ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜ୍ୟରେ କିରାସିନିର ଚାହିଦା ଅଛି । ମାତ୍ର କେନ୍ଦ୍ର ସରକାର ରାଜ୍ୟର କୋଟା କମାଇ ଚାଲିଛନ୍ତି । କେବଳ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅନ୍ତର୍ଗତ ରେସନ କାର୍ଡଧାରୀଙ୍କୁ ମାସିକ ଅଢ଼େଇ ଲିଟର କିରାସିନି ମିଳୁଛି । ଜୁଲାଇ ମାସରେ ୨୦ ହଜାର ୭୦୦ କିଲୋ ଲିଟର କିରାସିନି ମିଳିଥିଲା । ତେବେ ଆସନ୍ତା ଅଗଷ୍ଟ ମାସରେ ୧୬ ହଜାର ୩୮୪ କିଲୋ ଲିଟର କିରାସିନି ଯୋଗାଇବେ ବୋଲି ରାଜ୍ୟକୁ କେନ୍ଦ୍ର ସରକାର ଅବଗତ କରାଇଛନ୍ତି । ତେଣୁ ଖାଉଟିମାନଙ୍କ ପିଛା ୧.୮୯ ଲିଟର କିରାସିନି ଭାଗ ପଡୁଛି । କେନ୍ଦ୍ର କିରାସିନି କୋଟା କମାଇବା ଖାଉଟିଙ୍କ ସ୍ୱାର୍ଥ ବିରୋଧୀ ହେଉଛି । ଆମେ ଏ ସଂପର୍କରେ କେନ୍ଦ୍ରକୁ ଅବଗତ କଲେ ମଧ୍ୟ କିଛି ସୁଫଳ ମିଳୁନି । ଆଜି ବିଧାନସଭାରେ ଏହା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ଆଜି ବିଧାନସଭାରେ ଶାସକ ଦଳ ସଭ୍ୟା ମୀନାକ୍ଷୀ ମହାନ୍ତ ଏ ସଂପର୍କରେ ପ୍ରଶ୍ନ କରିଥିଲେ । ରାଜ୍ୟର ଖଣି ଓ ଶିଳ୍ପ ବହୁଳ ସ୍ଥାନରେ କାମଧନ୍ଦା ପାଇଁ ଆସି ବାସବାସ କରୁଥିବା ଅଧିକାଂଶ ପରିବାରର ଖାଉଟି କାର୍ଡ ନଥିବାରୁ ସେମାନଙ୍କୁ କିରାସିନି ଯୋଗାଇ ଦିଆଯାଉ ବୋଲି ସେ ଦାବି ରଖିଥିଲେ । ବିଜେପି ସଭ୍ୟ ବିଷ୍ଣୁ ସେଠୀ ମଧ୍ୟ ଚାହିଦା ଅନୁସାରେ କିରାସିନି ଯୋଗାଣ ଉପରେ ଯୋଗାଣ ବିଭାଗ ଗୁରୁତ୍ୱ ଦେଉ । ଶାସକ ଦଳ ସଭ୍ୟ ବିଷ୍ଣୁବ୍ରତ ରାଉତରାୟ ଅତିରିକ୍ତ ପ୍ରଶ୍ନ କଲେ ଯେ, କେନ୍ଦ୍ର ସରକାର ‘ୱାନ ନେସନ, ୱାନ କାର୍ଡ’ କରିବାକୁ ଯାଉଥିଲା ବେଳେ ଆମ ରାଜ୍ୟରେ ହିତାଧିକାରୀଙ୍କ ସୁବିଧା ପାଇଁ ସରକାର କଣ ବ୍ୟବସ୍ଥା କରୁଛନ୍ତି? ସରକାରୀ ସଭ୍ୟ ପ୍ରତାପ କେଶରୀ ଦେବ ପ୍ରଶ୍ନ କଲେ ଡିଜେଲ ତୁଳନାରେ କିରାସିନି ଶସ୍ତା ଅଛି କି? କଂଗ୍ରେସ ସଭ୍ୟ ମହମ୍ମଦ ମୋକିମ୍ କହିଲେ, କଟକ ଓ ଭୁବନେଶ୍ୱର ଭଳି ସହରରେ ବହୁ ଲୋକ ବାହାରୁ ଆସି ବାସ କରୁଛନ୍ତି । ସେମାନଙ୍କର ଭୋଟର କାର୍ଡ ଅଛି । ମାତ୍ର ରେସନ କାର୍ଡ ନାହିଁ । ସେମାନଙ୍କୁ କେମିତି କିରାସିନି ମିଳିବ ମନ୍ତ୍ରୀ ବ୍ୟବସ୍ଥା କରନ୍ତୁ ।
ସଭ୍ୟମାନଙ୍କ କିରାସିନି ଯୋଗାଣ ନେଇ ଉଦବେଗକୁ ଅନୁଧ୍ୟାନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ, ରାଜ୍ୟର ୪ଟି ଜିଲ୍ଲାରେ ବିନା କାର୍ଡଧାରୀଙ୍କୁ ଅଣ ରିହାତି ମୂଲ୍ୟରେ କିରାସିନି ଯୋଗାଇବାର ବ୍ୟବସ୍ଥା ଅଛି । ଅନ୍ୟ ଯେଉଁଠି କିରାସିନି ଆବଶ୍ୟକ ଅଛି ଜିଲ୍ଲାପାଳମାନେ ଆମକୁ ଚାହିଦା ଅନୁସାରେ ଦାବି ରଖିଲେ ସରକାର କିରାସିନି ଯୋଗାଇଦେବେ । ଏ ଦିଗରେ ସରକାର ଜିଲ୍ଲାପାଳମାନଙ୍କୁ ଅବଗତ କରାଇଛନ୍ତି । ମାତ୍ର ଦୁଇଥର ଚିଠି ପରେ ମଧ୍ୟ ଜିଲ୍ଲାପାଳମାନେ ଏ ନେଇ ଯତ୍ନବାନ ହେଉନଥିବା ମନ୍ତ୍ରୀ କହିଥିଲେ ।
ରଣେନ୍ଦ୍ର ଆହୁରି କହିଲେ, କେନ୍ଦ୍ର ସରକାର କିରାସିନି କୋଟା କମାଇ ଚାଲିଛନ୍ତି । ୨୦୧୧ରେ ଆମକୁ ବାର୍ଷିକ ୪ ଲକ୍ଷ ୯୪୪ କିଲୋ ଲିଟର କିରାସିନି ମିଳୁଥିଲା । ଯାହା ୨୦୧୬-୧୭ ବେଳକୁ କମି କମି ୨ ଲକ୍ଷ ୨୯୨ କିଲୋ ଲିଟରରେ ପହଞ୍ଚିଥିଲା । ୨୦୧୮-୧୯ ଆର୍ଥିକ ବର୍ଷରେ ଆମକୁ ୨ ଲକ୍ଷ ୯ କିଲୋ ଲିଟର କିରାସିନି ପାଇଥିଲୁ । ତେବେ ଏହା ପୁଣି କମିଛି । ଅଗଷ୍ଟରେ ଆମକୁ କେନ୍ଦ୍ର ୧୬ ହଜାର ୩୮୪ କିଲୋ ଲିଟର କିରାସିନି ଦେବ ବୋଲି ଅବଗତ କଲାଣି । ଆମେ କିରାସିନି କୋଟା ହ୍ରାସ ନେଇ ୨୦୧୭ରୁ କେନ୍ଦ୍ର ସହ ଲଢ଼େଇ କରି ଆସୁଛୁ । ମାତ୍ର କେନ୍ଦ୍ର ଆମ ଦାବିକୁ କର୍ଣ୍ଣପାତ କରୁନି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରାଇଥିଲେ ।
Comments are closed, but trackbacks and pingbacks are open.