ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅସାଧାରଣ ପରିସ୍ଥିତିରେ ଅସାଧାରଣ ପଦକ୍ଷେପ ଆବଶ୍ୟକ । ଓଡ଼ିଶାବାସୀଙ୍କ ଜୀବନକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଆଜି ରାଜ୍ୟ ସରକାର ନିଦେ୍ର୍ଧଶ ଜାରି କରିଛନ୍ତି, ବିଦେଶରୁ ଓଡ଼ିଶା ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ । ଏଥିପାଇଁ ଟୋଲ୍ ଫ୍ରି ନମ୍ବର-୧୦୪ ଜାରି କରାଯାଇଛି । ଏହାସହିତ ଅନ୍ଲାଇନ୍ ପୋର୍ଟାଲ https://covid19.odisha.gov.in ମାଧ୍ୟମରେ ବି ପଞ୍ଜିକରଣ କରାଯାଇପାରିବ । ବିଦେଶରୁ ଓଡ଼ିଶାରେ ପହଞ୍ଚିବାର ୨୪ ଘଣ୍ଟା ମଧ୍ୟରେ ପଞ୍ଜିକରଣ କରିବାକୁ ପଡ଼ିବ । ଏଭଳି ନିଦେ୍ର୍ଧଶନାମା ଜାରି କରିଛନ୍ତି ରାଜ୍ୟ ସରକାର ।
ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି, ପଞ୍ଜିକରଣବେଳେ ସଂପୃକ୍ତ ବ୍ୟକ୍ତିଙ୍କର ଟେଲିଫୋନ୍ ନମ୍ବର ଓ ସମସ୍ତ ଆବଶ୍ୟକ ତଥ୍ୟ ରହିବା ଜରୁରୀ । ପହଞ୍ଚିବାର ୧୪ ଦିନ ଦିନ ପର୍ଯ୍ୟନ୍ତ ସେମାନେ ନିଜ ଘରେ ସମ୍ପୂର୍ଣ୍ଣ ଅଲଗା (ହୋମ୍ କ୍ୱାରୋଣ୍ଟାଇନ୍) ରହିବାକୁ ହେବ । ଓଡ଼ିଶାରେ ପହଞ୍ଚିବା ଆଗରୁ ପଞ୍ଜିକରଣ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହେବ, ଯାହାକି ପରିସ୍ଥିତିକୁ ଭଲ ଭାବେ ତଦାରଖ ପାଇଁ ସହାୟକ ହେବ ।
ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଯେ, ପଞ୍ଜିକରଣ ଓ ହୋମ୍ କ୍ୱାରେଣ୍ଟାଇନ୍ ନିଦେ୍ର୍ଧଶନାମାକୁ ପାଳନ କଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଆକାରରେ ଦିଆଯିବ । ହୋମ୍ କ୍ୱାରେଣ୍ଟାଇନ୍ ସମୟରେ ନିୟମିତ ଭାବେ ସେମାନଙ୍କର ଅବସ୍ଥିତି ସମ୍ପର୍କରେ ଯାଞ୍ଚ କରାଯିବ । ନିର୍ଦ୍ଧିଷ୍ଟ ସଂଖ୍ୟକ ଫୋନ୍ କଲ୍ ଜରିଆରେ ସେମାନଙ୍କ ଉପରେ ନଜର ରଖାଯିବ ଓ ଆବଶ୍ୟକ ଡାକ୍ତରୀ ପରାମର୍ଶ ଦିଆଯିବ ।
ଗତ ମାର୍ଚ୍ଚ ୪ ତାରିଖ କିମ୍ବା ତା’ ପରେ ରାଜ୍ୟରେ ପ୍ରବେଶ କରିଥିବା ବ୍ୟକ୍ତିମାନଙ୍କୁ ପଞ୍ଜିକରଣ କରିବା ପାଇଁ ଆସନ୍ତାକାଲି ସକାଳ ୬ଟାରୁ ୧୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ସମୟ ଦିଆଯାଇଛି । ଏହାଦ୍ୱାରା ବିଦେଶରୁ ରାଜ୍ୟରେ ପ୍ରବେଶ କରିଥିବା ସମସ୍ତ ବ୍ୟକ୍ତିମାନଙ୍କ ଅବସ୍ଥିତି ଯାଞ୍ଚ କରାଯିବ । ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇପାରିବ । ସେମାନଙ୍କୁ ହୋମ୍ ଆଇସୋଲେସନ୍ ସମ୍ପର୍କରେ ସଚେତନ କରାଯିବ । ଆବଶ୍ୟକ କ୍ଷେତ୍ରରେ ଯାତ୍ରୀମାନଙ୍କର ଆତ୍ମୀୟ ଓ ବନ୍ଧୁମାନେ ମଧ୍ୟ ସେମାନଙ୍କ ପାଇଁ ପଞ୍ଜିକରଣ କରିପାରିବେ ।
ଏହି ନିୟମାବଳୀକୁ ଉଲ୍ଲଘଂନ କରୁଥିବା ବ୍ୟକ୍ତିମାନଙ୍କୁ ଭାରତୀୟ ପିଙ୍ଗଳ କୋର୍ଡ ଓ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ଦଣ୍ଡିତ କରାଯିବ । ବିଦେଶରୁ ଆସୁଥିବା ଯାତ୍ରୀମାନେ କୋଭିଡ୍-୧୯ର ବାହକ ହେବାର ବହୁତ ଆଶଙ୍କା ରହିଛି । ତେଣୁ ଓଡ଼ିଶାବାସୀଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଏସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଏହି ନିୟମାବଳୀ ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଆବଶ୍ୟକ ହେଲେ ଏହି ସମୟସୀମା ଆହୁରି ବୃଦ୍ଧି କରାଯାଇପାରେ । ବିଦେଶରୁ ଓଡ଼ିଶାକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ଏହି ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । କରୋନା ଭାଇରସ୍ ସଂକ୍ରମଣରୁ ଓଡ଼ିଶାବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ଉଦ୍ୟମରେ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି, ଆପଣଙ୍କ କାର୍ଯ୍ୟ ଦ୍ୱାରା ଆପଣ ନିଜକୁ, ନିଜ ପରିବାରକୁ, ନିଜ ପଡେ଼ାଶୀମାନଙ୍କୁ ଓ ସର୍ବୋପରି ଓଡ଼ିଶାକୁ ସୁରକ୍ଷିତ ରଖିପାରିବେ । ଏହି ନିୟମାବଳୀ ସମ୍ପର୍କରେ ବ୍ୟାପକ ପ୍ରଚାର, ପ୍ରସାର ପାଇଁ ରାଜ୍ୟ ସରକାର ପଞ୍ଚାୟତିରାଜ ଅନୁÂାନ, ଗଣମାଧ୍ୟମ ଓ ବିଦେଶରେ ଥିବା ଓଡ଼ିଆ ଆସୋସିଏସନମାନଙ୍କୁ ଅନୁରୋଧ କରିଛନ୍ତି ।
ରାଜ୍ୟ ସରକାରଙ୍କ କହିବାନୁଯାୟୀ ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ବିଦେଶରୁ ଓଡ଼ିଶାକୁ ଆସୁଥିବା ବ୍ୟକ୍ତିମାନେ ହିଁ ସଂକ୍ରମଣର ପ୍ରମୁଖ କାରଣ । ତେଣୁ କରୋନା ଭାଇରସ୍ର ସଂକ୍ରମଣକୁ ରୋକିବା ପାଇଁ ସାରା ବିଶ୍ୱର ବିଭିନ୍ନ ଦେଶରେ ସ୍କୁଲ, କଲେଜ ବନ୍ଦ ହେବା ସହ ଘରେ ରହି ଅଫିସ୍ କାମ ସମ୍ପାଦନ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବିଦେଶରୁ ବହୁ ସଂଖ୍ୟାରେ ଲୋକ ଓଡ଼ିଶାକୁ ଫେରି ଆସିବାର ସମ୍ଭାବନା ରହିଛି । ବିଦେଶରୁ ଓଡ଼ିଶାକୁ ଆସୁଥିବା ଲୋକଙ୍କୁ ସଚେତନ କରିବା, ସଂକ୍ରମଣ ମୁକ୍ତ କରିବା ଓ କ୍ୱାରାଣ୍ଟାଇନରେ ରଖିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ପରିସ୍ଥିତିକୁ ଫଳପ୍ରଦ ଭାବେ ତଦାରଖ କରିବା ପାଇଁ ରାଜ୍ୟ ସରକାର ଉପରୋକ୍ତ ନିୟମାବଳୀ ଲାଗୁ କରିଛନ୍ତି ।


Comments are closed, but trackbacks and pingbacks are open.