ଭୁବନେଶ୍ୱର,(ବି.ବି.ବ୍ୟୁରୋ): କେନ୍ଦ୍ର ସରକାର କିରୋସିନ କୋଟା ଓଡ଼ିଶାକୁ କମ୍ ହେବା ନେଇ ରାଜ୍ୟ ସରକାର ଯେଉଁ ତଥ୍ୟ ଦେଇଛନ୍ତି ତାହା ବିଭ୍ରାନ୍ତିକର । ଆଜି ଗଣମାଧ୍ୟମକୁ ଏଭଳି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ ନାଏକ ।
ଶ୍ରୀ ନାଏକ କହିଛନ୍ତି ଯେ, ଗ୍ୟାସ ପରି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନାରେ କିରୋସିନକୁ ସାମିଲ କରି ସ୍ୱଚ୍ଛତା ଅବଲମ୍ୱନ କରିବା ସହ କେନ୍ଦ୍ର ସରକାରଙ୍କଠାରୁ ଅଧିକ ପ୍ରୋତ୍ସାହନ ରାଶି ନେବା ପାଇଁ ରାଜି ନହେବା ମୁଖ୍ୟମନ୍ତ୍ରୀଙ୍କ ଟି-ଫର୍ ଟ୍ରାନ୍ସଫରେନ୍ସି ତତ୍ତ୍ୱକୁ ଏକ ଛଳନା ଓ ଶଠତାର ରୂପ ଦେଉଛି ବୋଲି ଶ୍ରୀ ନାୟକ କହିଛନ୍ତି । ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ମୋଟ ୮୬ ଲକ୍ଷ ପରିବାରକୁ ରିହାତିଯୁକ୍ତ କିରୋସିନ ଯୋଗାଇ ଦିଆଯିବା ନେଇ ଯେଉଁ ତଥ୍ୟ ରଖାଯାଉଛି ଏହାର ସତ୍ୟତାକୁ ପ୍ରଶ୍ନ କରିଛନ୍ତି ଶ୍ରୀ ନାଏକ । ୮୬ ଲକ୍ଷ ପରିବାର ନାଁରେ ମିଳୁଥିବା କିରୋସିନକୁ ଭାଗ କରି ପ୍ରକୃତ ପକ୍ଷେ କିରୋସିନ କଳାବଜାରୀର ମଧୁଚନ୍ଦ୍ରିକାରେ ସରକାର ଓ ସରକାରୀ ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ସାମିଲ ଥିବା ନେଇ ସେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।
ଏ ସମ୍ପର୍କରେ ଶ୍ରୀ ନାୟକ କହିଛନ୍ତି, ରାଜ୍ୟରେ ୭୫ ପ୍ରତିଶତ ପରିବାରରେ ଏଲପିଜି ଯୋଗାଣ ହୋଇସାରିଛି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଦେଇଥିବା ତଥ୍ୟନୁସାରେ ରାଜ୍ୟରେ ସୌଭାଗ୍ୟ ଯୋଜନା ଲାଗୁ ହେବା ପରେ ଶତ ପ୍ରତିଶତ ଘରେ ବିଜୁଳି ଲାଗିସାରିଛି । ଏହାସହ ଫନୀ ବାତ୍ୟା ପରେ ପେଟ୍ରୋଲିୟମ ବିଭାଗ ରାଷ୍ଟ୍ରାୟତ ଉଦ୍ୟୋଗ ତରଫରୁ ୧ ହଜାର କିଲୋ ଲିଟର କିରୋସିନ ରିଲିଫ ଆକାରରେ ଯୋଗାଇ ଦେବା ପାଇଁ ୩.୨ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯୋଗାଇ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ପାଖରେ କିରୋସିନ ଥିବାରୁ କୋଟା ଆଲଟ୍ ହେଲା ପରେ ମଧ୍ୟ ନିର୍ଦ୍ଦିଷ୍ଟ ସମୟସୀମା ଅତିକ୍ରମ କରି ଗତ ୨୦ ତାରିଖ ପର୍ଯ୍ୟନ୍ତ ୫,୭୮୩ କିଲୋ ଲିଟର କିରୋସିନ୍ ଉଠାଣ ପାଇଁ ଖୋଦ୍ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ୨୦୧୯-୨୦ ଦ୍ୱିତୀୟ କ୍ୱାର୍ଟର୍ ସୁଦ୍ଧା ରାଜ୍ୟ ସରକାର ୧ ଲକ୍ଷ ୧୨ ହଜାର ୨୬୪ କିଲୋ ଲିଟର କିରୋସିନ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି ।
ରାଜ୍ୟ ସରକାର ମିଥ୍ୟା ତଥ୍ୟ ଦେଉଥିବାରୁ ଶ୍ରୀ ନାଏକ ଗତ ତିନି ବର୍ଷରେ ଜିଲ୍ଲା, ବ୍ଲକ, ପଞ୍ଚାୟତ ବ୍ଲକ ଓ ଗାଁ ହିସାବରେ କେଉଁ ପରିବାରକୁ କେତେ କିରୋସିନ ଦେଇଛନ୍ତି ତାହା ସାର୍ବଜନୀନ କରିବାକୁ ଦାବି କରିଛନ୍ତି । ଏହା ହେଲେ ରିହାତି କିରୋସିନ୍ କେତେ ପରିବାର ପାଇଛନ୍ତି ଓ କେତେ କିରୋସିନ କଳାବଜାରକୁ ଯାଇଛି ତାହା ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ନାଏକ କହିଛନ୍ତି ।
ବାସ୍ତବରେ କିରୋସିନ ନେଇନଥିବା କେତେ ପରିବାରର ନାମ ପିଡିଏସ୍ ତାଲିକାରେ ସାମିଲ ଅଛି ତାହାର ମଧ୍ୟ ପୁଙ୍ଖାନୁପୁଙ୍ଖ ଦାବି କରିଛନ୍ତି ଶ୍ରୀ ନାଏକ । ସେ ଆହୁରି କହିଛନ୍ତି ହରିୟାଣା, ପଞ୍ଜାବ,ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଚଣ୍ଡିଗଡ, ଡାମନ୍ଡିୟୁ, ଦାଦ୍ରା ଓ ନଗରହାବେଳି ତଥା ପୁଡୁଚେରି ଭଳି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ନିଜକୁ କିରୋସିନ ମୁକ୍ତ ଘୋଷଣା କରିଛନ୍ତି । କିରୋସିନ ଖର୍ଚ୍ଚ କମ୍ କରିବା ପାଇଁ କର୍ଣ୍ଣାଟକ, ତେଲେଙ୍ଗାନା, ନାଗାଲାଣ୍ଡ, ବିହାର, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୋଆ ଭଳି ରାଜ୍ୟ ସ୍ୱେଚ୍ଛାକୃତ ଭାବେ ଉଦ୍ୟମ ନେବା ପାଇଁ ଘୋଷଣା କରିଛନ୍ତି ବୋଲି ଶ୍ରୀ ନାଏକ ସୂଚନା ଦେଇଛନ୍ତି ।
ବର୍ଷକୁ ୩୬୫ ଦିନ ଓ ଦିନର ୨୪ ଘଣ୍ଟା ନିରନ୍ତର ବିଜୁଳି ଯୋଗାଇ କିରୋସିନ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରିତ କରିବା ପାଇଁ କାହିଁକି ରାଜ୍ୟ ସରକାର ପଦକ୍ଷେପ ନେଉନାହାନ୍ତି ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି । ଗତ ୫ ବର୍ଷରେ ରାଜ୍ୟରେ ଗ୍ୟାସ ବ୍ୟବହାର ୨୫ ପ୍ରତିଶତରୁ ବୃଦ୍ଧି ପାଇ ୭୫ ପ୍ରତିଶତରେ ପହଁଚିଛି । ସବୁ ଗରିବ ଘରେ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ପହଞ୍ଚାଇବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଷ୍ଠାପର ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ନାଏକ କହିଛନ୍ତି ।
Comments are closed, but trackbacks and pingbacks are open.