ବିନା ଭକ୍ତରେ ବୁଢାରଜାଙ୍କ ଦଶହରା ଯାତ୍ରା ସମ୍ପନ୍ନ

Get real time updates directly on you device, subscribe now.

କୋକସରା,(ବି.ବି.ନୁ୍ୟଜ): କଳାହାଣ୍ଡି ଓ ନବରଙ୍ଗପୁ ଜିଲ୍ଲା ସୀମାନ୍ତ ଆମପାଣି ଘାଟି ମୁଣ୍ଡରେ ପୂଜା ପାଉଥିବା ପ୍ରଭୁ ବୁଢାରଜା ଦେବଙ୍କ ବାର୍ଷିକ ଦଶହରା ପୂଜା ଶନିବାର ଅତି ନିରାଡମ୍ବରରେ ପାଳିତ ହୋଇଛି । କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ବିଧିରକ୍ଷା ପୂର୍ବକ ଦଶହରା ନୀତିକାନ୍ତି ସମ୍ପନ୍ନ ହୋଇଥିଲା । ପୂଜା ପାଇଁ ଶନିବାର ସକାଳ ୬ଟାରୁ ରବିବାର ୧୦ଟା ପର୍ଯ୍ୟନ୍ତ ମନ୍ଦିର ଏବଂ ଏହା ଆଖପାଖ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା । ଫଳରେ ଆରାଧ୍ୟ ଦେବତା ଦର୍ଶନ ପାଇ ନପାରି ଶ୍ରଦ୍ଧାଳୁମାନେ କ୍ଷୁବ୍ଧ ହୋଇଥିଲେ । ହେଲେ ମହାମାରୀକୁ ଦୃଷ୍ଟିରେ ସରକାରୀ କଟକଣାର ଅନୁପାଳନ ମଧ୍ୟ କରିଥିଲେ । ଶ୍ରଦ୍ଧାଳୁମାନେ ନିଜ ନିଜ ଘର ଆଗରେ ରହି ବୁଢ଼ାରଜା ଦେବଙ୍କ ଲାଠି ଶୋଭାଯାତ୍ରା ଦେଖି ନଡ଼ିଆ ଭାଙ୍ଗିଥିଲେ । ପୂଜା ଲାଗି କେବଳ ୫୦ ଜଣ ସେବକ ଓ କମିଟି ସଦସ୍ୟଙ୍କୁ ଅନୁମତି ମିଳିଥିଲା । ଏଥର ଦଶହରା ପୂଜାରେ ବଳି ଆଦୌ ପଡ଼ି ନଥିଲା ।
ପରମ୍ପରା ଅନୁଯାୟୀ, କୁଅାଁର ପୂର୍ଣ୍ଣିମା ପରେ ପ୍ରଥମ ଶନିବାର ବୁଢ଼ାରଜାଙ୍କ ଦଶହରା ପୂଜା ହୋଇଥାଏ । ଆଜି ମଧ୍ୟାହ୍ନ ଗୋଟଏ ବେଳେ ବୁଢ଼ାରଜା ଦେବଙ୍କ ପୂଜକଙ୍କ ଘରୁ ବୁଢ଼ାରଜା ଏବଂ ଆଖପାଖ ଗାଁର ଦେବାଦେବୀଙ୍କ ପ୍ରତୀକ ଲାଠି ବାହାରିଥିଲା । ପ୍ରକାଶ ଯେ ଆଖପାଖ ଗାଁରୁ ଲାଠି ପୂର୍ବରୁ ଆସି ପୂଜକଙ୍କ ଘରେ ରଖାଯାଇଥାଏ । ଲାଠି ବୁଢ଼ାରଜା ମୁଖ୍ୟ ମନ୍ଦିର ଅଭିମୁଖେ ବାହାରିବା ପରେ ବାଟରେ ଆମପାଣି ଥାନା ସମ୍ମୁଖରେ ବାଲିଗଜା ପୂଜା କରାଯାଇଥିଲା । ଏହି ସମୟରେ ଜଣେ ମହିଳାଙ୍କୁ ବାଲିସୀ ଆସିଥିଲା । ପୂଜାର୍ଚ୍ଚନା ପରେ ପଟୁଆର ମନ୍ଦିର ଅଡ଼କୁ ଅଗ୍ରସର ହୋଇଥିଲା । ମନ୍ଦିରରେ ଲାଠିକୁ ସ୍ୱାଗତ ପରେ ପରିକ୍ରମା ହୋଇଥିଲା । ନୀତିକାନ୍ତି ଅନୁସାରେ ଦଶହରା ପୂଜା କରାଯାଇଥିଲା । ଶେଷରେ ମଧ୍ୟାହ୍ନ ଅଢେ଼ଇଟାରେ ଲାକ୍ଷମରା ପର୍ବ ମଧ୍ୟ କେବଳ ନୀତିକାନ୍ତିରେ ସମ୍ପନ୍ନ ହୋଇଥିଲା । ଏଥିରେ କୌଣସି ପ୍ରତିଯୋଗୀ ଭାଗ ନେଇ ନଥିଲେ । କରୋନା କଟକଣା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସେହପିରି କୌଣସି ସ୍ଥାନରେ ଏଭଳି ପଶୁପକ୍ଷୀ ବଳି ପଡ଼ି ନଥିଲା ।
୧୪୪ ଧାରା ମଧ୍ୟରେ ପୂଜା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଧର୍ମଗଡ ଉପଖଣ୍ଡ ପୁଲିସ ଅଧିକାରୀ ନାରାୟଣ ନାଏକଙ୍କ ନେତୃତ୍ୱରେ ଜୟପାଟଣା ଥାନା ଅଧିକାରୀଣୀ ରଶ୍ମିତା ପ୍ରଧାନ, ଆମପାଣି ଥାନା ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗି ସେମତେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତାୟନ ଥିଲେ । ତେବେ ପ୍ରଥମ ଥର ପାଇଁ ବିନା ଭକ୍ତରେ ବୁଢାରଜାଙ୍କ ଦଶହରା ସମାପନ ହୋଇଛି । ପୂଜା କମିଟି ପକ୍ଷରୁ ପ୍ରଶସନର ସମସ୍ତ ନିୟମକୁ ପାଳନ କରି ପୂଜାକାର୍ଯ୍ୟ କାରାଯାଇ ଥିବା କମିଟିର ସଭାପତି ରୁତୁରାଜ ମାଝୀ ସୂଚନା ଦେଇଛନ୍ତି । ବୁଢାରଜା ଦେବଙ୍କ ମୁଖ୍ୟ ପୂଜକ ଫକୀର ମୋହନ ପୁଝାରୀ ବିଧି ମୁତାବକ ସମସ୍ତ କାର୍ଯ୍ୟ ସମ୍ପାଦନ କରି ଥିବାବେଳେ ସଂପାଦକ ଶୀତାକାନ୍ତ ନାଏକ, କୋଷାଧ୍ୟକ୍ଷ ଗଙ୍ଗାଧର ନାଏକ, ଲକ୍ଷପତି ମାଝୀ, ଦୟାନିଧି ନାଏକ, କେଶରୀ ମାଝୀ, ନିତ୍ୟାନନ୍ଦ ମାଝୀ, ତିଲୋତମା ନାଏକ, ମାଧୁରୀ ନାଏକ, ଆମପାଣି ସରପଞ୍ଚ ଟିକିଚନ୍ଦ୍ର ନାଏକ, ବିଘ୍ନେଶ୍ୱର ନାଏକ ଭାସ୍କର ରାଓ ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହ ଯୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons