ବିପଦସଙ୍କେତ ଉପରେ ବଂଶଧାରା, ଋଷିକୁଲ୍ୟା

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ବାତ୍ୟା ଆଶଙ୍କା ଟଳିଗଲା । ହେଲେ ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା ଆଶଙ୍କା ଉପୁଜିଛି । ୨୪ ଘଣ୍ଟା ମଧ୍ୟରେ ଗଜପତି ଜିଲ୍ଲାରେ ୯୫.୪୮ ଓ ଗଞ୍ଜାମ ଜିଲ୍ଲାରେ ୬୨.୩୯ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି । ଉଭୟ ଜିଲ୍ଲା ପ୍ରମୁଖ ନଦୀ ବଂଶଧାରା ଓ ଋଷିକୁଲ୍ୟା ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଗଞ୍ଜାମ ଜିଲ୍ଲାର ଏକାଧିକ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ତଥା କଲଭର୍ଟ ଧୋଇଯିବାରୁ ଯାତାୟାତ ପ୍ରଭାବିତ ହୋଇଛି । ଅନେକ ଗାଁ ଓ ବହୁମାତ୍ରାରେ ଚାଷଜମି ଜଳବନ୍ଦୀ ତଥା ଜଳମଗ୍ନ ହୋଇଯାଇଛି । ସେପଟେ ଗଜପତି ଜିଲ୍ଲାର ୪ ବ୍ଲକ୍ରୁ ୨୦୦ ପରିବାରର ୫ଶହ ଲୋକଙ୍କୁ ପ୍ରଶାସନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ।
ଋଷିକୁଲ୍ୟା ନଦୀ ଧରାକୋଟ ନିକଟ ଜାନିବିଲି ଠାରେ ବିପଦ ସଙ୍କେତ ଉପରେ ରହିଛି । ସେଠାରେ ବିପଦ ସଙ୍କେତ ୧୪ ଫୁଟ (୫୩.୧୯ ମିଟର) ଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସୁ୍ଦଧା ୧୪ ଫୁଟ ୮ ଇଞ୍ଚ (୫୩.୩୭ ମିଟର)ରେ ଜଳସ୍ତର ଥିବା ଜଣାପଡିଛି । ତେବେ ଆସିକାରେ ଉଭୟ ଋଷିକୁଲ୍ୟା ଓ ବଡ ନଦୀ ବିପଦସଙ୍କେତ ତଳେ ପ୍ରବାହିତ ହେଉଛି । କବିସୂର୍ଯ୍ୟନଗରର ପ୍ରସିଦ୍ଧ ବନଦେବୀ ମନ୍ଦିରରେ ବନ୍ୟା ଜଳ ପ୍ରବେଶ କରିଛି । ଜଳସମ୍ପଦ ବିଭାଗ ପକ୍ଷରୁ ଆନିକଟର ସୁରକ୍ଷା ପାଇଁ ଏଠାରେ ପ୍ରତି ସକେଣ୍ଡରେ ୬୧୯.୩୪ କୁ୍ୟସେକ୍ ଜଳ ନିଷ୍କାସିତ କରାଯାଉଛି । ରାସ୍ତା ଉପରେ ପାଣି ବୋହୁଥିବା, କଲଭର୍ଟ ଭାସିଯିବା ହେତୁ ଯଥାକ୍ରମେ ସୋରଡା- ବ୍ରହ୍ମପୁର, ବଡଗଡ- ବ୍ରହ୍ମପୁର ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଛି । ଶେରଗଡ ନିକଟସ୍ଥ ଡଉପଦା ଆଗୁଳବଣ ନିକଟରେ ଏକ ଡାଇଭର୍ସନ୍ ଧୋଇଯିବାରୁ ବଡଗଡ- ବ୍ରହ୍ମପୁର ମଧ୍ୟରେ ଆଉ ଏକ କଟ୍ ମାର୍କ ସୃଷ୍ଟି ହୋଇଛି । ବାଘଲଟି ଜଳଭଣ୍ଡାରରେ ୧୦୨ ମିଟର ପର୍ଯ୍ୟନ୍ତ ଜଳପତ୍ତନ ବୃଦ୍ଧି ପାଇଛି । ଏଣୁ ଡ୍ୟାମ୍ରୁ ୨୫ କୁ୍ୟସେକ୍ ବନ୍ୟା ଜଳ ଛଡ଼ା ଯାଇଛି । ନିକଟସ୍ଥ ଦିଗପହଣ୍ଡି ଘୋଡାହାଡ ଡ୍ୟାମ୍ରେ ମଧ୍ୟ ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ପାତ୍ରପୁର ବ୍ଲକ୍ରେ ଏକାଧିକ ପାହାଡିଆ ଗାଁ ଦେଇ ଉପର ପଟୁ ପ୍ରବଳ ବେଗରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଦିଗପହଣ୍ଡିରେ ୪ଟି ଘର ଭୁଶୁଡି ଯାଇଛି ।
ସୋରଡାରେ ୯୨.୩୦ ମିଟର ସ୍ଥାନରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୯୨.୩୧ ମିଟର ପାଣି ଭରି ଆସିଲାଣି । ସେହିପରି ଧନେଇରେ ୮୮.୭୦ ବଦଳରେ ୮୮.୯୦ ମିଟର ଜଳ ଭରି ଆସିଲାଣି । ଉଭୟ ଅନ୍ଗେଟେଡ୍ ଡ୍ୟାମ୍ରେ ଜଳସ୍ତର ଧାର୍ଯ୍ୟ କ୍ଷମତାରୁ ଟପିସାରିଲାଣି । ସେପଟେ ଭଞ୍ଜନଗର ଡ୍ୟାମ୍ରେ ୯୬ ମିଟର ଜଳଧାରଣ କ୍ଷମତା ଥିବା ବେଳେ ଜଳପତ୍ତନ ରହିଛି ୯୪.୫୭ ମିଟର । ଡହରେ ୧୧୮.୬୦ ସ୍ଥାନରେ ୧୧୭.୮୯ ମିଟର, ଘୋଡାହାଡରେ ୧୧୭.୮୦ ସ୍ଥାନରେ ୧୧୫.୧୦ ମିଟର, ବାଘୁଆ ଷ୍ଟେଜ୍-୨ରେ ୧୧୩.୮୫ ବଦଳରେ ୧୧୧.୬୪ ମିଟର ଓ ବାଘଲଟିରେ ୧୦୬ ମିଟର ବଦଳରେ ୯୮.୪୯ ମିଟର ଜଳପତ୍ତନ ରହିଛି ।
କାଶୀନଗର ଠାରେ ବଂଶଧାରାର ସତର୍କ ସଙ୍କେତ ୫୪.୧୦ ମିଟର ରହିଥିବା ବେଳେ ମଙ୍ଗଳବାର ରାତି ୮ଟା ସୁଦ୍ଧା ତାହା ଉପରେ ନଦୀର ଜଳଧାରା ପ୍ରବାହିତ ହେଉଥିବା ଜଣାପଡିଛି । ଏହାର ତଳମୁଣ୍ଡ ଆନ୍ଧ୍ରର ହିରମଣ୍ଡଳମସ୍ଥିତ ଗୋଟା ବ୍ୟାରେଜ୍ର ୧୯ଟି ଗେଟ୍ ଜରିଆରେ ପ୍ରତି ସେକଣ୍ଡରେ ବ୍ୟାରେଜ୍ରୁ ୨୬ ହଜାର ୯୯ କୁ୍ୟସେକ୍ ଜଳ ନିସ୍କାସିତ କରାଯାଉଛି । ପ୍ରତି ସେକଣ୍ଡ୍ରେ ଡ୍ୟାମ୍କୁ ପ୍ରବେଶ କରୁଛି ୨୫ ହଜାର ୧୦୬ କୁ୍ୟସେକ୍ ଜଳ । ରା.ଉଦୟଗିରି ବ୍ଲକର ୭୦ ପରିବାର, ଗୁମ୍ମା ବ୍ଲକ୍ର ୪୮, କାଶୀନଗର ବ୍ଲକ୍ର ୨୦ ଏବଂ ରାୟଗଡ ବ୍ଲକ୍ର ୭୦ ପରିବାରକୁ ସୁରକ୍ଷିତ ଆଶ୍ରୟସ୍ଥଳକୀ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି । ରାୟଗଡ ବ୍ଲକ୍ର ୨୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ମୋହନା ବ୍ଲକ୍ର ଅଠରନଳା ଉପରେ ବନ୍ୟା ଜଳ ବୋହୁଛି । ସେଠିକାର ବିଜିପୁର ଗାଁ ସ୍କୁଲରେ ପ୍ରାୟ ୪୦ ଜଣ ଆଶ୍ରୟ ନେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons