ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ରେଳମନ୍ତ୍ରୀ ଆଶ୍ୱିନୀ ବୈଷ୍ଣବଙ୍କୁ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଦାବିପତ୍ର ଦିଆଯାଇଛି । ଜୟପୁରରେ ଆୟୋଜିତ ଜନଆଶୀର୍ବାଦ ଯାତ୍ରାରେ ଶ୍ରୀ ବୈଷ୍ଣବଙ୍କୁ ଚାମ୍ବର ଅଫ କମର୍ସ, ଜୟପୁର ବିକାଶ ମଞ୍ଚ, ସିପିଆଇ, ୟୁଥ ଫର ଏକ୍ସନ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଚାମ୍ବର ଅଫ କମର୍ସ ପକ୍ଷରୁ ଦିଆଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ତେଲେଙ୍ଗାନାର ହାଇଦ୍ରାବାଦକୁ ରେଳ ସୁବିଧା କରାଯାଉ । କୋରାପୁଟ ଜିଲ୍ଲାର ହଜାର ହଜାର ଯୁବକଯୁବତୀ ଏବେ ହାଇଦ୍ରାବାଦରେ କାମ କରୁଛନ୍ତି । ହାଇଦ୍ରାବାଦରେ ନିଯୁକ୍ତି ସୁବିଧା ଥିବାରୁ ହଜାର ହଜାର ପରିବାର ସେଠାରେ ରହୁଛନ୍ତି । ସେଠାକୁ ଯିବା ପାଇଁ ଏଠାରୁ ସିଧାସଳଖ କୌଣସି ସୁବିଧା ନାହିଁ । ବିଜୟନଗର କିମ୍ବା ବିଶାଖପାଟଣା ଯାଇ ସେଠାରୁ ରେଳରେ ହାଇଦ୍ରାବାଦ ଯିବାକୁ ପଡୁଛି । ଜୟପୁରରୁ ହାଇଦ୍ରାବାଦ ଯିବାକୁ ପ୍ରାୟ ୨୪ ଘଣ୍ଟା ଲାଗୁଛି । ସଡକ ପଥରେ ଭଦ୍ରାଞ୍ଚଳମ ଦେଇ ହାଇଦ୍ରାବାଦ ବସ ଚଳାଚଳ କରୁଛି । ଦୂରତା କମ ରହୁଥିଲେ ମଧ୍ୟ ଅଧିକ ବିପଦ ରହିଛି । ଏଥିସହ ଅଧିକ ଭଡା ପଡୁଛି । ଯାହା ଗରିବ ଲୋକଙ୍କୁ ବାଧୁଛି । ରେଳ ସୁବିଧା ହେଲେ ଆର୍ଥିକ ଦୃଷ୍ଟିକୋଣରୁ ହାଇଦ୍ରାବାଦ ଯିବା ଗରିବ ଓ ମଧ୍ୟବିତ୍ତ ପରିବାର ଲାଗି ସୁବିଧା ହେବ । ଏଥିପାଇଁ ଛତିଶଗଡରୁ ହାଇଦ୍ରାବାଦକୁ ସିଧାସଳଖ ଟ୍ରେନ୍ର ବ୍ୟବସ୍ଥା କରାଯାଉ ।
ଜୟପୁର ବିକାଶ ମଞ୍ଚ ପକ୍ଷରୁ ଆଇଟି ପାର୍କ ଓ ବିଭିନ୍ନ ସ୍ଥାନକୁ ରେଳ ବ୍ୟବସ୍ଥା କରିବା ସମ୍ପର୍କରେ ଦାବିପତ୍ର ପ୍ରଦାନ କରାଯାଇଛି । ମଞ୍ଚ ଦେଇଥିବା ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ଦେଶ ସ୍ୱାଧୀନ ହେବାର ସାତ ଦଶନ୍ଦି ପରେ ମଧ୍ୟ ରେଳ ଯୋଗାଯୋଗରେ ଉନ୍ନତି ହୋଇପାରିନି । ଜୟପୁର ଷ୍ଟେସନର ଉନ୍ନତି, ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ, ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ଜମି ଅଧିଗ୍ରହଣ ସହ ତେଲେଙ୍ଗାନା ରାଜ୍ୟର ଭଦ୍ରାଞ୍ଚଳମ ପର୍ଯ୍ୟନ୍ତ ରେଳ ପ୍ରକଳ୍ପକୁ ସମ୍ପ୍ରସାରଣ କରାଯାଉ । ପଶ୍ଚିମ ଓଡିଶା ସହ ସଂଯୋଗ ପାଇଁ ନବରଙ୍ଗପୁରରୁ ଜୁନାଗଡ ଓ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ରେଳପଥ ସମ୍ପ୍ରସାରଣ କରାଯାଉ । ୟୁଥ ଫର ଏକ୍ସନ ସଂଗଠନ ଦେଇଥିବା ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ହୀରାଖଣ୍ଡ ଏକ୍ସପ୍ରେସ ବିଜୟନଗର ବଦଳରେ ଗୁଣୁପୁର, ପାଲାସା ଦେଇ ଭୁବନେଶ୍ୱର ଯିବାର ବ୍ୟବସ୍ଥା କରାଯାଉ । ଯାହା ଫଳରେ ପ୍ରାୟ ୩ ଶହ କିଲୋମିଟର ଦୂରତା କମ ପଡିବ । ସେହିପରି ସମତା ଏକ୍ସପ୍ରେସକୁ ଜଗଦଳପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଉ ।


Comments are closed, but trackbacks and pingbacks are open.