ପୋଲସରା, (ବି.ବି.ନୁ୍ୟଜ): ଧନେଇ ଜଳସେଚନ ପ୍ରକଳ୍ପରେ ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର । ସର୍ବାଧିକ ଜଳଧାରଣ କ୍ଷମତାରୁ ବେଶ୍ ଅଧିକ ପାଣି ଭରି ରହିଛି । ଜଳଭଣ୍ଡାରକୁ ଦୈନିକ ଅଧିକ ମାତ୍ରରେ ପାଣି ପ୍ରବେଶ କରୁଛି । ସ୍ଥିତି ଏମିତି ଯେ- ସ୍ପିଲ୍ୱେ ଉପର ଦେଇ ପାଣି ପ୍ରବଳ ବେଗରେ ବୋହୁଛି । ଅଥଚ ସମ୍ଭାବ୍ୟ ବିପଦକୁ ଖାତିର କରି ଅଞ୍ଚଳବାସୀ ମାଛଧରାରେ ମାତିଛନ୍ତି । ଜଣେ କି ଦୁଇ ଜଣ ନୁହଁ, ଶହ ଶହ ପୁରୁଷ ଓ ମହିଳା ସ୍ପିଲ୍ୱେ ନିକଟବର୍ତ୍ତୀ ଅଞ୍ଚଳରେ କୌଣସି ସୁରକ୍ଷା ବିନା ବିପଦସଙ୍କୁଳ ଅବସ୍ଥାରେ ମାଛ ଧରୁଥିବା ବୁଧବାର ପରିଲକ୍ଷିତ ହୋଇଥିଲା । ଏପରିକି କିଛି କମ୍ ବୟସର ପିଲା ମଧ୍ୟ ମାଛଧରାରେ ସାମିଲ୍ ଥିଲେ । ଗତ ୧୧ ତାରିଖରୁ ଜଳଭଣ୍ଡାର କର୍ତ୍ତୃପକ୍ଷ ତଳୁଆ ଅଞ୍ଚଳର ଲୋକଙ୍କୁ ସତର୍କ ସୂଚନା ଦେବା ସହ ବ୍ଲକ୍, ତହସିଲ ପ୍ରଶାସନ, ପୁଲିସ ଓ ଅଗ୍ନିଶମ ବିଭାଗକୁ ଅବଗତ କରାଇଥିଲେ । ଅଥଚ ଲୋକେ ବିପଦସଙ୍କୁଳ ଅବସ୍ଥାରେ ମାଛ ଧରୁଥିବା ବେଳେ ଅସହାୟ ଜଳଭଣ୍ଡାର କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି ।
ପୋଲସରା ଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଅବସ୍ଥିତ ଧନେଇ ଜଳଭଣ୍ଡାର । ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୮୮.୭୦ ମିଟର ଥିବା ବେଳେ ବୁଧବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ରହିଛି ୮୯.୦୮ ମିଟର । ଦୈନିକ ୯.୨୯୫ କୁ୍ୟମିକ୍ସ ଜଳ ପ୍ରବେଶ କରୁଛି । ସ୍ପିଲ୍ୱେ ବାଟେ ୧୬.୮୮୯ କୁ୍ୟମିକ୍ସ, କେନାଲ୍ ଦେଇ ୧.୨୨ କୁ୍ୟମିକ୍ସ ଜଳ ନିଷ୍କାସିତ ହେଉଛି । ସମ୍ପୂର୍ଣ୍ଣ କ୍ଷମତା ଅର୍ଥାତ୍ ୧୩୧୨.୭୩ ହେକ୍ଟାମିଟରରେ ଜଳ ଉଛୁଳୁଛି । ଅଥଚ ବୁଧବାର ପୂର୍ବାହ୍ଣରେ ସ୍ପିଲ୍ୱେ ନିକଟରେ ବିପଦଜନକ ଅବସ୍ଥାରେ ଶତାଧିକ ଲୋକ ମାଛ ଧରୁଥିବା ଦେଖିବାକୁ ମିଳିଥିଲା । ଜଳଭଣ୍ଡାର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପ୍ରକଳ୍ପ ପ୍ରତି ବିପଦ ଆଶଙ୍କା କରି ଜଳସେଚନ ବିଭାଗ ପକ୍ଷରୁ ମୁଖ୍ୟ କେନାଲରେ ମଧ୍ୟ ପାଣି ଛଡାଯାଉଛି । ସ୍ପିଲ୍ୱେ ନିକଟରେ ଅତି ଦ୍ରୁତ ଗତିରେ ଜଳ ନିଷ୍କାସିତ ହେଉଛି । ଗତବର୍ଷ ବର୍ଷା ଋତୁରେ ସ୍ପିଲ୍ୱେ ନିକଟରେ ମାଛ ଧରିବା ସମୟରେ ଭାସିଯାଇ ଜଣେ ନାବାଳକ ପ୍ରାଣ ହରାଇଥିବା ନଜିର ରହିଛି । ତଥାପି ଏବେ ଲୋକେ ବିପଦକୁ ଖାତିର ନକରି ମାଛ ଧରୁଛନ୍ତି । ଜଳସେଚନ ବିଭାଗ ପକ୍ଷରୁ ସ୍ପିଲ୍ୱେ ନିକଟକୁ ଯିବା ପାଇଁ କାହାକୁ ବାରଣ କରାଯାଉ ନାହିଁ । ଲୋକଙ୍କୁ ଆକଟ କରିବା ପାଇଁ ଜଗୁଆଳି ବ୍ୟବସ୍ଥା କରାଯାଇନାହିଁ । ସୂଚନାଥାଉକି ଜଳଭଣ୍ଡାର ଠାରୁ ମାତ୍ର ତିନି/ଚାରି କିଲୋମିଟର ଚିରିକିପଡା ଶାସନ ଗ୍ରାମରେ ଜଳଭଣ୍ଡାରର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିଛି । ସେଠାରେ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତ ହୋଇଛନ୍ତି । ତେବେ ଘଟଣା ବାବଦରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଯୋଗାଯୋଗ ଚେଷ୍ଟା କରାଯାଇଥିଲେ ହେଁ ସମ୍ଭବପର ହୋଇପାରିନି ।


Comments are closed, but trackbacks and pingbacks are open.