
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମାହାଙ୍ଗା ଡବଲ ମର୍ଡର ଅପରାଧୀଙ୍କୁ ଗିରଫ ଏବଂ କେନ୍ଦ୍ରୀୟ ଯୋଜନାର ସଠିକ୍ କ୍ରିୟାନ୍ୱୟନ ଦାବିରେ ଆଜି ବିଧାନସଭା ଘେରିଛି ବିଜେପି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ରାମ ମନ୍ଦିର ନିକଟରୁ ଶତାଧିକ କର୍ମୀ ଶୋଭାଯାତ୍ରାରେ ଆସି ବିଧାନସଭା ସମ୍ମୁଖରେ ପହଞ୍ଚି ଥିଲେ । ସେଠାର ଏକ ସାଧାରଣ ସଭା ହୋଇଥିଲା । ପରେ ବିଜେଡିର ମନ୍ତ୍ରୀଙ୍କୁ କାହିଁକି ଗିରଫ କରାଯାଉନି ବୋଲି କହି ଆନେ୍ଦାଳନକାରୀମାନେ ବିଧାନସଭା ଆଡକୁ ମାଡ଼ି ଯାଇଥିଲେ । ପୁଲିସ ସେମାନଙ୍କୁ ଅଟକାଇବାରେ ଧସ୍ତାଧସ୍ତି ହୋଇଥିଲା । ପରେ ଶତାଧିକ ବିଜେପି କର୍ମୀଙ୍କୁ ପୁଲିସ୍ ଗିରଫ କରିଥିଲା ।
ବିଜେପି କହିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ବିଜେପି ନେତା ଶାରଦା ପ୍ରଧାନ ସ୍ୱର ଉଠାଇଥିଲେ । ଶାସକ ଦଳ ନେତାଙ୍କ ପ୍ରରୋଚନାରେ ବିଜେଡି କର୍ମୀମାନେ ରାଜନୈତିକ ହିଂସା ପରାୟଣ ହୋଇ ଜାନୁଆରୀ ୨ରେ କୁଳମଣି ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କଲେ । ଏହାକୁ ବିରୋଧ କରି ବିଜେପି ପକ୍ଷରୁ ମାହାଙ୍ଗା ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତରେ ପ୍ରତିବାଦ ସଭା ହୋଇଥିଲା । ପୂର୍ବରୁ ବିଜେପି ନେତା ବିକାଶ ଜେନାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଏସବୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦେବା ପଛରେ ଶାସକ ଦଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ରହିଛି ବୋଲି ମୃତକଙ୍କ ପରିବାର ଅଭିଯୋଗ କରିଥିଲେ । ଏହା ସତ୍ତେ୍ୱ ପୁଲିସ୍ ଚୁପ୍ ବସିଛି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ଜେନାଙ୍କ ନାଁ ଏତଲାରେ ଥିବା ସତ୍ତେ୍ୱ ଶାସକ ଦଳ ଚାପରେ ପୁଲିସ ତାଙ୍କୁ ତଦନ୍ତ ପରିସରଭୁକ୍ତ କରୁନି । ଏହାର ପ୍ରତିବାଦରେ ଗତ ୧୭ ତାରିଖରୁ କଟକ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କ ନେତୃତ୍ୱରେ ଏକ ପଦଯାତ୍ରା ମାହାଙ୍ଗାରୁ ବାହାରି ଆଜି ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା । ସାଧାରଣ ଲୋକ ନ୍ୟାୟ ନପାଇ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ବାଧ୍ୟ ହେଉଛି । ଏଥିରୁ ସାଧାରଣ ଜନତା ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ ଉପରୁ ଆସ୍ଥା ହରାଇଥିବା ପ୍ରମାଣିତ ହେଉଛି । ସରକାର ନାଲି ଆଖି ଦେଖାଇ ବିରୋଧୀଙ୍କୁ ଡରାଇବା ବନ୍ଦ କରନ୍ତୁ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।
Comments are closed, but trackbacks and pingbacks are open.