ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବିଧାନସଭାରେ ଆଜି ପୁଣି କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଦୁଇ ଦଳର ସଭ୍ୟଙ୍କ ପାଟିତୁଣ୍ଡ ଓ ହଟ୍ଟଗୋଳରେ ଗୃହ ଆଜି ପଡ଼ିଥିଲା ଉଠିଥଲା । କଂଗ୍ରେସ ସଭ୍ୟମାନେ ବାଚସ୍ପତିଙ୍କ ଆସନ ନିକଟରେ ପାଟିତୁଣ୍ଡ ହୋହଲ୍ଲା କରିଥିଲା ବେଳେ ବିଜେପି ସଭ୍ୟମାନେ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ ।
ଆଜି ଶୂନ୍ୟକାଳରେ କଂଗ୍ରେସ ନେତା ନରସିଂହ ମିଶ୍ର କହିଲେ, ସୋମବାର ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ବେଳେ ମୋ ପ୍ରତି ଟିପ୍ପଣୀ ଦିଆ ଯାଇଥିଲା । ବିଜେପିର ଉପନେତା ବିଷ୍ଣୁ ସେଠୀ ଗୃହର ସଦସ୍ୟ ଥିବା ମଣିଶଙ୍କର ଆୟାର ଓ ନବଜୋତ ସିଦ୍ଧୁଙ୍କ ସଂପର୍କରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ । ଏହାକୁ ଗୃହର ବିବରଣୀରୁ ବାଦ୍ ଦେବାକୁ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ କହିଲେ, ଗତକାଲି ଆଲୋଚନା ବେଳେ ମୁଁ କହିଥିଲି, ଗାନ୍ଧିଜୀଙ୍କୁ ଯେଉଁ ୩୦ ଜାନୁଆରୀରେ ଗୁଳି କରି ହତ୍ୟା କରାଯାଇଥିଲା ସେହିଦିନ ଗାନ୍ଧିଙ୍କ ଫଟୋକୁ ଗୁଳି କରିବା ସହ ଗଡସେଙ୍କୁ ଭଗବାନ ଆଖ୍ୟା ଦିଆଯାଇଥିଲା । ଭୋପାଳରୁ ବିଜେପି ସାଂସଦ ଗାନ୍ଧିଜୀଙ୍କ ପ୍ରତି ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ସମସ୍ତେ ଜାଣନ୍ତି । ଏପରିକି ପ୍ରଧାନମନ୍ତ୍ରୀ କହିଲେ, ମୁଁ ତାଙ୍କୁ କ୍ଷମା କରିପାରିବିନି । ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ । ମାତ୍ର କିଛି କାର୍ଯ୍ୟାନୁଷ୍ଠାନ ନିଆଗଲାନି । ମୁଁ ଏ ଆଲୋଚନା ବେଳେ କାହା ନାଁ ନେଇନି । ସମାଲୋଚନା ମଧ୍ୟ କାହାକୁ କରିନି । ମାତ୍ର ଶ୍ରୀ ସେଠୀ ଆୟାର ଓ ସିଦ୍ଧୁଙ୍କ ସଂପର୍କରେ ଅପମାନଜନକ ଟିପ୍ପଣୀ ଦେଇଥିଲେ । ଗୃହରେ ଉପସ୍ଥିତ ନଥିବା ଦୁଇ ବ୍ୟକ୍ତିଙ୍କ ସଂପର୍କରେ ଆଲୋଚନା ଠିକ୍ ନୁହେଁ । ଶ୍ରୀ ମିଶ୍ର ଏମ.ଏନ.କାଉଲ ଓ ଏସଏଲ ଶାକଧରଙ୍କ ପ୍ରଣୀତ ‘ପାର୍ଲାମେଣ୍ଟାରୀ ପ୍ରାକ୍ଟିସ୍ ଆଣ୍ଡ ପ୍ରୋସିଡ୍ୟୁର ଇନ୍ ପାର୍ଲାମେଣ୍ଟ‘କୁ ଉଦ୍ଧୃତ କରି ସେ ଏହା ବାଚସ୍ପତିଙ୍କ ଦୃଷ୍ଟିକୁ ଆଣିଥିଲେ । ଏହାପରେ ବାଚସ୍ପତିଙ୍କ ରୁଲିଂ ଦାବି କରି କଂଗ୍ରେସ ସଭ୍ୟମାନେ ବାଚସ୍ପତିଙ୍କ ଆସନ ନିକଟକୁ ମାଡ଼ି ଆସିଲେ । ବାଚସ୍ପତି କହିଲେ, ମୁଁ ବିଷ୍ଣୁଙ୍କ ଠାରୁ ଶୁଣିବା ପରେ ରୁଲିଂ ଦେବି ।
ବାଚସ୍ପତି ସୂର୍ଯ୍ୟ ପାତ୍ର ଏହାପରେ ବିଷ୍ଣୁ ସେଠୀଙ୍କୁ କହିବାକୁ ଡାକିଲେ । ସେ କହିଲେ, କେବଳ ଗତକାଲି ନୁହଁ, ପୂର୍ବରୁ ଦୁଇଥର ନରସିଂହ ମିଶ୍ର ପ୍ରକାରନ୍ତରେ ଏମିତି ସମାଲୋଚନା କରିଛନ୍ତି । କେନ୍ଦ୍ରରେ ଗଡସେ ଚିନ୍ତାଧାରର ଗୋଟିଏ ସରକାର ଚାଲୁଛି ବୋଲି ମଧ୍ୟ କହିଛନ୍ତି । ମାତ୍ର ତାଙ୍କ ଦଳର ରାଷ୍ଟ୍ରୀୟ ସଭାପତି ବହୁ ସମୟରେ ଅଯୁକ୍ତିକର କଥା କହୁଛନ୍ତି । ଗୃହରେ ପୂର୍ବରୁ ଉପସ୍ଥିତ ନଥିବା ବହୁ ବ୍ୟକ୍ତିଙ୍କ ସଂପର୍କରେ ଆଲୋଚନା ହୋଇଛି ।
ଠିକ୍ ଏତିକି ବେଳକୁ ପୁଣି କଂଗ୍ରେସ ସଭ୍ୟମାନେ ହୋହଲ୍ଲା କଲେ । ବାଚସ୍ପତି ବିବରଣୀରୁ ବାଦ୍ ଦେବାକୁ ଦାବି କରି ପାଟିତୁଣ୍ଡ ଜୋର କଲେ । ସଭ୍ୟ ତାରା ବାହିନୀପତି ବାଚସ୍ପତିଙ୍କ ଟେବୁଲ ବାଡ଼େଇବା ସହ ବାଚସ୍ପତିଙ୍କ ଆସନ ନିକଟରେ ତଳେ ଚୌକିରେ ବସିଲେ । ସେପଟେ ବିଜେପି ସଭ୍ୟମାନେ ହୋହଲ୍ଲା କରିବା ସହ ବିଷ୍ଣୁ କହିଲେ, ଆମକୁ ବି ବାଚସ୍ପତି ସୁରକ୍ଷା ଦିଅନ୍ତୁ । ପ୍ରାନମନ୍ତ୍ରୀଙ୍କ ସଂପର୍କରେ ମଧ୍ୟ ଟିପଣୀ ଦିଆଯାଇଛି । ଏଣିକି ଆଉ ୪ ବର୍ଷ ୮ ମାସ ମଧ୍ୟରେ କେହି ଏଠାରେ ଉପସ୍ଥିତ ନଥିବା ଲୋକଙ୍କ ସଂପର୍କରେ କେହି କିଛି କହିପାରିବେନି, ବାଚସ୍ପତି ଗ୍ୟାରେଣ୍ଟି ଦିଅନ୍ତୁ । ଏପଟେ କଂଗ୍ରେସ ସଭ୍ୟ ଜୋର ପାଟି କରିବାରୁ ବିଷ୍ଣୁ କହିଲେ, ତୁମେ ଚାକିରି ବଞ୍ଚାଇବାକୁ ସେଠି ବସିଛ ।
ବିଜେପି ଓ କଂଗ୍ରେସ ସଭ୍ୟଙ୍କ ମଧ୍ୟରେ କଥା କଟାକଟି ସହ ପାଟିତୁଣ୍ଡ ଜୋର ଧରିବାରୁ ଗୃହ କମ୍ପିଲା । ଦୁଇ ଦଳର ସଭ୍ୟମାନେ ଏକରକମ ମୁହାଁମୁହିଁ ହୋଇଥିଲେ । ଏହାପରେ ବାଚସ୍ପତି କହିଲେ ମୁଁ ତର୍ଜମା କରି ଆଜି ରୁଲିଂ ଦେବି । ଅପରାହ୍ନରେ ରୁଲିଂ ଦେଇ ବାଚସ୍ପତି କହିଲେ, ଗୃହରେ ଆୟାର ଓ ସିଦ୍ଧୁ ଉପସ୍ଥିତ ନଥିଲେ । ତେଣୁ ତାଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟକୁ ଗୃହର ବିବରଣୀରୁ ବାଦ୍ ଦିଆଗଲା ।
Comments are closed, but trackbacks and pingbacks are open.