ଭୁବନେଶ୍ୱର: ‘ଏକ ଦୁର୍ବଳ ମୁହୂର୍ତ୍ତରେ ବିଜେପିରେ ମିଶିବାର ନିଷ୍ପତ୍ତି ଭୁଲ ଥିଲା। ହେଲେ ବିଜୁ ବାବୁଙ୍କ ଆଦର୍ଶରେ ଦୀର୍ଘ ବର୍ଷ ନିଜକୁ ହଜାଇ ଦେବା ପରେ ଆଉ ଏକ ଦଳରେ ନିଜକୁ କମ୍ଫଟେବ୍ଲ ମନେ ନ କରିବା ସ୍ୱାଭାବିକ । ତେଣୁ ତାଙ୍କ (ଦାମ ରାଉତ) ସହ ସେମିତି କିଛି ହୋଇଥିବ, ଯେଉଁଥିପାଇଁ ସେ ଇସ୍ତଫା ଦେଇଥିବେ’ ବୋଲି କହିଛନ୍ତି ଦାମଙ୍କ ପୁଅ ସମ୍ବିତ ରାଉତରାୟ।
ଗତ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୨୪ରେ ନୂଆଦିଲ୍ଲୀରେ ଜାତୀୟ ନେତାଙ୍କ ଗହଣରେ ବରିଷ୍ଠ ନେତା ଦମୋଦର ରାଉତ ବିଜେପିରେ ସାମିଲ ହୋଇଥିଲେ। ହେଲେ ପ୍ରାୟ ୭ ମାସ ପରେ ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି।
ଦାମ ଦଳରେ ମିଶିବା ସମୟରେ ତାଙ୍କର ପୁଅ ତଥା ବିଜେଡି ବିଧାୟକ ସମ୍ବିତ ରାଉତରାୟ ସେତେବେଳେ ପ୍ରତିକ୍ରିୟା ପ୍ରକାଶ କରି ‘ବାପା କିଛି ଠିକ୍ କରୁ ନାହାନ୍ତି’ ବୋଲି କହିଥିଲେ। ଆଜି ଦାମ ରାଉତର ଇସ୍ତଫା ଦେବା ପରେ ମଧ୍ୟ ସେ ସେହି କଥା ଦୋହରାଇଛନ୍ତି।
୭ ମାସ ପରେ କାହିଁକି ଦାମ ବିଜେପି ଛାଡ଼ିଲେ ବୋଲି ଏକ ପ୍ରଶ୍ନର ଉତ୍ତରରେ ପୁଅ ସମ୍ବିତ ରାଉତରା୍ରୟ କହିଥିଲେ, ସେତେବେଳର ପାଣିପାଗ ଅନୁସାରେ ସେ ଦଳରେ ଯୋଗ ଦେଇଥିଲେ, ବର୍ତ୍ତମାନର ପରିସ୍ଥିତିକୁ ଦେଖି ଇସ୍ତଫା ଦେଇଛନ୍ତି। ତେବେ ରାଜନୀତିରେ ଏସବୁ ହୁଏ ବୋଲି କହିଛନ୍ତି।
‘ ବିଜେପିର ବରିଷ୍ଠ ନେତୃବୃନ୍ଦ ତାଙ୍କୁ ଆସି ଡାକି ନେଇଥିଲେ। ମୁଁ ମନା କରିବା ସତ୍ତ୍ୱେ ସେ ବିଜେପିରେ ସାମିଲ କରିଥିଲେ। ହେଲେ ଦୀର୍ଘ ୩୫ ବର୍ଷ ବିଜୁ ବାବୁଙ୍କ ଆଦର୍ଶ, ଗୋଟିଏ ଦଳର ନୀତିରେ ଚାଲିବା ପରେ ଆଉ ଏକ ଦଳରେ ମିଶି ସେ ନିଜକୁ ସହଜ ମନେ କରି ପାରିନାହାନ୍ତି। ତେଣୁ ସେ (ଦାମ ରାଉତ) ଇସ୍ତଫା ଦେଇଥିବେ’ ବୋଲି କହିଛନ୍ତି ସମ୍ବିତ ରାଉତରାୟ।
ପୁଅ ସମ୍ବିତ ରାଉତଙ୍କୁ ଜିତାଇବା ପାଇଁ ଦାମ ଏପରି଼ ଦଳବଦଳ ନିଷ୍ପତ୍ତି ନେଇଥିଲେ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ସମ୍ବିତ କହିଥିଲେ, ‘ମୋତେ ଜିତାଇବା ପାଇଁ ନୁହେଁ, ବରଂ ରାଗରେ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ।’
ଏକ ଦୁର୍ବଳ ମୁହୂର୍ତ୍ତର ନିଷ୍ପତ୍ତି ଭୁଲ୍ କି ଠିକ୍ ତାହା ପରବର୍ତ୍ତୀ ସମୟରେ ଜଣା ପଡ଼ିଥାଏ। ତେଣୁ ସେ ଦୁର୍ବଳ ମୁହୂର୍ତ୍ତରେ ନେଇଥିବା ନିଷ୍ପତ୍ତି ଯେ ଭୁଲ ଥିଲା ଆଜି ସ୍ପଷ୍ଟ ହୋଇଛି ବୋଲି କହିଥିଲେ ସମ୍ବିତ।
ସୂଚନାଥାଉ କି, ବରିଷ୍ଠ ନେତା ଦାମୋଦର ରାଉତ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ କୋଣଠେସା କରାଯାଇଥିବା ପୂର୍ବରୁ ସେ ଅଭିଯୋଗ କରି ଆସୁଥିଲେ। ସେ ତାଙ୍କ ଇସ୍ତଫାପତ୍ର ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି।
Comments are closed, but trackbacks and pingbacks are open.