ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଜେପୁର ଉପନିର୍ବାଚନ ପାଇଁ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁÂିତ ହୋଇଯାଇଛି । ସବୁ ଦଳର ପ୍ରତିନିଧିଙ୍କୁ ନିର୍ବାଚନ ଆଚରଣବିଧି ସମ୍ପର୍କରେ ବୁଝାଇଲେ ସିଇଓ ।
ବୈଠକରେ ସିଇଓ ଶ୍ରୀ କୁମାର ବିଜେପୁର ଉପନିର୍ବାଚନ ପାଇଁ ଜାରି କରାଯାଇଥିବା ବିଜ୍ଞପ୍ତି, ନାମାଙ୍କନପତ୍ର ଦାଖଲର ଶେଷ ତାରିଖ, ନାମାଙ୍କନ ପତ୍ର ଯାଞ୍ଚ ଓ ପ୍ରତ୍ୟାହାର, ମତଦାନ ତାରିଖ ଓ ଭୋଟ୍ ଗଣତି ସହ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇଥିଲେ । ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ଶ୍ରୀ କୁମାର ସଭିଙ୍କ ସହଯୋଗ କାମନା କରିଥିଲେ ।
ଉପନିର୍ବାଚନ ଘୋଷଣା ପରଠୁ ସମଗ୍ର ବରଗଡ଼ ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ କରାଯାଇଛି । ସର୍ବସାଧାରଣ କୋଠାଗୁଡ଼ିକରେ ନିର୍ବାଚନୀ ବ୍ୟାନର, ହୋର୍ଡିଂ, ପୋଷ୍ଟରଗୁଡ଼ିକୁ ନ ଲଗାଇବା ପାଇଁ ରାଜନୈତିକ ଦଳ ଓ ସେମାନଙ୍କ କର୍ମୀମାନଙ୍କୁ ଅନୁରୋଧ କରାଯାଇଛି । ନାମାଙ୍କନପତ୍ର ଦାଖଲବେଳେ ପ୍ରାର୍ଥୀମାନେ ଫର୍ମ ନମ୍ବର ୨୬ରେ ସମ୍ପୂର୍ଣ୍ଣ ବିବରଣୀ ଦେବେ । ସତ୍ୟପାଠ ଫର୍ମର କୌଣସି ସ୍ତମ୍ଭ କିମ୍ବା କୌଣସି ଧାଡ଼ି ଖାଲି ରହିବ ନାହିଁ । ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ଥିଲେ, ସେମାନେ ନିର୍ବାଚନ ପ୍ରଚାରରେ ଅନ୍ତତଃ ୩ ଥର ବୈଦୁ୍ୟତିକ ଓ ଛାପା ଗଣମାଧ୍ୟମରେ ତାହାର ପ୍ରଚାର ପ୍ରସାର କରାଇବେ । ପ୍ରଥମ ଥର ପାଇଁ ବିଜେପୁର ଉପନିର୍ବାଚନରେ ଇଭିଏମ୍/ଭିଭିପାଟ୍ କ୍ଷେତ୍ରରେ ଏମ୍-୩ ଭର୍ସନ ମେସିନ୍ ନିର୍ବାଚନରେ ବ୍ୟବହାର କରାଯିବ ।
ବୈଠକରେ ବିଜେପି ନେତା ସମୀର ମହାନ୍ତି, ଗୋଲକ ମହାପାତ୍ର, ଅଶୋକ ତ୍ରିପାଠୀ, ବିଜେଡିର ସାଧାରଣ ସମ୍ପାଦକ ଅନନ୍ତ ନାରାୟଣ ଜେନା, ଅନୁସୂଚିତ ଜାତି ଜନମୋର୍ଚ୍ଚାର ସାଧାରଣ ସମ୍ପାଦକ ସଂଜୟ କୁମାର ସେଠୀ, ଅତିରିକ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ହରିବଲ୍ଲଭ ମିଶ୍ର, ଅଭୟ ନାୟକ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ନୀତି ଶେଖର ସେନ୍ ପ୍ରମୁଖ ଯୋଗ ଦେଇଥିଲେ । କଂଗ୍ରେସ ଦଳରୁ କେହି ଆସିନଥିଲେ ।
Comments are closed, but trackbacks and pingbacks are open.