୍ରଧାନମନ୍ତ୍ରୀ ବହୁ ଐତିହାସିକ ପଦକ୍ଷେପ ନେଇଛନ୍ତି । ମୋଦି ସରକାର କାଶ୍ମୀରରୁ ୩୭୯ ଧାରା ଉଚ୍ଛେଦ କରିଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ବାଟ ଫିଟାଇଛନ୍ତି । କଂଗ୍ରେସ ସବୁବେଳେ ଭୋଟବ୍ୟାଙ୍କ ରାଜନୀତିରେ ମାତି ଏହାକୁ ଅଣଦେଖା କରି ଆସୁଥିଲା । ମାତ୍ର ଖୁବଶୀଘ୍ର ଶ୍ରୀରାମଙ୍କ ଜନ୍ମସ୍ଥଳୀରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯିବ । ୨୦୨୪ ସୁଦ୍ଧା ଭାରତ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିବ ବୋଲି ଶାହ ଦମ୍ଭର ସହ କହିଥିଲେ ।
ଏ ସମାବେଶରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲା ବେଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଭାଷଣ ଦେଇଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଏ ସଭାରେ ବିଜେପିର ସାଂସଦ, ବିଧାୟକଙ୍କ ସହ ଓଡ଼ିଶା ପ୍ରଭାରୀ ଅରୁଣ କୁମାର ସିଂହ, ସାଂସଦ ଜୁଏଲ ଓରାମ୍, ଅପରାଜିତା ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବରିÂ ନେତା ବୈଜୟନ୍ତ ପଣ୍ଡା, ଗିରିଧର ଗମାଙ୍ଗୋ, କେଭି ସିଂହଦେଓ, ଅଶ୍ୱିନୀ ବୈଷ୍ଣବ, ବିଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons