ବିଜେପୁର ଉପନିର୍ବାଚନ:ସରିଲା ପ୍ରଚାର, କାଲି ଭୋଟ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବହୁ ପ୍ରତିକ୍ଷିତ ବିଜେପୁର ଉପନିର୍ବାଚନ ପାଇଁ ଶନିବାର ପ୍ରଚାର ଶେଷ ହୋଇଛି । ଦିନକ ପରେ ଅର୍ଥାତ୍ ସୋମବାର ଭୋଟ୍ । ପ୍ରାର୍ଥୀଙ୍କ ଛଡ଼ା ପ୍ରଚାରକୁ ଓହ୍ଲାଇଥିବା ଅନ୍ୟ ସବୁ ନେତା ନିର୍ବାଚନମଣ୍ଡଳୀ ଛାଡ଼ିଛନ୍ତି ।
ଯଦିଓ ଖୋଲା ପ୍ରଚାର ସରିଛି, ଭୋଟରଙ୍କୁ ଭିଡ଼ିବା ପାଇଁ ପ୍ରାର୍ଥୀମାନେ ଭିତିରିଆ ଖେଳ ଆରମ୍ଭ କରିଦେଇଥିବା ଖବର ମିଳିଛି । କିଏ ଉପହାର ଦେଇ ତ’ ଆଉ କିଏ ମଦ ଓ ଟଙ୍କା ବାଣ୍ଟି ଭୋଟ୍ ହାତେଇବାକୁ ଉଦ୍ୟମ ଚଳାଇଛି । ତେବେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜେପୁର ନିର୍ବାଚନମଣ୍ଡଳୀ ଓ ସମସ୍ତ ପ୍ରାର୍ଥୀଙ୍କ ଉପରେ ତୀକ୍ଷ୍ଣ ନଜର ରହିଛି ।
ଅନ୍ୟପଟେ ମତଦାନ ପାଇଁ ଜିଲ୍ଲା ମୁଖ୍ୟାଳୟରୁ ପୁଲିଂ ଟିମ୍ ବୁଥ୍ ଅଭିମୁଖେ ବାହାରିଛନ୍ତି । କେତେକ ବୁଥ୍ରେ ପହଞ୍ଚିଥିବା ବେଳେ ବଳକା ଟିମ୍ କାଲି ସନ୍ଧ୍ୟା ସୁଦ୍ଧା ବୁଥ୍ରେ ପହଞ୍ଚି ମତଦାନ ପାଇଁ ପ୍ରସ୍ତୁତି ଶେଷ କରିବେ ବୋଲି ଜଣାପଡ଼ିଛି ।
ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ କୁମାର ଲୋହାନିଙ୍କ ସୂଚନା ମୁତାବକ, ବିଜେପୁର ଉପନିର୍ବାଚନ ପାଇଁ ୫ ଜଣ ପ୍ରାର୍ଥୀ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା ପ୍ରାର୍ଥୀ । ୨,୩୨,୨୬୪ ଜଣ ଭୋଟର ଏହି ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଭୋଟରଙ୍କ ମଧ୍ୟରେ ୧ ଲକ୍ଷ ୨୦ ହଜାର ୧୩୫ ଜଣ ପୁରୁଷ ଭୋଟର ଥିବା ବେଳେ ୧ ଲକ୍ଷ ୧୨ ହଜାର ୧୧୪ ଜଣ ମହିଳା ଓ ୧୫ ଜଣ ତୃତୀୟଲିଙ୍ଗୀ ଭୋଟର ରହିଛନ୍ତି ।
ଭୋଟ୍ ଦେବା ପାଇଁ ୨୮୫ଟି ପୁଲିଂ ବୁଥ୍ ସ୍ଥାପନ କରାଯାଇଛି । ୧୨୯ଟି ବୁଥ୍କୁ ଉତ୍ତେଜନାପ୍ରବଣ ବୁଥ୍ ଭାବେ ଚିହ୍ନଟ ହୋଇଛି । ୬ଟି ବୁଥ୍ ମାଓବାଦୀ ପ୍ରବଣ ଅଞ୍ଚଳରେ ରହିଥିବାରୁ ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ପୁଲିଂ ବୁଥ୍ଗୁଡ଼ିକରେ ୧,୮୯୫ ଜଣ ପୁଲିଂ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପ୍ରତି ପୁଲିଂ ଟିମ୍ରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସହ ୫ ଜଣ ସହକାରୀ ଅଧିକାରୀ ଓ ଅତିକମ୍ରେ ଜଣେ ସୁରକ୍ଷାକର୍ମୀ ରହିଛନ୍ତି । ୩୨ ଜଣ ସେକ୍ସନ ଅଫିସର ନିର୍ବାଚନର ତଦାରଖ କରିବେ । ନିର୍ବାଚନ କାର୍ଯ୍ୟରେ ୪୪୧ଟି ଗାଡ଼ିକୁ ନିୟୋଜନ କରାଯାଇଛି ।
ନିର୍ବାଚନ ମଣ୍ଡଳୀର ୨୮ଟି ବୁଥ୍ରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି, ଯାହାକି ସିଇଓଙ୍କ ସମେତ ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ) ଓ ରିଟର୍ଣ୍ଣିଂ ଅଫିସର (ଆର୍ଓ) ଅଫିସ୍ରେ ଲାଇଭ୍ ଦେଖାଯିବ । ୧୪ଟି ବୁଥ୍ରେ ସିସିଟିଭି ଲାଗିବାକୁ ଥିବା ବେଳେ ୭୭ଟିରେ ମାଇକ୍ରୋ ଅବଜର୍ଭର ନିୟୋଜିତ ହୋଇଛନ୍ତି । ଅନ୍ୟ ୧୬ଟି ବୁଥ୍ର ଭିଡିଓଗ୍ରାଫି ହେବ ।
ବିଜେପୁର ନିର୍ବାଚନ ମଣ୍ଡଳୀରେ ୨,୭୫୦ ଜଣ ଦିବ୍ୟାଙ୍ଗ ଭୋଟର ଥିବାରୁ ସେମାନଙ୍କ ଯିବା ଆସିବା ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି । ସମସ୍ତ ବୁଥ୍ରେ ହ୍ୱିଲ୍ ଚେୟାର ବ୍ୟବସ୍ଥା କରାଯାଇଛି । ଦୃଷ୍ଟିହୀନ ଭୋଟରଙ୍କ ପାଇଁ ୧୪୮ଟି ବୁଥ୍କୁ ବ୍ରେଲିଂ ଡମି ବାଲଟ୍ ଯୋଗାଇ ଦିଆଯାଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ୫୭୦ ଜଣ ସ୍ୱେଚ୍ଛାସେବୀ ନିୟୋଜନ କରାଯାଇଥିବା ସିଇଓ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons