ବିଜେପିର ମଙ୍ଗ ଧରିବେ ମଙ୍ଗୁଙ୍କ ପୁଅ !

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର କସରତ ଆରମ୍ଭ କରିଛନ୍ତି । ତେବେ ଏହି କସରତରେ ବିଜେପି ଗୋଟିଏ ପାଦ ଆଗକୁ ଯାଇ ଆଜି ଦିବଂଗତ ବିଧାୟକ ମଦନ ମୋହନ ଦତ୍ତ (ମଙ୍ଗୁ)ଙ୍କ ପୁଅ ମାନସଙ୍କୁ ନିର୍ବାଚନମଣ୍ଡଳୀ ସଂଯୋଜକ ଭାବେ ଘୋଷଣା କରିଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଏହି ଘୋଷଣା ହୋଇଛି । ଆଜିର ଏହି ଘୋଷଣା ପରେ ଆଗାମୀ ନିର୍ବାଚନରେ ମାନସଙ୍କ ପ୍ରାର୍ଥୀତ୍ୱ ପ୍ରତି ସବୁଜ ସଙ୍କେତ ମିଳିଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ବିଚାର କରାଯାଉଛି । ଏଭଳିକି ସଦର ନିର୍ବାଚନମଣ୍ଡଳୀରେ ମଙ୍ଗୁଙ୍କ ପୁଅ ହିଁ ବିଜେପିର ମଙ୍ଗ ଧରିବେ ବୋଲି ଆଜିର ଘୋଷଣା ପରେ ସ୍ପଷ୍ଟ ହେବାରେ ଲାଗିଛି ।
୨୦୧୯ ବିଧାନସଭା ନିର୍ବାଚନରେ ବାଲେଶ୍ୱର ସଦର ବିଧାନସଭାକ୍ଷେତ୍ରରୁ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ (ମଙ୍ଗୁ) ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡ଼ି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କ ଠାରୁ ୧୩,୪୦୬ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ । ଶ୍ରୀ ଦତ୍ତ ୭୪,୮୧୫ ଭୋଟ ପାଇଥିବା ବେଳେ ଶ୍ରୀ ଦାଶ ୬୧,୪୦୯ଟି ଭୋଟ ପାଇଥିଲେ । ମାତ୍ର ଭାଗ୍ୟର ବିଡ଼ମ୍ବନା ଦୃଷ୍ଟିରୁ ନିର୍ବାଚନରେ ବିଜୟୀ ହେବାର ମାତ୍ର ଏକବର୍ଷ ପରେ ଶ୍ରୀ ଦତ୍ତ ଇହଲୀଳା ସମ୍ବରଣ କଲେ । ଏହାପରେ ବାଲେଶ୍ୱର ସଦର ବିଧାନସଭାକ୍ଷେତ୍ରର ଆସନ ଖାଲି ପଡ଼ିଥଲା । ତେବେ ଆସନ୍ତା ନଭେମ୍ବର ଶେଷ ସୁଦ୍ଧା ଉପନିର୍ବାଚନ ହେବ ବୋଲି ସୂଚନା ମିଳିଛି । ଉପ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ନିର୍ବାଚନରେ ଆଶାୟୀ ବିଧାୟକ ପ୍ରାର୍ଥୀ ପାଇଁ ଦଳର ବିଭିନ୍ନ ନେତାଙ୍କ ନାମ ଶୁଣିବାକୁ ମିଳୁଥିବାବେଳେ ମାନସରଞ୍ଜନ ମଧ୍ୟ ଏହି ତାଲିକାରେ ଥିଲେ । ତାଙ୍କୁ ଏହି ନୂଆ ଦାୟିତ୍ୱ ଦିଆଯିବା ପରେ ଆପାତତଃ ମାନସଙ୍କ ସମର୍ଥକଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons