ରାୟଗଡ଼ା,(ବି.ବି.ନୁ୍ୟଜ): ମୁମ୍ବାଇ ଆଇଆଇଟି ଛାତ୍ରଛାତ୍ରୀଙ୍କ କମାଲ୍ । ଏକ ସ୍ୱତନ୍ତ୍ର ପରିକଳ୍ପନାରେ ପ୍ରସ୍ତୁତ ହୋଇପାରିଛି ବିଦୁ୍ୟତ ବିହୀନ ଶୀତଳ ଭଣ୍ଡାର । ଆଉ ଏହା ବର୍ତ୍ତମାନ ଅଞ୍ଚଳର ଚାଷୀଙ୍କ ପାଇଁ ସହାୟକ ହୋଇଛି । ଉତ୍ପାଦିତ ଫସଲକୁ ଚାଷୀମାନେ ଏହି ନୂତନ ଶୀତଳ ଭଣ୍ଡାରରେ ସାଇତି ରଖିବା ଆରମ୍ଭ କରିଛନ୍ତି । ବିଷମକଟକ ଓ ମୁନିଗୁଡ଼ା ବ୍ଲକରେ ଏକ ସ୍ୱେଚ୍ଛାସେବୀ ଅନୁÂାନ ପକ୍ଷରୁ ଏଭଳି ଶୀତଳ ଭଣ୍ଡାର ଚାଷୀଙ୍କୁ ପ୍ରଦାନ କରାଯାଇଛି । ଚାଷୀ ଏହାକୁ ବ୍ୟବହାର କରି ଉପକୃତ ହୋଇପାରୁଥିବା କହିଛନ୍ତି । ବର୍ତ୍ତମାନ ଦୁଇଟି ବ୍ଲକରେ ୫୦ଟି ଏଭଳି ଯନ୍ତ୍ର ନିର୍ମାଣ କରି ଚାଷୀ ବ୍ୟବହାରରେ ଲଗାଇଥିବା ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ପ୍ରକାରେ ବିନା ବିଦୁ୍ୟତରେ ଆଇଆଇଟି ପିଲାମାନେ ଏକ ଶୀତଳ ଭଣ୍ଡାର ତିଆରି କରିଛନ୍ତି । ଏଥିରେ କୌଣସି ବୈଦୁତିକ ସରଞ୍ଜାମ ବ୍ୟବହାର କରାଯାଇ ନାହିଁ । ଇଟାରେ ତିଆରି ପାଚେରୀ ଓ ଜିଆଇ ଟିଣରେ ନିର୍ମିତ ଏକ ବାrରେ ବୈଜ୍ଞାନିକ ପଦ୍ଧତିରେ ଶୀତଳ ଭଣ୍ଡାର ନିର୍ମାଣ କରାଯାଇଛି । ଶୀତଳଭଣ୍ଡାର ଭିତରେ ନାଇଟ୍ରୋଜେନ ବ୍ୟବହାର କରାଯିବା ସହ ପ୍ରତିଦିନ ୪ବାଲ୍ଟି ପାଣି ପକାଇ ସାମଗ୍ରୀକୁ ସତେଜ ରଖାଯାଉଛି । ଗୋଟିଏ ବାrରେ ଦେଢ଼ କ୍ୱିଇଣ୍ଟାଲ ପର୍ଯ୍ୟନ୍ତ ପରିବା ରହିପାରୁଛି । ପ୍ରତିଦିନ କ୍ଷେତରୁ ଉତ୍ପାଦିତ ହେଉଥିବା ବାଇଗଣ, କୋବି, ଟମାଟୋ, ଗାଜର, ସାଗ, ମୂଳା, କଞ୍ଚାଲଙ୍କା, ପୋଟଳ, ଶିମ୍ବ ଭଳି ପରିବାକୁ ଚାଷୀମାନେ ସାଇତି ରଖୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫୦ଟି ଏଭଳି ଶୀତଳ ଭଣ୍ଡାର ବିଷମକଟକ ଓ ମୁନିଗୁଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଚାଷୀମାନେ ବ୍ୟବହାର କରୁଛନ୍ତି । ମୁଖ୍ୟତଃ ବିଷମକଟକ ବ୍ଲକ ଠଙ୍ଗପଡ଼ା ଗାଁରେ ପ୍ରଥମେ ଏହାର ବ୍ୟବହାର କରାଯାଇଥିଲା । ସେହି ଗାଁରେ ପରିବା ଚାଷ କରୁଥିବା ଚାଷୀମାନେ ଏହି ଶୀତଳ ଭଣ୍ଡାର ଦ୍ୱାରା ଫାଇଦା ପାଇପାରିଲେ । ଏହା ଦେଖି ଉପରୋକ୍ତ ଦୁଇ ବ୍ଲକର ଅନ୍ୟ ଚାଷୀମାନେ ସ୍ୱେଚ୍ଛାସେବୀ ସଂସ୍ଥା ଜରିଆରେ ବ୍ୟବହାର ଆରମ୍ଭ କରିଛନ୍ତି । ବର୍ତ୍ତମାନ ଅନେକ ସ୍ଥାନରେ ବ୍ୟବହାର ସଫଳ ହେବା ପରେ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଚାଷୀଙ୍କୁ ଆଉ ୫୦ଟି ଯୋଗାଇବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି । ରୁ-କାର୍ଟ ନାମକ ଏକ ସଂସ୍ଥାର ଆର୍ଥିକ ସହାୟତାରେ ଏହା ଯୋଗାଇବା ପାଇଁ ଉଦ୍ୟମ ଚାଲିଥିବା ଜୀବିକା ମିଶନ ବିପିଏମ କିଶୋର କରକରିଆ ସୂଚନା ଦେଇଛନ୍ତି ।
ରାୟଗଡ଼ା ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବା ବେଳେ ବିଦୁ୍ୟତବିହୀନ ଶୀତଳ ଭଣ୍ଡାର ନିଶ୍ଚିତ ଭାବେ ଏକ ସୁନ୍ଦର ପରିକଳ୍ପନା । ଆଇଆଇଟି ଛାତ୍ରଛାତ୍ରୀମାନେ ଏହି ନୂତନ ଉଦ୍ଭାବନ କରି ପ୍ରଥମେ ମହାରାଷ୍ଟ୍ର ରାଜ୍ୟରେ ପ୍ରୟୋଗ କରିଥିଲେ । ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ଉତ୍ପାଦିତ କମଳାକୁ ଚାଷୀମାନେ ସାଇତି ରଖି ସଫଳତା ପାଇଥିଲେ । ଦୀର୍ଘ ସପ୍ତାହ ପର୍ଯ୍ୟନ୍ତ ଏହା ତାଜା ରହିଥିଲା । ସାଇତା କମଳାକୁ ଚାଷୀ ବଜାରକୁ ଛାଡ଼ି ଠିକ ଆୟ କରିପାରିଥିଲେ । ଏହା ପରେ ବର୍ତ୍ତମାନ ରାୟଗଡ଼ା ଜିଲ୍ଲାରେ ଏହି ଶୀତଳ ଭଣ୍ଡାର ବ୍ୟବହାର ଆରମ୍ଭ ହୋଇଛି । ପରିବା ଉତ୍ପାଦନ ଋତୁରେ ଏହାର ସଫଳତା ଅନୁଧ୍ୟାନ ପରେ ନିୟମଗିରି ପାହାଡ଼ରୁ ପ୍ରଚୁର ପରିମାଣରେ ଉତ୍ପାଦିତ ହେଉଥିବା ସପୁରୀ ପାଇଁ ଏହାକୁ ବ୍ୟବହାର କରାଯିବ ବୋଲି ଯୋଜନା ରହିଛି । ସ୍ୱଳ୍ପ ଖର୍ଚ୍ଚରେ ଉପଯୋଗୀ ହୋଇପାରୁଥିବା ଏଭଳି ଶୀତଳଭଣ୍ଡାର ଚାଷୀଙ୍କ ପାଇଁ ବେଶ ସହାୟକ ହୋଇଥିବା ସାଧାରଣରେ ଆଲୋଚନା ହେଉଛି ।


Comments are closed, but trackbacks and pingbacks are open.