ଭୁବନେଶ୍ୱର,(ବୁ୍ୟରୋ): ଲଢେ଼ଇ ପୂରାକୁ ପୂରା ତଗଡ଼ା ଧରିବ । ଏଥିପାଇଁ ମଇଦାନ ପ୍ରସ୍ତୁତ । ଯୋଦ୍ଧା ବି କମର କଷିଛନ୍ତି । ବିଜେପୁର କୁରୁକ୍ଷେତ୍ରରେ ବାଜି ମାରିନେବାକୁ କେହି କାହାକୁ ଯେ ବାଟ ଛାଡ଼ିବେନି ତାହା ଜଳଜଳ । ଶାସକ ବିଜୁ ଜନତା ଦଳ ପାଇଁ ବିଜେପୁର ବିଜୟ ସମ୍ମାନର ପ୍ରଶ୍ନ ଥିଲା ବେଳେ ବିଜେପି ଓ କଂଗ୍ରେସ ପାଇଁ ମଧ୍ୟ ଏସିଡ୍ ଟେଷ୍ଟ ଛିଡ଼ା କରାଇଛି । ଆଜି ନାମାଙ୍କନ ପରେ ସାରା ରାଜ୍ୟର ଆଖି ବିଜେପୁର ଉପରେ । ଆସନ୍ତା ୨୧ ରେ ହେବାକୁ ଥିବା ଭୋଟ ଲଢେ଼ଇରେ ଲୋକ କାହାକୁ ସମର୍ଥନ ଦେବେ ତାହା ଏବେ ବଡ଼ ପ୍ରଶ୍ନ ଭାବେ ଛିଡ଼ା ହୋଇଛି ।
କିଏ ଜିତିବ ବିଜେପୁର ବାଜି? ପଶ୍ଚିମ ଓଡ଼ିଶାର ଏ ହଟ୍ ସିଟର ଉପନିର୍ବାଚନକୁ ନେଇ ତିନି ଦଳର ରାଜନୀତି ବେଶ ତତଲା ଧରିଛି । ଯେମିତି ହେଉ ବିଜେପୁର ଗଡ଼ ଜିତିବାକୁ ଆରମ୍ଭ ହୋଇଛି ପ୍ରାଣମୂର୍ଚ୍ଛା ଉଦ୍ୟମ । ବିଜେଡି ପକ୍ଷରୁ ରୀତା ସାହୁ, ବିଜେପିରୁ ସନତ ଗଡ଼ତିଆ ଏବଂ କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ନାମାଙ୍କନପତ୍ର ଦାଖଲ କରିଥିଲା ବେଳେ ଅନ୍ୟ ୪ ଜଣ ମଧ୍ୟ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମଇଦାନରେ ୭ ପ୍ରାର୍ଥୀ ଉଭା ହୋଇଛନ୍ତି । ଅସଲ ଲଢେ଼ଇ କିନ୍ତୁ ବିଜେପି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ।
ବିଜେପୁରରେ ବିଜେଡି ଓ ବିଜେପି ନିଜ ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିଲା ବେଳେ କଂଗ୍ରେସ ଦିଲ୍ଲୀପଙ୍କୁ ଧରି ଭୋଟ ବୈତରଣୀକୁ ଲମ୍ଫ ମାରିଛି । ପୂର୍ବତନ ବିଧାୟିକା ରୀତା ସାହୁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ଶାସକ ବିଜେଡି ତାଙ୍କ ଧର୍ମପତ୍ନୀ ରୀତାଙ୍କୁ ଦଳରେ ଗ୍ରହଣ କରି ୨୦୧୮ ଫେବ୍ରୁଆରୀ ଉପନିର୍ବାଚନରେ ଛିଡ଼ା କରାଇଥିଲା । ରୀତା୪୧ ହଜାର ୯୩୩ ଭୋଟରେ ବିଜେପି ପ୍ରାର୍ଥୀ ଅଶୋକ ପାଶିଗ୍ରାହୀଙ୍କୁ ପରାସ୍ତ କରି ବିଧାନସଭାକୁ ଆସିଥିଲେ । ରୀତା ୧ ଲକ୍ଷ ୨ ହଜାର ୮୭୧ ଭୋଟ ପାଇଥିଲା ବେଳେ ଅଶୋକଙ୍କୁ ମିଳିଥିଲା ୬୯ ହଜାର ୯୩୮ ଖଣ୍ଡ ଭୋଟ । କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମାତ୍ର ୧୦ ହଜାର ୨୭୪ ଖଣ୍ଡ ଭୋଟରେ ସନ୍ତୁଷ୍ଟ ରହିଥିଲେ ।
ଗତ ସାଧାରଣ ନିର୍ବାଚନ ବେଳେ ସମସ୍ତଙ୍କୁ ଚକ୍ମା ଦେଇ ନବୀନ ପଶ୍ଚିମ ଓଡ଼ିଶା କାର୍ଡ ଖେଳିଥିଲେ । ବିଜେପିକୁ ପଶ୍ଚିମ ଓଡ଼ିଶାରେ ଚେକମେଟ୍ ଦେବାକୁ ନବୀନ ନିଜେ ବିଜେପୁର ଆସନରୁ ପ୍ରାର୍ଥୀ ଭାବେ ଭୋଟ ଲଢ଼ିଥିଲେ । ସେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ପରାସ୍ତ କରିଥିଲେ । ନବୀନ ୧ ଲକ୍ଷ ୧୦ ହଜାର ଭୋଟ ପାଇଥିଲା ବେଳେ ଶ୍ରୀ ଗଡ଼ତିଆ ୫୩ ହଜାର ଭୋଟ ପାଇଥିଲେ । କଂଗ୍ରେସର ରିପୁନାଥ ସେଠ ୧୪ ହଜାର ଭୋଟ ପାଇଥିଲେ । ଉଭୟ ହିଞ୍ଜିଳି ଓ ବିଜେପୁରରୁ ବିଜୟୀ ହେବା ପରେ ନବୀନ ବିଜେପୁର ଛାଡ଼ିଦେବାରୁ ଏବେ ଉପନିର୍ବାଚନ ଅନୁÂିତ ହେଉଛି । ଆଜି ନାମାଙ୍କନ ବେଳେ ବିଜେଡି ଶକ୍ତି ପ୍ରଦର୍ଶନ ମଧ୍ୟ କରିଛି ।
ବିଜେପି ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିବା ଦିନରୁ ପୂରା ଆକ୍ରମଣାତ୍ମକ ଢଙ୍ଗରେ ବିଜେଡି ଉପରେ ବର୍ଷିଛି । ଦଳୀୟ କର୍ମୀଙ୍କୁ ତତେଇବାକୁ ଦଳର ହେଭିୱେଟମାନେ ବିଜେଡି ଓ ନବୀନଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ଏ ସରକାର ଅମଳରେ ଓଡ଼ିଶା ରସାତକଳୁ ଯାଇଛି ବୋଲି ବିଜେପି ଅଭିଯୋଗ ଆଣି ବିଜେଡି ସରକାରକୁ କାଠଗଡ଼ାରେ ଛିଡ଼ା କରାଇଛି । ଯୋଦ୍ଧା ସନତଙ୍କୁ ଧରି ବିଜେପି ଯେ ଶାଣିତ ଲଢେ଼ଇ ଲଢ଼ିବ ତାହା ଜଳଜଳ । ବିଜେପିର ସମସ୍ତ ନେତା ବିଜେପୁରରେ କ୍ୟାମ୍ପ କରି ଲଢେ଼ଇକୁ ଅଧିକ ତୀବ୍ର କରିବେ ବୋଲି ସୂଚନା ମିଳିଛି । ସନତ ଗତ ଭୋଟରରେ ୫୩ ହଜାରରୁ ଅଧିକ ଭୋଟ ପାଇଥିଲେ । ତେଣୁ ଏଥର ସେ ରୀତାଙ୍କୁ ପ୍ରଚଣ୍ଡ ଆହ୍ୱାନ ଦେବେ ବୋଲି ଦଳର ଅଭିଜ୍ଞ ନେତାମାନେ ଯୁକ୍ତି ଦର୍ଶାଉଛନ୍ତି । ନବୀନ ବିଜେପୁର କାହିଁକି ଛାଡ଼ିଲେ ଦଳ ତାକୁ ଜୋରଦାର ଭାବେ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛି । ବିଜେପୁର ଯୁଦ୍ଧକୁ ବିଜେପି ବେଶ ସମ୍ମାନର ପ୍ରଶ୍ନ ଭାବେ ମଧ୍ୟ ନେଇଛି ।
କଂଗ୍ରେସ ପ୍ରାର୍ଥୀ ଶ୍ରୀ ପଣ୍ଡା ଆଜି ନିରାଡ଼ମ୍ବର ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶ୍ରୀ ପଣ୍ଡା ତୃଣମୂଳସ୍ତରର ନେତା ହୋଇଥିବାରୁ ପ୍ରଭାବୀ ଢଙ୍ଗରେ ସେ ଉଭୟ ବିଜେଡି ଓ ବିଜେପିକୁ ଟକ୍କର ଦେବେ ବୋଲି ଦଳ ଯୁକ୍ତି ଦର୍ଶାଉଛି । ବିଜେପୁର ଭୋଟକୁ ଆଉ ୩ ସପ୍ତାହ ବାକି ଥିଲା ବେଳେ ପ୍ରଥମ ଦିନରୁ ମାହୋଲ ଗରମ ଧରିଲାଣି । ଆଗକୁ ଭୋଟ ପ୍ରଚାର ଆହୁରି ବିଜେପୁରକୁ ତତଲା ଯେ କରିବ ତାହା ଜଣାପଡ଼ିଲାଣି ।
Comments are closed, but trackbacks and pingbacks are open.